ମା’ ଭଗବତୀ: ଦେବୀଙ୍କ ଆୟ-ବ୍ୟୟର ଅଡିଟ୍ ନାହିଁ, ଭେଟିଠୁ ବାଟିବାଟି ଜମି

Advertisment

ସମ୍ପତ୍ତି ତାଲିକା ବେଶ୍ ଲମ୍ବା, ବାବୁ ବଦଳୁଛନ୍ତି, ହେଲେ ଚପିଛି ଅଡିଟ୍‌ ଫାଇଲ୍

ସମ୍ପତ୍ତି ତାଲିକା ବେଶ୍ ଲମ୍ବା, ବାବୁ ବଦଳୁଛନ୍ତି, ହେଲେ ଚପିଛି ଅଡିଟ୍‌ ଫାଇଲ୍

ମା’ ଭଗବତୀ: ଦେବୀଙ୍କ ଆୟ-ବ୍ୟୟର ଅଡିଟ୍ ନାହିଁ, ଭେଟିଠୁ ବାଟିବାଟି ଜମି

ବାଣପୁର (ବିକାଶ ଚନ୍ଦ୍ର ସାହୁ): ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ମା’ ଭଗବତୀ ଅମାପ ସମ୍ପତ୍ତିର ମାଲିକାଣି। ବାଟି ବାଟି ଜମିବାଡ଼ିଠାରୁ ଆରମ୍ଭ କରି ସ୍ବର୍ଣ୍ଣ ଅଳଙ୍କାରର ଭେଟି, ଦୋକାନ ବାଡି ଆଦି ମା’ଙ୍କର ଅଛି କେତେ କ’ଣ ସମ୍ପତ୍ତି ତାଲିକା। ପ୍ରତ୍ୟେକ ବର୍ଷ ଆୟ ହେଉଛି, ବ୍ୟୟ ବି। କିନ୍ତୁ, ଦେବୀଙ୍କ ମନ୍ଦିରର ଆୟବ୍ୟୟର ଅଡିଟ୍ ନାହିଁ। ୨୦୧୫ ମସିହା ପରଠାରୁ ଖାତା ଖତିୟାନ ତନଖା ଯାଇନାହିଁ। ଇତିମଧ୍ୟରେ ନଅ ବର୍ଷ ବିତି ଯାଇଥିଲେ ହେଁ, ଦେବୀଙ୍କ ସମ୍ପତ୍ତି ଆୟବ୍ୟୟର ଅଡିଟ୍ ନ ହେବା ଦକ୍ଷେଶ୍ବର ଭଗବତୀ ଏଣ୍ଡାଓମେଣ୍ଟ୍‌ର ଦାୟିତ୍ବହୀନତାକୁ କେବଳ ସୂଚାଉ ନାହିଁ, ବରଂ ପ୍ରାୟ ଦଶନ୍ଧିକାଳ କାଗଜପତ୍ର ଅଡିଟ୍ ନ କରାଇବାକୁ ନେଇ ସନ୍ଦେହ ବି ତିଆରି ହେଲାଣି। ଦାନ ସୂତ୍ରରେ ମା’ଙ୍କ ଦରବାରକୁ ଆସୁଥିବା ସୁନାଗହଣା ଅଳଙ୍କାର ଓ ଅନ୍ୟାନ୍ ସମ୍ପତ୍ତି ସବୁ ଠିକ୍‌ଠାକ୍‌ ଅଛି ତ? ତାହାକୁ ନେଇ ଭକ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ରାଜା ରାଜୁଡ଼ା ଅମଳର ଏ ଦେବୀ ପ୍ରତ୍ୟକ୍ଷ। କେବଳ ବାଣପୁର କିମ୍ବା ଖୋର୍ଦ୍ଧା ନୁହେଁ, ପୂରା ଓଡ଼ିଶାରେ ଦେବୀଙ୍କ ମାହାତ୍ମ୍ୟ ସର୍ବଜନବିଦିତ। ଏଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ବାଣପୁରକୁ ଛୁଟି ଆସନ୍ତି। ମନସ୍କାମନା ପୂର୍ଣ୍ଣତା ଯୋଗୁ ଏଠି ଦେବୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଢାଳି ଦିଅନ୍ତି ସୁନା, ରୂପା ଗହଣା। ଏ ସବୁ ଭେଟି ବାଦ୍‌ ଦେବୀଙ୍କର ବାଟି ବାଟି ସମ୍ପତ୍ତିର ସମ୍ଭାର ରହିଛି। ସେହିପରି ଦେବୀଙ୍କ ନାଁରେ ହୋଇଛି ଦୋକାନ ଘର। ମନ୍ଦିର ପରିସରରେ ଥିବା ପୂଜା ଭଣ୍ଡାର ବି ଯାଉଛି ନିଲାମ୍‌ରେ। ସେଥିରୁ ବି ବାର୍ଷିକ ଭଡ଼ା ଆଦାୟ ହେଉଛି। ଦେବୀଙ୍କ ବିଲରୁ ଆଦାୟ ଧାନ ବି ଏକ ପ୍ରକାର ଆୟ ଶ୍ରେଣୀର। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ମା’ଙ୍କ ନାଁରେ ରୋଜଗାର ହୋଇ ଚାଲିଛି। ଆୟ ଭଳି ମନ୍ଦିରର ବ୍ୟୟ ବି ଚାଲିଛି। ଏଣ୍ଡାଓମେଣ୍ଟ୍ ବିଭାଗର ସୂଚନା ମୁତାବକ, ପ୍ରତ୍ୟେକ ଦିନ ଦକ୍ଷେଶ୍ବର ଏବଂ ମା’ ଭଗବତୀଙ୍କ ମନ୍ଦିର ଭୋଗ ପାଇଁ ଚାଉଳ ଏଣ୍ଡାଓମେଣ୍ଟରୁ ଦିଆଯାଉଛି। ଭୋଗ ସହିତ ପନିପରିବା ପାଇଁ ବି ଦିଆଯାଉଛି ଟଙ୍କା। ମଙ୍ଗଳବାର ଦିନ ଦେବୀଙ୍କ ଚଳନ୍ତି ପ୍ରତିମା ମା’ କାଠି ଠାକୁରାଣୀ ନିଜ ପିତ୍ରାଳୟ ଦକ୍ଷେଶ୍ବର ମନ୍ଦିରରୁ ଭଗବତୀଙ୍କ ପୀଠକୁ ଗମନ କରନ୍ତି। ସେଥିପାଇଁ କୁଆଡ଼େ ଅଧିକ ଭୋଗ ପାଇଁ ଅର୍ଥ ବିନିମୟ କରାଯାଉଛି।

କିନ୍ତୁ, ଆଦାୟ ଏବଂ ଖର୍ଚ୍ଚ ଅର୍ଥର ହିସାବ ଠିକ୍‌ କି’ ଭୁଲ୍ ତାହାର ତର୍ଜମା ଗଲା ୯ବର୍ଷ ହେଲା ହୋଇନାହିଁ। ଏଣ୍ଡାଓମେଣ୍ଟ୍‌ କମିସନ ନିୟମ କହୁଛି, ପ୍ରତ୍ୟେକ ବର୍ଷ ନଚେତ୍‌ ପ୍ରତି ଦୁଇବର୍ଷରେ ଆୟବ୍ୟୟର ଅଡ଼ିଟ୍‌ ହେବା କଥା। ସରକାରୀ ଇତିମଧ୍ୟରେ ଏଣ୍ଡାଓମେଣ୍ଟ୍‌ର ନିର୍ବାହୀ ଅଧିକାରୀ ବି ଥରକୁ ଥର ବଦଳିଲେଣି। ଗଲା ୨୦୨୧ ମସିହାରୁ ବାଳମୁକୁନ୍ଦ ଦାସ ନୂଆ ନିର୍ବାହୀ ଅଧିକାରୀ ଭାବେ ନିୟୋଜିତ ହେଲେଣି। ଅଧିକାରୀ ବଦଳିଲେଣି, କିନ୍ତୁ କିନ୍ତୁ, ଗଲା ନଅବର୍ଷ ହେଲା ଦେବୀଙ୍କ ଆୟ-ବ୍ୟୟର ଅଡିଟ୍ କରାନଯିବା ଭକ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ବିଭାଗ ଅଡିଟ୍‌କୁ ଏତେ ଅବହେଳା କାହିଁକି କରୁଛି? ସେନେଇ ପ୍ରଶ୍ନ ଉଠିଲାଣି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ଗଲା୨୦୧୫ ମସିହାରେ ଶେଷ ଥର ପାଇଁ ମନ୍ଦିରର ଅଡିଟ୍ ହୋଇଥିଲା। ମୁଁ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାର ଛଅବର୍ଷ ପୂର୍ବରୁ ବି ଅଡିଟ୍ ହୋଇନାହିଁ ବୋଲି କେବଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe