ବାତ୍ୟା ବିପଦ ଟଳିଲା

ବାତ୍ୟା ବିପଦ ଟଳିଲା

Photo by : Rediff.com

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ଆପାତତଃ ଟଳିଛି। ବରଂ ଏହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାବେଳକୁ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ। ପରବର୍ତୀ ସମୟରେ ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଏହିପରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷିବ ଲଘୁଚାପ। ପ୍ରାୟ ୫ ଦିନ ଧରି ଏହି ବର୍ଷା ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଲାଗି ରହିବ। ଏହି ସମୟରେ ଉପକୂଳରେ ପବନର ବେଗ ଘଣ୍ଟାକୁ ସର୍ବାଧିକ ୫୫ କି.ମି. ପର୍ଯ୍ୟନ୍ତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ। ଆସନ୍ତାକାଲି ସନ୍ଧ୍ୟାବେଳକୁ ପ୍ରଥମେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର

ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୯ ତାରିଖରେ ଏହା ଉପକୂଳ ଏବଂ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ ଆଦି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ। ସେତେବେଳକୁ ଅବପାତଟି ସ୍ଥଳଭାଗକୁ ଆସିସାରିଥିବ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତିି ଡ. ସାହୁ। ୧୮ ଓ ୧୯ ତାରିଖରେ ପ୍ରବଳ ବର୍ଷା ହେବ। ଅବପାତ ସହିତ ଘୂର୍ଣ୍ଣିବଳୟ ରହୁଥିବାରୁ ତା’ର ପ୍ରଭାବରେ ବର୍ଷା ୨୩ ତାରିଖ ଯାଏଁ ଲାଗି ରହିବ। ସେତେବେଳକୁ ବର୍ଷାର ପରିମାଣ କମିଯାଇଥିବ।

ସୂଚନାନୁସାରେ ଲଘୁଚାପ ଚେନ୍ନାଇ ନିକଟ କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଥିବା ବେଳେ ଏହା ସ୍ପଷ୍ଟଚିହ୍ନିତ ହେବା ପରେ ଦକ୍ଷିଣ ଦିଗକୁ ସାମାନ୍ୟ ଗତି କରିଛି। ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳବର୍ତୀ ଅଞ୍ଚଳରେ ଘଣ୍ଟାକୁ ପବନ ୩୫ରୁ ୪୫ କି.ମି. ଏବଂ ସର୍ବାଧିକ ୫୫ କି.ମି. ବେଗରେ ବହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ସତର୍କତାର ସହିତ ଯିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ନେଇ ଯେଉଁ ଆଶଙ୍କା ଉପୁଜିଥିଲା ତାହା ପ୍ରାୟତଃ ଟଳିଯାଇଛି। ଏ ନେଇ ନିର୍ଦେଶକ ଡ. ସାହୁ କହିଛନ୍ତି ଯେ ଏହି ଲଘୁଚାପ ଗୋଟିଏ ସ୍ଥାନରେ ୩/୪ ଦିନ ଧରି ସ୍ଥିର ରହିବା ସହିତ ଏହାର ଉପର ଏବଂ ତଳ ବାୟୁର ବେଗ ମଧ୍ୟରେ ଯେଉଁ ତାରତମ୍ୟ ଦେଖାଦେଲା ସେଥିପାଇଁ ଲଘୁଚାପ ବାତ୍ୟା ରୂପ ଧାରଣ କରିପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe