ଜିଲ୍ଲା ଗଠନର ୨୪ ବର୍ଷ ପରେ ବି ଝାରସୁଗୁଡ଼ା ଜିଲ୍ଲାରେ ନାହିଁ ସରକାରୀ କଲେଜ

ଜିଲ୍ଲା ଗଠନର ୨୪ ବର୍ଷ ପରେ ବି ଝାରସୁଗୁଡ଼ା ଜିଲ୍ଲାରେ ନାହିଁ ସରକାରୀ କଲେଜ

ଝାରସୁଗୁଡ଼ା : ଜିଲ୍ଲା ଗଠନ ହେବାର ୨୪ ବର୍ଷ ବିତିଗଲା। ମାତ୍ର ସରକାରୀ କଲେଜଟିଏ ନାହିଁ। ଏହି ଜିଲ୍ଲାରେ ରହିଛି କୋଇଲା ଖଣି, ଅନେକ ଛୋଟ ବଡ଼ ଶିଳ୍ପ। ଶିଳ୍ପକୁ ନେଇ ଗଢ଼ି ଉଠିଛି ସହର ଓ ବଜାର। ମାତ୍ର ଏଠାକାର ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଆଦୌ ଉଦ୍ୟମ ହେଉନଥିବାରୁ ଜନସାଧାରଣଙ୍କୁ ନିରାଶ କରିଛି। ଏହି ଜିଲ୍ଲା ରାଜ୍ୟର ଏକମାତ୍ର ଜିଲ୍ଲା ଯେଉଁ ଜିଲ୍ଲାରେ ଗୋଟିଏ ମଧ୍ୟ ସରକାରୀ କଲେଜ ନାହିଁ। ୧୯୯୪ରେ ଜିଲ୍ଲା ଘୋଷଣା ହେଲା ସମୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଝାରସୁଗୁଡ଼ା ମହିଳା କଲେଜକୁ ସରକାରୀ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୨୪ ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି କଲେଜକୁ ସରକାରୀ କରାଯିବାକୁ ଅନେକ ଥର ସ୍ୱର ଉଠି ପୁଣି ବନ୍ଦ ହୋଇ ଯାଇଛି। ମହିଳା କଲେଜ ପ୍ରତିଷ୍ଠା ହୋଇଥିଲା ୧୯୮୨ରେ। ଇତିମଧ୍ୟରେ କଲେଜକୁ ପୂରିଛି ୩୬ ବର୍ଷ। ଅବଶ୍ୟ କଲେଜରେ ଅନେକ ବିକାଶ ହୋଇଛି। କୋଠା ନିର୍ମାଣ ଠାରୁ ଶିକ୍ଷାଦାନ ପଯ୍ୟର୍ନ୍ତ ଅନେକ ସୁଧାର ହୋଇଛି, ମାତ୍ର ସରକାରୀ ମାନ୍ୟତା ପାଇନାହିଁ।

ସେହିପରି ଝାରସୁଗୁଡ଼ାର ସର୍ବପୁରାତନ କଲେଜ ହେଉଛି ଲକ୍ଷ୍ମୀନାରାୟଣ କଲେଜ। ପ୍ରତିଷ୍ଠା ହୋଇଥିଲା ୧୯୬୯ ମସିହାରେ। ଆଉ ମାତ୍ର ବର୍ଷେ ପରେ ଏହି କଲେଜକୁ ପୂରିବ ୫୦ ବର୍ଷ। ମାତ୍ର ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହିଛି। ଏହି କଲେଜର ନିଜସ୍ୱ ଘର ନାହିଁ। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ କୋଠାରେ ଭଡ଼ାରେ ଚାଲିଛି କଲେଜ। ଜମି ନଥିବାରୁ କଲେଜକୁ କୌଣସି ପ୍ରକାର ସୁବିଧା ସୁଯୋଗ ମିଳୁନାହିଁ। କଲେଜ ପକ୍ଷରୁ ଭଡ଼ା ବାବଦ ଲକ୍ଷ ଲକ୍ଷ ଟଙ୍କା ଯାନ୍ତ୍ରିକ ବିଦ୍ୟାଳୟକୁ ଦେବାର ଥିବା ବେଳେ ଏହି ଟଙ୍କା ଦିଆଯାଇ ପାରୁନାହିଁ। ଆଗାମୀ ଦିନରେ ନାକ୍‌ କମିଟି କଲେଜ ପରିଦର୍ଶନରେ ଆସିବାକୁ ଥିଲେ ମଧ୍ୟ ସମସ୍ୟା ସମାଧାନ ହେଲା ଭଳି ଜଣାପଡ଼ୁନାହିଁ। ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଏହି କଲେଜ ସରକାରୀ ମାନ୍ୟତା ପାଇବ କଣ ଆଜି ପଯ୍ୟର୍ନ୍ତ କଲେଜ ନିଜର କୋଠାଟିଏ କରି ପାରିନଥିବା ଘଟଣା ଏହି କଲେଜରୁ ପାଠ ପଢ଼ିଥିବା ହଜାର ହଜାର ପୁରାତନ ଛାତ୍ରଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଉଛି।

ଜିଲ୍ଲା ମୁଖ୍ୟାଳୟରେ ଥିବା ଏହି ଦୁଇଟି ଦୁଇଟି କଲେଜ ସହିତ ବ୍ରଜରାଜନଗର କଲେଜ ସରକାରଙ୍କ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହୋଇଥିଲେ ମଧ୍ୟ ସରକାରୀ ମାନ୍ୟତା ପାଇନାହିଁ। ଏହି ତିନୋଟି କଲେଜ ହେଉଛି କମ୍ପୋଜିଟ କଲେଜ ଅର୍ଥାତ ଯୁକ୍ତ ୨ ଓ ଯୁକ୍ତ ୩ ଉଭୟ କଲେଜରେ ଜଣେ ଅଧ୍ୟକ୍ଷ ପରିଚାଳନା କରୁଛନ୍ତି। ଜିଲ୍ଲାରେ ଆଜି ପଯ୍ୟର୍ନ୍ତ କୌଣସି କଲେଜରେ ପିଜି ପାଠ୍ୟକ୍ରମ ମଧ୍ୟ ନାହିଁ। ଜିଲ୍ଲା ମୁଖ୍ୟାଳୟରେ ଥିବା ଦୁଇ କଲେଜର ଯଦି ଏପରି ଅବସ୍ଥା ତେବେ ଜିଲ୍ଲାର ଅନ୍ୟ ବ୍ଲକରେ ଥିବା କଲେଜ ଗୁଡ଼ିକର କଥା ନକହିବା ଭଲ। କୌଣସି ବ୍ଲକରେ କଲେଜ ଶିକ୍ଷାର ସେପରି କିଛି ଆଶାନୁରୂପ ସୁବିଧା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe