ଡାକ୍ତରଙ୍କ ନାମ, ଷ୍ଟାମ୍ପ୍‌ ନଥିଲେ ମାଗଣା ପରୀକ୍ଷା ହେବନି

Advertisment

ଘରୋଇ ନର୍ସିଂ ହୋମ୍‌ ବେଆଇନ୍‌ କାର୍ଯ୍ୟରେ ଅଙ୍କୁଶ

ଘରୋଇ ନର୍ସିଂ ହୋମ୍‌ ବେଆଇନ୍‌ କାର୍ଯ୍ୟରେ ଅଙ୍କୁଶ

ଡାକ୍ତରଙ୍କ ନାମ, ଷ୍ଟାମ୍ପ୍‌ ନଥିଲେ ମାଗଣା ପରୀକ୍ଷା ହେବନି

କଟକ : ଘରୋଇ ସଂସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀ ଜାଲ୍‌ ଟିକଟ ବଳରେ କଟକ ବଡ଼ ମେଡିକାଲରୁ ନେଉଥିଲେ ମାଗଣା ଓ ରିହାତି ରୋଗ ପରୀକ୍ଷା ସୁବିଧା। କଟକ ବଡ଼ ମେଡିକାଲ୍‌ ଆଉଟଡୋର ଟିକେଟ ଭଳି ନକଲି ପ୍ରେସ୍‌କ୍ରିପ୍‌ସନ୍‌ ପ୍ରସ୍ତୁତ କରି କେତେକ ଘରୋଇ ନର୍ସିଂ ହୋମ୍‌ ସେମାନଙ୍କ ରୋଗୀଙ୍କ ପାଇଁ କମ୍‌ ଦରରେ ଏକାଧିକ ପରୀକ୍ଷା କରାଇ ନେଉଥିଲେ। ଏଥିରେ ଏସ୍‌ସିବିର କିଛି ଡାକ୍ତର ମଧ୍ୟ ସଂପୃକ୍ତ ରହୁଥିବା ଅଭିଯୋଗ ହେଉଥିଲା। କିନ୍ତୁ ଏଭଳି ଘଟଣା ସଂପର୍କରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନଥିଲା। କିନ୍ତୁ ଜାନୁଆରି ୧ ତାରିଖରୁ ଏଭଳି କାରବାର ଉପରେ ଅଙ୍କୁଶ ଲଗାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ମେଡିକାଲ୍‌ ଟିକେଟ କିମ୍ବା ପରୀକ୍ଷା ସ୍ଲିପ୍‌ରେ ଡାକ୍ତରଙ୍କ ସଂପୂର୍ଣ୍ଣ ନାମ ଓ ଷ୍ଟାମ୍ପ୍‌ ଲଗାଯିବା ବାଧ୍ୟତାମୂଳକ କରିଦିଆଯାଇଛି। ଏହି ନିଷ୍ପତ୍ତିକୁ ଗୁରୁତ୍ୱର ସହ ନେବାକୁ ସୋମବାର ଅପରାହ୍ନରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ବସିଥିବା ବିଭାଗୀୟ ସମୀକ୍ଷା ବୈଠକରେ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇ ଦିଆଯାଇଛି।

ଯେଉଁ ଡାକ୍ତରମାନେ ସେମାନଙ୍କ ଟିକେଟରେ ଦସ୍ତଖତ ଦେଇନଥିବେ ଓ ଷ୍ଟାମ୍ପ୍‌ ଲଗାଇନଥିବେ ସେଗୁଡ଼ିକୁ ମାଗଣା ପରୀକ୍ଷା ପାଇଁ ବିଚାରକୁ ନିଆଯିବ ନାହିଁ। ତେଣୁ ରୋଗୀମାନେ ଟିକେଟ କିମ୍ବା ସ୍ଲିପ୍‌ ଆଣିବା ପୂର୍ବରୁ ସଂପୃକ୍ତ ଡାକ୍ତରଙ୍କ ଦସ୍ତଖତ ସହିତ ଷ୍ଟାମ୍ପ୍‌ ଲଗାଇବାକୁ କହିବେ। ଏଥିପାଇଁ ରୋଗୀମାନଙ୍କୁ ସଚେତନ କରାଇବାକୁ ମେଡିକାଲ୍‌ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ କହିଛନ୍ତି। ଏଥିସହିତ କିଡ୍‌ନୀ ସଂକ୍ରମିତ ରୋଗୀମାନେ ଡାଏଲିସିସ୍‌ କରିବାକୁ ଆସୁଥିବାବେଳେ ସେମାନଙ୍କ ପ୍ରତି ମଧ୍ୟ ତୀକ୍ଷ୍ମଣ ଦୃଷ୍ଟି ରଖାଯିବ। ମାଗଣା କରାଯାଇଥିବାରୁ ଘରୋଇ ନର୍ସିଂହୋମ୍‌ରୁ ରୋଗୀମାନେ ଏଠାକୁ ଡାଏଲାସିସ୍‌ କରିବାକୁ ଆସିବେ ଓ ସରିଯିବା ପରେ ପୁଣି ଫେରିଯିବା ଭଳି ପରିସ୍ଥିତି ସୃଷ୍ଟି ହେବ। ତେଣୁ ରୋଗୀମାନେ ଏସ୍‌ସିବିରେ ଭର୍ତ୍ତି ହୋଇ କିପରି ସରକାରଙ୍କ ଏହି ସୁବିଧାର ଫାଇଦା ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe