ଓଡ଼ିଶାକୁ କରୋନା ଭୟ ନାହିଁ, ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ : ସ୍ବାସ୍ଥ୍ୟମନ୍ତ୍ରୀ

Advertisment
ଓଡ଼ିଶାକୁ କରୋନା ଭୟ ନାହିଁ, ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ବିଶ୍ବବ୍ୟାପୀ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି। ଗତକାଲି ଭାରତରେ  ୩ ଜଣଙ୍କୁ  କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ଜଣେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ହୋଇଥିବାରୁ ଓଡ଼ିଶାରେ କରୋନା ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀଙ୍କ କହିବା ଅନୁସାରେ ଓଡ଼ିଶାରେ ଏଯାବତ୍ କେହି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି। ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।  ସେହିପରି ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖାଯାଇଛି। ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନ୍‌ରେ ରହିଛନ୍ତି। ସୋମବାର ସୁଦ୍ଧା ୬୯ଜଣ ବ୍ୟକ୍ତିଙ୍କ ଘରେ ଆଇସୋଲେସନ୍‌ ଶେଷ ହୋଇସାରିଛି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଂଗୃହୀତ ୮ଜଣ ବ୍ୟକ୍ତିଙ୍କ ବାଦ୍ ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ ନାହିଁ। ପୂର୍ବରୁ ସଂଗୃହୀତ ସମସ୍ତ ନମୁନା ନେଗେଟିଭ୍ ରହିଥିଲା।

ସେହିପରି କରୋନା ସଂପର୍କରେ ସଚେତନତା ପ୍ରଦାନ ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ସଂପର୍କିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe