ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ର : କୋଠା ଅଛି, ଡାକ୍ତର ନାହାନ୍ତି

ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ର : କୋଠା ଅଛି, ଡାକ୍ତର ନାହାନ୍ତି

ନିରାକାରପୁର : ଖୋର୍ଦ୍ଧାଜିଲ୍ଲା ଉପଖଣ୍ତର ନିରାକାରପୁର ଏକ ପ୍ରମୁଖ ଅଞ୍ଚଳ। ଭୈାଗୋ‌ଳିକ ଦୃଷ୍ଟିକୋଣରୁ ଏହା ଉପରେ ୨୦ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏଠାରେ ଏକ ଡାକ୍ତରଖାନା ଖୋଲା ଯାଇଛି। ମାତ୍ର କୌଣସି ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ନ ଥିବାରୁ ଡାକ୍ତରଖାନା କେବଳ କୋଠାସର୍ବସ୍ବ ହୋଇଛି।

ଡାକ୍ତର ନ ଥିବାରୁ ଦୀର୍ଘଦିନ ଧରି ଏଠାରେ ଜଣେ ଫାର୍ମାସିଷ୍ଟ୍‌ ରୋଗୀ ସେବା କରୁଛନ୍ତି। ସାଧାରଣ ଥଣ୍ଡା, ଜ୍ବର ହେଲେ ହେଲେ ଲୋକେ ଏଠାରୁ ୨୦ କିଲୋମିଟର ଦୂର ଟାଙ୍ଗୀ ଗୋଷ୍ଠୀ ‌ ସ୍ବାସ୍ଥ୍ୟକେନ୍ଦ୍ର ନଚେତ୍‌ ୩୦ କିଲୋମିଟର ଦୂର ଖୋର୍ଦ୍ଧା ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହୋଇଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ସମ୍ମୁଖରେ ନୂଆ ଜଗନ୍ନାଥ ସଡ଼କ ଏବଂ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଥିବାରୁ ଏଠାରେ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଚିକିତ୍ସା ଅଭାବରୁ ମଧ୍ୟ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ୍ (ଏନ୍‌ଆର୍‌ଏଚ୍‌ଏମ୍‌) ରେ ୭୫ ଲକ୍ଷ ଟଙ୍କା ବିନିମୟରେ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ପାଇଁ ୨୦୧୫ ମସିହାରେ ବାସଗୃହ ନିର୍ମାଣ ସରିଛି। ଏହା ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଥିବା ବେଳେ ଏଠାରେ ଡାକ୍ତରଙ୍କର ଦେଖାନାହିଁ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe