Image Courtesy of BJD Odisha
ରାୟଗଡ଼ା : ନାମାଙ୍କନ ଦାଖଲର ଶେଷ ଦିନରୁ ହିଁ ବିଜେଡି ଆରମ୍ଭ କରିଛି ବିଜୟ ଯାତ୍ରା। ରାୟଗଡ଼ା ପୌର ପରିଷଦର ୨ ନଂ ୱାର୍ଡରେ ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥି ଦେଇନପାରିବା କାରଣରୁ ବିଜେଡି ପ୍ରାର୍ଥିନୀ ମମତା ମାଣ୍ଡାଙ୍ଗି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଜେଡି ପ୍ରାର୍ଥିନୀ ନିର୍ଦ୍ବନ୍ଦ୍ବ ହେବା ପରେ ଦଳୀୟ ଶିବିରରେ ଖୁସିର ଲହରି ଖେଳିଯାଇଛି। ଯାହା ବିରୋଧୀ ବିଜେପି ଓ କଂଗ୍ରେସ ଶିବିର ପାଇଁ ଶକ୍ତ ଝଟକା ସଦୃଶ୍ୟ ହୋଇଛି।
ରାୟଗଡ଼ା ପୌର ପରିଷଦର ୨୪ଟି ୱାର୍ଡ ମଧ୍ୟରୁ ସବୁ ୱାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି ବିଜେଡି। ବିଜେପି ୨ ନଂ ୱାର୍ଡକୁ ଛାଡ଼ି ଅନ୍ୟ ୨୩ଟି ୱାର୍ଡରେ ପ୍ରାର୍ଥୀ ଦେଇଛି। ୨ ନଂ ୱାର୍ଡ ପାଇଁ ବିଜେପି ଚୟନ କରିଥିବା ପ୍ରାର୍ଥୀ ପାରିବାରିକ ସମସ୍ୟା ଦର୍ଶାଇ ଶେଷ ମୁହୂର୍ତରେ ନାମାଙ୍କନ ପତ୍ର ଦାଖଲରୁ ଓହରି ଯିବାରୁ ଅନ୍ୟ ପ୍ରାର୍ଥୀକୁ ଚୟନ କରିବା ବିଜେପି ପାଇଁ କାଠିକର ପାଠ ହୋଇଥିଲା। ସେହିପରି କଂଗ୍ରେସ ୧, ୨ ଓ ୬ ନଂ ୱାର୍ଡକୁ ଛାଡି ୨୧ଟି ୱାର୍ଡରେ ପ୍ରାର୍ଥୀ ଦେଇଛି। ୩ଟି ୱାର୍ଡରେ କଂଗ୍ରେସ ଚୟନ କରିଥିବା ପ୍ରାର୍ଥୀ ନାମାଙ୍କନ ଦାଖଲର ଶେଷ ଦିନରେ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ନାମାଙ୍କନ ଦାଖଲରୁ ଓହରି ଯାଇଥିଲା। ଯାହା ଶାସକ ବିଜେଡି ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି। ରାୟଗଡ଼ା ପୌର ପରିଷଦ ଭଳି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ବିଜେପି ୨ଟି ୱାର୍ଡ ଏବଂ କଂଗ୍ରେସ ୪ଟି ୱାର୍ଡରେ ପ୍ରାର୍ଥି ଦେଇପାରିନି। ଗୁଡାରି ଏନଏସିର ୩ ନଂ ଏବଂ ୮ ନଂ ୱାର୍ଡରେ ପ୍ରାର୍ଥି ଦେଇପାରିନି। ସେହିପରି କଂଗ୍ରେସ ୨ ନଂ, ୯, ୧୦, ୧୧ ନଂ ୱାର୍ଡରେ ପ୍ରାର୍ଥୀ ଦେଇପାରିନି। ଗୁଡାରିର ୧୧ଟି ୱାର୍ଡ ମଧ୍ୟରୁ ବିଜେଡି ୧୧ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୯ଟି, କଂଗ୍ରେସ ୭ଟି, ତିନି ତାରା ପତାକା ଗୋଟିଏ, ୪ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଅଧ୍ୟକ୍ଷ ପଦବି ପାଇଁ ବିଜେପି, ବିଜେଡି, କଂଗ୍ରେସ, ତିନି ତାରା ପତାକା ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
Follow Us