ଶ୍ରୀମନ୍ଦିର ରୋଷଘରକୁ ମିଳୁନି ଜାଳେଣି କାଠ

Advertisment

ରଥଯାତ୍ରା ପ୍ରଥମ ସମନ୍ଵୟ କମିଟି ବୈଠକ

ରଥଯାତ୍ରା ପ୍ରଥମ ସମନ୍ଵୟ କମିଟି ବୈଠକ

ଶ୍ରୀମନ୍ଦିର ରୋଷଘରକୁ ମିଳୁନି ଜାଳେଣି କାଠ

ପୁରୀ: ଶ୍ରୀମନ୍ଦିର ରୋଷଘରକୁ ଜାଳେଣି କାଠର ସମସ୍ୟା ଦେଖାଦେଇଛି। ସାଧାରଣତଃ ତାଳ ଅବା ଝାଉଁ କାଠ ରୋଷେଇ ପାଇଁ ବ୍ୟବହାର ହେଉଥିବାବେଳେ ବଜାରରେ ଶାଳ, ପିଆଶାଳ କାଠ ମିଳୁଛି। ଏହା ପାଉଁଶ ପାଲଟି ପ୍ରସ୍ତୁତ ଅବଢ଼ାରେ ପଡ଼ିବା ସହ ଖାଦ୍ୟକୁ ନଷ୍ଟ କରୁଛି। ପୂର୍ବରୁ ବନ ନିଗମ ପକ୍ଷରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାରରେ ଏକ କାଠ ଡିପୋ ଖୋଲାଯାଇଥିଲା। କିନ୍ତୁ ଦୁଇ ବର୍ଷ ହେବ ଏହା ବନ୍ଦ ହୋଇଯାଇଛି। ଫଳରେ ଶ୍ରୀମନ୍ଦିରରେ ଅବଢ଼ା ରୋଷେଇରେ ଏହା ପ୍ରତିବନ୍ଧକ ସଦୃଶ ହୋଇଛି। କେବଳ ଶ୍ରୀମନ୍ଦିର ନୁହେଁ, ଶ୍ରୀକ୍ଷେତ୍ରରେ ଥିବା ମଠ, ମନ୍ଦିରରେ ବି ରୋଷେଇ ପାଇଁ ଜାଳେଣି ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି। ରଥଯାତ୍ରା ପ୍ରଥମ ସମନ୍ଵୟ କମିଟି ବୈଠକରେ ଆଜି ଏଭଳି ଅଭିଯୋଗ ଆଣିଛନ୍ତି ସୁଆର-ମହାସୁଆର ନିଯୋଗର କର୍ମକର୍ତା। ଏଣୁ ତୁରନ୍ତ ପୁନର୍ବାର ଦକ୍ଷିଣଦ୍ଵାରରେ କାଠ ଡିପୋ କାର୍ଯ୍ୟକ୍ଷମ କରିବାକୁ ଦାବି ରଖିଛନ୍ତି। ଚଳିତ ବର୍ଷ ଜୁଲାଇ ୧୪ରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡି.ଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରଥମ ସମନ୍ଵୟ ବୈଠକ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌, ଆରକ୍ଷୀ ଅଧୀକ୍ଷକ ସାର୍ଥକ୍‌ ଷଡ଼ଙ୍ଗୀ, ପୌରପାଳିକା ନଗରପାଳ ଜୟନ୍ତ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିଭୂତିଭୂଷଣ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ସେବାୟତ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ଆରମ୍ଭରୁ ଜାଳେଣି ସମସ୍ୟାକୁ ନେଇ ପାଟି ଖୋଲିଥିଲେ ସୁଆର-ମହାସୁଆର ନିଯୋଗର ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ, ସେବାୟତ ରଜତ ପ୍ରତିହାରୀ। ବନ ବିଭାଗ ସହ ଆଲୋଚନା କରି ଏ ଦିଗରେ ବିହୀତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଅନ୍ୟମାନେ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe