ଆର୍‌ଜିଏଚ୍‌ରେ ମିଳୁନି ଡେଙ୍ଗୁ ପରୀକ୍ଷା କିଟ୍‌, ଦୈନିକ ଫେରୁଛନ୍ତି ୩୦ରୁ ୪୦ ରୋଗୀ

Advertisment

ଘରୋଇ ହସ୍ପିଟାଲ ଦାବି କରୁଛନ୍ତି ୪୫୦ରୁ ୧୮୦୦ଟଙ୍କା

ଘରୋଇ ହସ୍ପିଟାଲ ଦାବି କରୁଛନ୍ତି ୪୫୦ରୁ ୧୮୦୦ଟଙ୍କା

ଆଜି ବିଶ୍ବ ମ୍ୟାଲେରିଆ ଦିବସ: ସଂକ୍ରମଣରେ ମାଲକାନଗିରି ସ୍ଥିର, ଉପରକୁ ଉଠିଲା ରାୟଗଡ଼ା

rappler.com

ରାଉରକେଲା: ସ୍ମାର୍ଟସିଟି ବାସିନ୍ଦାଙ୍କୁ ଏବେ ଘାରିଛି ଡେଙ୍ଗୁ ଚିନ୍ତା। ପୂର୍ବ ଅପେକ୍ଷା ସହରରେ ଡେଙ୍ଗୁ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ତଥାପି ଲୋକଙ୍କ ମନରୁ ଡେଙ୍ଗୁ ଭୟ ଦୂର ହୋଇନାହିଁ। ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେବା ମାତ୍ରେ ଡେଙ୍ଗୁ ପରୀକ୍ଷା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ଆସୁଛନ୍ତି। ଦୈନିକ ୧୦ କି ୨୦ ନୁହେଁ ପ୍ରାୟ ୪୦ରୁ ଅଧିକ ପୁରୁଷମହିଳା, ବୃଦ୍ଧବୃଦ୍ଧା ଓ ପିଲାମାନେ ଡେଙ୍ଗୁ ପରୀକ୍ଷା (ଏଲିସା ଟେଷ୍ଟ) ପାଇଁ  ପରୀକ୍ଷା କେନ୍ଦ୍ରରେ ଲାଇନ ଲଗାଉଛନ୍ତି। ଗତ ୮ରୁ ଅଧିକ ଦିନ ହେବ ଏଲିସା ଟେଷ୍ଟ ପାଇଁ  ଆବଶ୍ୟକ କିଟ୍‌, କେମିକାଲ୍‌ ନଥିବାରୁ ରୋଗୀମାନେ ଫେରିଯିବାକୁ ବାଧ୍ୟ ହେଉଛନ୍ତି।

କିଛି ଲୋକ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ କେବେ ଆସିବ ବୋଲି ପଚାରୁଛନ୍ତି। ହେଲେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି। କେବଳ ୨/୩ଦିନ ପରେ ଆସନ୍ତୁ ବୋଲି କହି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ପାଖରେ ଟଙ୍କା ନଥିବାରୁ କିଛି ଗରିବ ରୋଗୀ ଘରୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଆଉ କିଛି ଲୋକ ଧାର ଉଧାର କରି ଘରୋଇ ହସ୍ପିଟାଲ, କ୍ଲିନିକ୍‌ରେ ଡେଙ୍ଗୁ  ‌ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୨୦ରୁ ଅଧିକ ରୋଗୀ ଡେଙ୍ଗୁ ପରୀକ୍ଷା କରିବାକୁ ଯାଇ ଘରୋଇ ହସ୍ପିଟାଲ ଦ୍ବାରା ଶିକାର ହେଉଛନ୍ତି। ଆଶ୍ଚର୍ଯ୍ୟ କଥା ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ରହିଛି। ଘରୋଇ ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକ କିଟ୍‌ ଅଭାବର ଭରପୁର ଫାଇଦା ଉଠାଉଛନ୍ତି। ଜଣ ପିଛା ୪୫୦ ଟଙ୍କାରୁ ୧୮୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିବା କିଛି ରୋଗୀ ଅଭିଯୋଗ କରିଛନ୍ତି।

ସପ୍ତାହରୁ ଅଧିକ ଦିନ ଧରି ଏଭଳି ସମସ୍ୟା ଆର୍‌ଜିଏଚ୍‌ରେ ଜାରି ରହିଥିଲେ ହେଁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସଂକ୍ରାନ୍ତରେ ଆର୍‌ଜିଏଚ୍‌ ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ପ୍ରାୟ ୭ ଦିନ ହେବ କିଟ୍‌ ଓ କେମିକାଲ୍‌ ନଥିବାରୁ ଡେଙ୍ଗୁ ପରୀକ୍ଷା ହୋଇପାରୁ ନାହିଁ। ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଓ କେମିକାଲ୍‌ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିସାରିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପରୀକ୍ଷା କରାଯିବ। ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ ଉପରେ ରାଉରକେଲା ସମେତ ଏହାର ଆଖପାଖର  ହଜାର ହଜାର ଲୋକ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଗତ ପ୍ରାୟ ଦୁଇମାସ ତଳେ ରେଲୱେ କଲୋନୀ, ମାଲଗୋଦାମ,  ମଧୁସୂଦନପାଲୀ, ବନ୍ଧମୁଣ୍ଡା ଓ ଇସ୍ପାତ ସହରାଞ୍ଚଳରେ ଡେଙ୍ଗୁ ତା’ର କାୟା ମେଲାଇ ଚାଲିଥିଲା। ଦିନକୁ ପ୍ରାୟ ୧୦ରୁ ୨୦ ଡେଙ୍ଗୁ ରୋଗୀ ଚିହ୍ନଟ ‌ହେଉଥିଲା।

ପ୍ରତିକାର ପାଇଁ ଆର୍‌ଏମ୍‌ସି ଓ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିଲେ। ଆର୍‌ଜିଏଚ୍‌ରେ ପାଖାପାଖି ୬୦୦ରୁ ଅଧିକ ଡେଙ୍ଗୁ ଚିହ୍ନଟ ହୋଇଥିଲା। ଅନୁରୂପ ଭାବେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ମଧ୍ୟ ଚିହ୍ନଟ ସଂଖ୍ୟା କିଛି କମ୍ ନଥିଲା। ସହରକୁ ଡେଙ୍ଗୁ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଓ ଆର୍‌ଏମ୍‌ସି କାମ କରୁଥିଲା ବେଳେ ସ୍ବାସ୍ଥ୍ୟ ବିଭାଗ ସେତେଟା ଗୁରୁତ୍ବ ଦେଉ ନଥିବା ଭଳି ମନେ ହେଉଛି। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଏଥିପ୍ରତି ପ୍ରାଥମିକତା ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe