ପୁଲିସ ପ୍ରଶାସନକୁ ଭରସା ନାହିଁ: ଷ୍ଟ୍ରଂଗରୁମ୍ ଜଗୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା

Advertisment
ପୁଲିସ ପ୍ରଶାସନକୁ ଭରସା ନାହିଁ: ଷ୍ଟ୍ରଂଗରୁମ୍ ଜଗୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା

Odisha News In English

ସମ୍ବଲପୁର: ପୁଲିସ ପ୍ରଶାସନକୁ ଭରସା ପାଉନି। ବିଜେପିକୁ ଘାରଛି ଚିନ୍ତା। ଶାସକ ଦଳର କଥାରେ ପଡ଼ି କାଳେ କିଛି ଗଡ଼ବଡ଼ କରିଦିଆଯିବା ନେଇ ସନ୍ଦେହ ପ୍ରକଟ କରିଛି ବିଜେପି। ବିଜେପି କାର୍ଯ୍ୟକର୍ତ୍ତାମାନ‌େ ରେଢ଼ାଖୋଲ ବିଧାନସଭା ‌କ୍ଷେତ୍ରର ବିଭିନ୍ନ ବ୍ଲକର ଷ୍ଟ୍ରଂଗରୁମ୍‌ ସମ୍ମୁଖରେ ରାତିରେ ଜଗୁଥିବା ଜଣାପଡ଼ିଛି।

ଆଗରୁ ଯେଉଁଦିନ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ହେଉଥିଲା, ସେହିଦିନ ଭୋଟଗଣତି ବି ହୋଇଯାଉଥିଲା। ଗୋଟିଏ ଦିନରେ ମତଦାନ ସହିତ ଏହାର ଫଳାଫଳ ବି ମିଳିଯାଉଥିଲା। ଚଳିତ ବର୍ଷ କିନ୍ତୁ ଅଲଗା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅଧୀନରେ ଯୁଯୁମୁରା, ନାକଟିଦେଉଳ, ରେଢ଼ାଖୋଲ ଓ ମାନେଶ୍ବର ଆଦି ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନ୍‌ ଆସୁଛି।

ଗତ ୨୦୧୭ ନିର୍ବାଚନରେ ୭ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ୪ଟିରେ ବିଜେଡି ଓ ୩ଟିରେ ବିଜେପି ଜିତିଥିଲା। ଏଥର ବି ଉଭୟ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେଉଛି। ଏହା ବ୍ୟତୀତ ଉଭୟ ବିଜେପି ଓ ବିଜେଡିର ବହୁ ସକ୍ରିୟ କର୍ମୀ ତଥା ସେମାନଙ୍କ ସଂପର୍କୀୟ ସରପଞ୍ଚ, ସମିତି ସଭ୍ୟ ଆଦି ପଦରେ ବି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅକ୍ତିଆର କରିବା ପାଇଁ ଉଭୟ ଦଳ ଜୋରଦାର ଉଦ୍ୟମ କରୁଛନ୍ତି। ବିଜେପି ମତଦାନ ପୂର୍ବରୁ ବି ସରକାରୀ ବାବୁମାନେ ଶାସକ ଦଳକୁ ସମର୍ଥନ କରିଆସୁଥିବା ଅଭିଯୋଗ କରିଆସୁଥିଲା। ସରକାରୀ ବାବୁମାନେ ବିଜେଡିକୁ ସୁହାଇବା ଭଳି ପଦକ୍ଷେପ ନେଉଥିବା ବିଜେପି ସନ୍ଦେହ କରୁଥିଲା।

ମତଦାନ ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଭୋଟବାକ୍ସ ରଖାଯାଇଥିବା ଷ୍ଟ୍ରଂଗରୁମଗୁଡ଼ିକ ସିଲ୍ ରହିଛି। ପୁଲସ କର୍ମଚାରୀମାନେ ଦିନରାତି ଜଗି ରହିଛନ୍ତି। ତଥାପି, ଶାସକ ଦଳର ଚାପରେ ଷ୍ଟ୍ରଂଗରୁମ୍ ଖୋଲି କିଛି ଗଡ଼ବଡ଼ କରିଦିଆଯିବା ନେଇ ସନ୍ଦେହ ପ୍ରକଟ କରୁଛି ବିଜେପି।

ଯୁଯୁମୁରା, ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ ଅଂଚଳର କଡ଼ା ଟକ୍କର ହେଉଥିବାରୁ ଏସବୁ ବ୍ଲକର ଷ୍ଟ୍ରଂଗରୁମ୍‌ଗୁଡ଼ିକ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଜଗି ରହୁଛନ୍ତି। ବିଶେଷକରି ରାତ୍ରି ସମୟରେ ୩/୪ ଜଣ ଲେଖାଏଁ ବିଜେପି କାର୍ଯ୍ୟକର୍ତ୍ତା ପାଳିକରି ଜଗୁଛନ୍ତି। ରାତି ସାରା ଉଜାଗର ରହୁଥିବା ବରିଷ୍ଠ ବିଜେପି ନେତା ‌ଦେବେନ୍ଦ୍ର ମହପାତ୍ର ସୂଚନା ଦେଇଛନ୍ତି। ବିଜେପି ଏଥର ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe