ଏଠି ବିଜୁଳି ସ୍ବପ୍ନ: ଚିତ୍ରକୋଣ୍ଡା ବ୍ଲକର ୪୭ ଗାଁରେ ଡିବିରି ଭରସା

ଏଠି ବିଜୁଳି ସ୍ବପ୍ନ: ଚିତ୍ରକୋଣ୍ଡା ବ୍ଲକର ୪୭ ଗାଁରେ ଡିବିରି ଭରସା

ମାଲକାନଗିରି: ବିକାଶ ନେଇ ୨୩ ବର୍ଷର ରାଜ୍ୟ ସରକାର ବଡ଼ ବାହାସ୍ପୋଟ ମାରୁଥିଲା ବେଳେ ମାଲକାନଗିରି ଜିଲ୍ଲାର ବ୍ଲକର ୪୭ଟି ଗାଁରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏହିଗାଁ ଗୁଡ଼ିକରେ ଲୋକେ ଡିବିର ନିଆଁକୁ ରାତିରେ ଆଲୋକର ମାଧ୍ୟମ କରିଥାନ୍ତି। ଡିବିରିରେ ଖାଆନ୍ତି ଓ ପିଲାମାନେ ପାଠପଢ଼ନ୍ତି।

ଚିତ୍ରକୋଣ୍ଡାକୁ ସ୍ବତନ୍ତ୍ର ବ୍ଲକ ଭାବେ ୨୦୧୪ ମସିହାରେ ଘୋଷଣା ପରେ ଏହା ସଂପୂର୍ଣ୍ଣ ରୂପେ ୨୦୧୫ ବେଳକୁ କାର୍ଯ୍ୟକାରୀ ଆରମ୍ଭ ହୋଇଥିଲା। ୧୮ଟି ପଞ୍ଚାୟତକୁ ନେଇ ଏହି ଚିତ୍ରକୋଣ୍ଡା ବ୍ଲକ ଗଠିତ ହୋଇଛି। ତେବେ ୯ଟି ପଞ୍ଚାୟତ ସଂପୂର୍ଣ୍ଣ ରୂପେ ବାଲିମେଳା ଜଳଭଣ୍ଡାର ଦ୍ବାରା ଘେରି ରହିଥିବାରୁ ଏହା ସଂପୂର୍ଣ୍ଣ ରୂପେ ବିଛିନ୍ନ ହେବା ସହ ନକ୍ସଲଙ୍କର ଗଡ ବନିଥିଲା। ଏବେ କିନ୍ତୁ ସବୁ ପରିସ୍ଥିତି ବଦଳିଥିବା ବେଳେ ବିକାଶ ଜୋରସୋରରେ ଚାଲିଛି। ତେବେ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଚିତ୍ରକୋଣ୍ଡା ବ୍ଲକର ୪୭ଟି ଗ୍ରାମକୁ ଆଜି ବି ବିଦ୍ୟୁତ ପହଞ୍ଚିପାରି ନାହିଁ।

ସରକାର ସମସ୍ତ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦେବା ନେଇ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଆଜି ବି ଏହି ଗ୍ରାମର ଲୋକେ ଅନ୍ଧାରରେ ରହିଆସୁଛନ୍ତି। ଏପରିକି ରାତିରେ ଡିବିରିରେ ହିଁ ସମସ୍ତ କାମ କରୁଛନ୍ତି। ଖାଇବା ଠାରୁ ଆରମ୍ଭ କରି ପିଲାମାନେ ପାଠ ପଢିବା ପର୍ଯ୍ୟନ୍ତ ସମସ୍ତ କାମ ଡିବିରିରେ ହିଁ ହୁଏ।ଯଦି ରିପୋର୍ଟକୁ ଦେଖିବା ଏହି ବ୍ଲକର ବଡପଡା ପଞ୍ଚାୟତର ରାଙ୍ଗନିଗୁଡା, ରେଖାପାଲୀ କଲୋନି,  ମେଡାଗୁଡା, ମୁତାଆମ୍ବ, ବଡପଡା, ସିରିଲିମେଟା, ବୋଲିଗୁମା, କାରଲାମାଲ, ଗଜେଡ ଗ୍ରାମରେ ବିଦ୍ୟୁତ ପହଞ୍ଚି ନାହିଁ।

ସେହିପରି ପେପରମେଟଲା ପଞ୍ଚାୟତର ଯନ୍ତାପାଇ, ପେପରମେଟଲା।ପଣସପୁଟ ପଞ୍ଚାୟତର ସିନ୍ଧିପୁଟ, ପଣସପୁଟ, ମୁଦିଗୁମା, ମୁକୁଡୁପାଲୀ, ମୁଲାପୁଟ, ଗୋରାସେତୁ, ଜାମଗୁଡା, ମସୁରିଗୁଡା, ଜାମଗୁଡା, ଡୋକାନ, ଦୋରାବାସା, ସିଙ୍ଗୋଇ, ହାଟପଦା, କୁମୁଡାଗୁଡା, ଟାଙ୍କୁଗୁଡା, ସାଲଗାମପୁଟ, ଖମାରିମାଲ, ପେଟାଲ, ରାଙ୍ଗନିଗୁଡା-୨, ଲାଙ୍ଗିଗୁଡା, ଦୋରାଘାଟ, ମାଝିଗୁଡା, ଜଲାଗୁଡା, ସିଲମେଟା, ସଙ୍ଗମଗୁଡା। ରାଲଗେଡା ପଞ୍ଚାୟତର ଗଜେଡ, ଟେକପଡା ଏବଂ ଯଡାମ୍ବ ପଞ୍ଚାୟତର ରାଙ୍ଗନିଗୁଡା, ଗାଜଲମାମୁଡି, ସିଙ୍ଗୋଇ, ଆଞ୍ଜାରିଗୁଡା, ଆମ୍ବପଦର, ପୂଜାରିଗୁଡା, ପୋଡାଖାଲ ତଥା ଅଣ୍ଡ୍ରାପାଲୀ ପଞ୍ଚାୟତର ସନ୍ୟାସୀଗୁଡା ଗ୍ରାମରେ ଆଜି ବି ବିଦ୍ୟୁତ ପହଞ୍ଚିପାରି ନାହିଁ।

ଲୋକେ ରାତି ଅନ୍ଧାରରେ ହିଁ ଯିବା ଆସିବା କରନ୍ତି। ଏହି ଗ୍ରାମଗୁଡିକର ପିଲାମାନେ କିପରି ପାଠ ପଢୁଥିବେ ଏବଂ କିପରି ବଢିବେ ସହଜରେ ଅନୁମେୟ।ଗାଁ ଗାଁକୁ ବିଜୁଳି ପହଞ୍ଚାଇବା ନେଇ ସରକାରଙ୍କ ନିର୍ଦେଶ ପରେ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏହି ଗ୍ରାମବାସୀମାନେ କେବେ ବିଦ୍ୟୁତ ସେବା ପାଇବେ ତାହା ଭଗବାନଙ୍କୁ ହିଁ ଜଣା। ଏହି ସବୁ ଅଂଚଳ ଦୁର୍ଗମ ହୋଇଥିବା ବେଳେ ରାତି ହେଲେ ହିଂସ୍ରଜନ୍ତୁଙ୍କର ଭୟ ମଧ୍ୟ ରହିଥାଏ। ପୁଣି ରାତିର ଅନ୍ଧାରରେ ନକ୍ସଲଙ୍କର ଭୟ ମଧ୍ୟ ରହିଥାଏ। ସଂଧ୍ୟା ୬ଟା ହେଲେ ଗ୍ରାମବାସୀମାନେ ରାତ୍ରି ଭୋଜନ ସାରି ଶୋଇପଡୁଥିବା କହନ୍ତି।

publive-image

ତେବେ ଏହି ଗ୍ରାମବାସୀମାନେ ଆଜି ବି କିରୋସିନି ଉପରେ ହିଁ ନିର୍ଭର କରନ୍ତି। କେତେବେଳେ ତ ପଞ୍ଚାୟତରୁ କିରୋସିନି ପାଆନ୍ତି ଆଉ କେତେବେଳେ ପଡୋଶୀ ଆନ୍ଧ୍ରରୁ କିରୋସିନି ଆଣି ଘରର କାମରେ ଲଗାନ୍ତି। ଏପରିକି ଏହି ଗ୍ରାମବାସୀମାନେ ଖଣ୍ଡେ ଖଣ୍ଡେ ସରକାରଙ୍କ ତରଫରୁ ମୋବାଇଲ ଫୋନ ମଧ୍ୟ ପାଇଛନ୍ତି। ଏହି ଫୋନ କୌଣସି କାମକୁ ନଥିବା କହନ୍ତି। କିଛି ଲୋକ ନିଜର ମୋବାଇଲକୁ ବିକ୍ରି ମଧ୍ୟ କରିଥିବା ସ୍ବୀକାର କରନ୍ତି। ବିଦ୍ୟୁତ ନଥିବା ବେଳେ ଏହାର କାମ କିଛି ନାହିଁ ବୋଲି କହନ୍ତି। ଆଉ କିଛି ଲୋକ ଚିପ ପକାଇ ଅନ୍ୟ ଗାଁକୁ ଯାଇ ମୋବାଇଲ ଚାର୍ଜ କରି ଗୀତ ଶୁଣୁଥିବା କହନ୍ତି।

ଆଜିର ଯୁଗରେ ବିଦ୍ୟୁତ ଏକ ଅତ୍ୟାବଶକୀୟ ଜିନିଷ ହୋଇଥିବା ବେଳେ ଏହି ଲୋକଙ୍କ ପାଇଁ ଏହା ଆଜି ବି ଅଦରକାରୀ ଭଳି ମନେ ହୁଏ। ଏହି ଗ୍ରାମଗୁଡିକରେ ଆଜି ବି ଲୋକେ ଟିଭି ଦେଖନ୍ତି ନାହିଁ। ବିଦ୍ୟୁତ ନଥିବାରୁ ଗାଁରେ କୌଣସି ବିଦ୍ୟୁତିକ ଯନ୍ତ୍ରାଂଶ ନଥିବା ଦେଖିବାକୁ ମିଳେ। ଲୋକଙ୍କର ଏଭଳି ଜିନିଷ ପ୍ରତି ମନ ରହିଥିଲେ ମଧ୍ୟ ସେମାନେ ବିଦ୍ୟୁତ ନଥିବାରୁ ଏହାକୁ ବ୍ୟବହାର କରିପାରୁନଥିବାରୁ ଦୁଃଖିତ ବୋଲି କହନ୍ତି। ଏନେଇ ବିଦ୍ୟୁତ ବିଭାଗକୁ ପଚାରିବାରୁ ଏନେଇ ସର୍ଭେ ସରିଥିବା କୁହାଯାଇଛି। ଆଗାମୀ ଦିନରେ ଏହି ଗ୍ରାମଗୁଡିକକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି କୁହାଯାଇଛି।  ଚିତ୍ରକୋଣ୍ଡା ବ୍ଲକର ଏହି ୪୭ ଗ୍ରାମର ଲୋକେ କେବେ ବିଦ୍ୟୁତ ସେବା ପାଇବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe