ଧର୍ମ ପରିବର୍ତ୍ତନ କରିଥିବାରୁ ଶବଦାହ ପାଇଁ ମିଳିଲାନି ଶ୍ମଶାନ

Advertisment

୩୪ ଘଣ୍ଟା ଘରେ ପଡ଼ି ରହିଲା ଶବ, ପ୍ରଶାସନ ଓ ପୁଲିସ  ହସ୍ତକ୍ଷେପ ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର

୩୪ ଘଣ୍ଟା ଘରେ ପଡ଼ି ରହିଲା ଶବ, ପ୍ରଶାସନ ଓ ପୁଲିସ  ହସ୍ତକ୍ଷେପ ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର

ଧର୍ମ ପରିବର୍ତ୍ତନ କରିଥିବାରୁ ଶବଦାହ ପାଇଁ ମିଳିଲାନି ଶ୍ମଶାନ

ଝରିଗାଁ: ଧର୍ମ ପରିବର୍ତ୍ତନ କରିଥିବା ପରିବାରର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିବା ପରେ ଶବଦାହ ପାଇଁ ଶ୍ମଶାନ ମିଳିଲାନି। ଏଥିଯୋଗୁ ପ୍ରାୟ ୩୪ ଘଣ୍ଟା ଘରେ ଶବ ପଡ଼ି ରହିଲା। ଖବର ପାଇ ପ୍ରଶଶସନ ଓ ପୁଲିସ ଗାଁରେ ପହଞ୍ଚି ବୃଦ୍ଧଙ୍କ ଶବ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ପ୍ରଶାସନ ପକ୍ଷରୁ ବୃଦ୍ଧଙ୍କ ଶବଦାହ କରାଯିବ ବୋଲି ସୂଚନା ମିଳିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ଗୁଲିବଡ଼ନା ଗ୍ରାମରେ।

ସୂଚନା ଅନୁଯାୟୀ, ଗୁଲିବଡ଼ନା ଗ୍ରାମର ଜିତରୁ ଭତ୍ରାଙ୍କ ପରିବାର ଗତ କିଛି ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଅନ୍ୟ ଏକ ଧର୍ମ ଗ୍ରହଣ କରିଥିଲେ। ଏହି ଖବର ପାଇବା ପରେ ଧର୍ମ ପରିବର୍ତ୍ତନ ନକରି ନିଜ ଧର୍ମରେ ସାମିଲ ହେବା ପାଇଁ ଗ୍ରାମବାସୀ ଜିତରୁଙ୍କ ପରିବାରକୁ କହିଥିଲେ। କିନ୍ତୁ ପରିବାର ଲୋକ କିଛି ଶୁଣି ନଥିଲେ। ଗତକାଲି ସକାଳ ୮ଟାରେ ବାର୍ଦ୍ଧକ୍ୟଜନିତ କାରଣରୁ ଜିତରୁ ଭତ୍ରାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକ ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ଶ୍ମଶାନରେ ଜିତରୁଙ୍କ ଶବଦାହ ହୋଇପାରିବ ‌ନାହିଁ ବୋଲି ଗ୍ରାମବାସୀ ମନା କରି ଦେଇଥିଲେ। ଏଥିଯୋଗୁ ଗତକାଲି ଜିତରୁଙ୍କ ଶବ ଘରେ ପଡ଼ି ରହିଥିବା ବେଳେ ଶ୍ମଶାନରେ ଶବଦାହ କରାଇ ନଦେବା ପାଇଁ ଗ୍ରାମବାସୀ ରାତି ତମାମ ନିଆଁ ଜାଳି ଜଗି ରହିଥିଲେ। ଅନ୍ୟପଟେ ଏହାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖା ଦେଇଥିଲା।

publive-image

ଅନ୍ୟ କେଉଁଠି ଶବ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ଆଜି ସକାଳେ ପରିବାର ଲୋକଙ୍କୁ କହିଥିଲେ। ଏହି ଖବର ପାଇ ଝରିଗାଁ ତହସିଲଦାର ଭୀମସେନ ମାଝୀ, ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ କୁମାର ଶବର, ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା, ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର ପ୍ରମୁଖ ଗୁଲିବଡ଼ନା ଗ୍ରାମରେ ପହଞ୍ଚି ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଧର୍ମ ପରିବର୍ତ୍ତନ କରିଥିବାରୁ ଜିତରୁଙ୍କ ଶବଦାହ ଗାଁ ଶ୍ମଶାନରେ ହେବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ ଶୁଣାଇଥିଲେ। ପ୍ରଶାସନ ଓ ପୁଲିସ ଅଧିକାରୀ ୫ ଘଣ୍ଟା ଧରି ବୁଝାସୁଝା କରିବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଜିତରୁଙ୍କ ଶବକୁ ଗାଁ ଶେଷ ମୁଣ୍ଡ‌କୁ ନେଇ ଏକ ଖୋଲା ସ୍ଥାନରେ ଅନ୍ତିମ ସଂସ୍କାର କରିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଏହି ସ୍ଥାନଟି ପଡ଼ୋଶୀ ନିରପଦର ଗ୍ରାମର ଜମି ହୋଇଥିବାରୁ ଗ୍ରାମବାସୀ ଆସି ଶବ ସତ୍କାର ପାଇଁ ମନା କରି ଦେଇଥିଲେ। ଫଳରେ ଶବ ବହୁ ସମୟ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ପଡ଼ି ରହିଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଜିତରୁଙ୍କ ଶବକୁ ଆମ୍ବୁଲାନ୍ସରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଫ୍ରିଜରରେ ରଖିଥିବା ସୂଚନା ମିଳିଛି। ସମସ୍ୟାର ସମାଧାନ ହେଲେ ଶବଦାହ ହେବ ନଚେତ୍‌ ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଶବଦାହ ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ସାଗର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe