ଜୁନ୍‌ରେ ଗୋଷ୍ଠୀ ସଂକ୍ରମଣ ହୋଇନି, ଅସଲ ଚିତ୍ର ଅଗଷ୍ଟରେ ଆସିବ

ଜୁଲାଇ ପାଇଁ ଅଗଷ୍ଟ ୧୬ରୁ ସର୍ଭେ, ଜୁନରେ ବାହାରିଥିଲେ ୨୫୫ ଆକ୍ରାନ୍ତ, ଜୁଲାଇରେ ୨୪୧୫

କଟକଣା ଆଉ ଟିକେ କୋହଳ, ସାରା ରାଜ୍ୟରେ ବସ୍ ଚାଲିବ

New Indian Express

ଭୁବନେଶ୍ୱର : ରାଜଧାନୀରେ ମାତ୍ର ୧.୪୨% ଲୋକ କରୋନା ଆକ୍ରାନ୍ତ ହେବା ପରେ ବିନା ଚିକିତ୍ସାରେ ସୁସ୍ଥ ହୋଇଛନ୍ତି। ଆରଏମଆରସି ଏହି ରିପୋର୍ଟ ଦେଇଛି। ଆରଏମଆରସି ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବରରେ ଦୁଇ ପର୍ଯ୍ୟାୟରେ ଯେଉଁ ସେରୋ ସର୍ଭେଲାନ୍ସ ହୋଇଥିଲା ସେଥିରେ ଜୁନ୍‌ ମାସର ସ୍ଥିତି ବିଷୟରେ ଜଣାପଡ଼ିଛି। କିନ୍ତୁ ଜୁଲାଇ ମାସରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜଧାନୀରେ କେଉଁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, କେଉଁ ବର୍ଗର ଲୋକ ଅଧିକ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଅଗଷ୍ଟ ମାସରେ ହେବାକୁ ଥିବା ସେରୋ ସର୍ଭେଲାନ୍ସ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିବ। ଯାହା ଅଗଷ୍ଟ ୧୬ରୁ ଆରମ୍ଭ ହେବ ବୋଲି ଆରଏମଆରସି ପକ୍ଷରୁ କୁହାଯାଇଛି। ଜୁନ୍‌ ମାସରେ ରାଜଧାନୀରେ ମାତ୍ର ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ସେରୋ ସର୍ଭେଲାନ୍ସ ପାଇଁ ଯେଉଁ ନମୁନା ସଂଗ୍ରହ କରାଯାଇଥିଲା ସେଥିରୁ ୩୨ଜଣଙ୍କର ସେରୋ ପଜିଟିଭ୍ ଆସିଲା। ପ୍ରଥମ ପର୍ଯ୍ୟାୟରେ ୯୫୧ଜଣ ସାଧାରଣ ଲୋକଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିରୁ ୧୫ଜଣଙ୍କର ସେରୋ ପଜିଟିଭ୍ ବାହାରିଥିଲା। ଅର୍ଥାତ୍ ୧୫ଜଣଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। କରୋନା ଭୂତାଣୁକୁ ଯେଉଁ ଆଣ୍ଟିବଡି ମୁକାବିଲା କରିପାରେ ତାହା ବିକଶିତ ହୋଇଥିବାରୁ ସେମାନେ ବିନା ଚିକିତ୍ସାରେ ସୁସ୍ଥ ହୋଇଯାଇଛନ୍ତି।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ସମ୍ବେଦନଶୀଳ ଶ୍ରେଣୀର ୧୬୧୪ଜଣଙ୍କର ନମୁନା ସଂଗ୍ରହ ହୋଇଥିବାବେଳେ ଏଥିରୁ ୧୭ଜଣଙ୍କର ସେରୋ ପଜିଟିଭ୍ ବାହାରିଛି। ଏମାନେ ହେଉଛନ୍ତି ପୁଲିସ, ସ୍ବାସ୍ଥ୍ୟକର୍ମୀ, ସାମ୍ବାଦିକ, ବ୍ୟାଙ୍କ କର୍ମଚାରୀ ଓ ବିଭିନ୍ନ ଶ୍ରେଣୀର କରୋନା ଯୋଦ୍ଧା। ଏହି ୨୫୬୫ ନମୁନାକୁ ବିଶ୍ଳେଷଣ କରି ଆରଏମଆରସି ପକ୍ଷରୁ କୁହାଗଲା ଯେ, ଏଥିରୁ ୧.୪୨% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ଏହି ସର୍ଭେ ନମୁନାକୁ ହିସାବକୁ ନେଲେ ପୂରା ଭୁବନେଶ୍ବରରେ ପ୍ରାୟ ୧୦ଲକ୍ଷ ଲୋକ ବାସ କରୁଥିବାରୁ ୮ହଜାରରୁ ୨୫ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଯେଉଁମାନେ କି ପରୀକ୍ଷା ହେବା ପୂର୍ବରୁ ସୁସ୍ଥ ହୋଇଯାଇଛନ୍ତି। ଲକ୍ଷଣ ଦେଖାଯାଇନି, କିମ୍ବା ଲକ୍ଷଣ ଦେଖାଯିବା ପରେ ବଜାରରୁ ଔଷଧ କିଣି ଖାଇ ସୁସ୍ଥ ହୋଇଯାଇଛନ୍ତି। ଜୁନ୍‌ ମାସରେ ବିଏମ୍‌ସି କମ୍‌ ପରୀକ୍ଷା କରିଥିବାରୁ ଏବଂ କମ୍‌ ପଜିଟିଭ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାରୁ ୧.୪୨% ଲୋକଙ୍କର କରୋନା ପରୀକ୍ଷା ହେବା ପୂର୍ବରୁ ସେମାନେ ସୁସ୍ଥ ହୋଇଯାଇଛନ୍ତି। କିନ୍ତୁ ଏବେ ଜୁଲାଇରେ କେବଳ ୨୪୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜୁନ୍‌ ଅପେକ୍ଷା ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢ଼ିଛି। କିନ୍ତୁ ଜୁନ୍‌ ଅପେକ୍ଷା ଜୁଲାଇରେ ସେହି ତୁଳନାରେ ଅଧିକ ପରୀକ୍ଷା ହୋଇନି। ଯଦି ଅଗଷ୍ଟରେ ଭୁବନେଶ୍ବରରେ ପୁଣି ସେରୋ ସର୍ଭେ କରାଯାଏ ତେବେ ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତା’ର ପ୍ରକୃତ ରିପୋର୍ଟ ଆସିବ। ଏବେ ବହୁ ସ୍ଥାନରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କାକୁ ଏଡ଼ାଇ ହେବନି।

publive-image Innovation Origins

ଆରଏମଆରସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯା‌ୟୀ, ଆମେ ବିଏମ୍‌ସିକୁ ଲାବ୍‌ ବିଶ୍ଳେଷଣ ‌ରିପୋର୍ଟ, ସେରୋ ପଜିଟିଭ୍ ଓ ସେରୋ ନେଗେଟିଭ୍ ରିପୋର୍ଟ ଦେଇଛୁ। ହେଲେ ଏଥିରୁ କେଉଁ କ୍ଷେତ୍ରର କର୍ମଚାରୀ ଅଧିକ ଆକ୍ରାନ୍ତ ହୋଇଛନ୍ତି, କେଉଁ ବୟସର ହୋଇଛନ୍ତି ତା’ର ବିଶ୍ଳେଷଣ ଚାଲିଛି। ଏହି ସବ୍‌ ଗ୍ରୁପ୍‌ ବିଶ୍ଳେଷଣରୁ ଜଣାପଡ଼ିବ ଯେ, ନିର୍ଦ୍ଦିଷ୍ଟ କ୍ଷେତ୍ରର କର୍ମଚାରୀଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ। ଏବେ ବହୁ ହସ୍ପିଟାଲ କର୍ମଚାରୀ, ପୁଲିସ, ସ୍ବାସ୍ଥ୍ୟ କର୍ମୀ, ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ହେଉଥିବାରୁ ପ୍ରକୃତରେ କେଉଁ ଶ୍ରେଣୀର ଲୋକ ଅଧିକ ଆକ୍ରାନ୍ତ ହେଉଛନ୍ତି ତାହା ଉପରେ ବିଶ୍ଳେଷଣ ଚାଲିଛି। ଏହା ଖୁବ୍‌ ଶୀଘ୍ର ଆସିବ। କୌଣସି ସାମ୍ବାଦିକଙ୍କୁ ସେରୋ ପଜିଟିଭ୍ ରିପୋର୍ଟ ଆସିନଥିବାରୁ ଏହି ଶ୍ରେଣୀର କର୍ମଚାରୀଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି କୁହାଯିବ। ଜୁଲାଇ ମାସରେ ବିଭିନ୍ନ ବର୍ଗର ଲୋକ ବହୁଳ ମାତ୍ରାରେ ଆକ୍ରାନ୍ତ ହୋଇଥିବାରୁ, ବିଶେଷକରି ସମ୍ବେଦନଶୀଳ ବର୍ଗର ଲୋକ ଅଧିକ ଆକ୍ରାନ୍ତ ହୋଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ସର୍ଭେ ପରେ ପ୍ରକୃତ ଚିତ୍ର ପଦାକୁ ଆସିବ। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଓ ପୁରୀ ପରେ ଆଜି ଠାରୁ ବ୍ରହ୍ମପୁରରେ ସେରୋ ସର୍ଭେ ଆରମ୍ଭ ହୋଇଛି। ଏହି ସମୟରେ ୨୫ଟି ୱାର୍ଡରେ ନମୁନା ସଂଗ୍ରହ କରାଯିବ। ୨,୫୦୦ ଲୋକଙ୍କର ନମୁନା ସଂଗ୍ରହ କରିବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ଏଥିରେ ୧୫୦୦ ସାଧାରଣ ଲୋକ ଓ ହଜାରେ ସମ୍ବେଦନଶୀଳ ଶ୍ରେଣୀ ଯଥା ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଏବଂ ଯେଉଁମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ରହିଛି ସେମାନଙ୍କର ନମୁନା ସଂଗ୍ରହ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe