ପରିତ୍ୟକ୍ତ ଚୁଆ ପାଣିରେ ମେଣ୍ଟୁଛି ଶୋଷ

Advertisment
ପରିତ୍ୟକ୍ତ ଚୁଆ ପାଣିରେ ମେଣ୍ଟୁଛି ଶୋଷ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ଜଳ ପାଇ ପାରୁନାହାନ୍ତି। ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତରେ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନି। ଯୋଜନା ଯୋଜନାରେ ରହିଯାଉଛି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲାନସୁଗା ଗ୍ରାମବାସୀ ପରିତ୍ୟକ୍ତ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ୬୦ରୁ ଊର୍ଦ୍ଧ୍ବ ପରିବାରର ୨୮୦ରୁ ଊର୍ଦ୍ଧ୍ବ ଜନସଂଖ୍ୟା ତଥାପି ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ବିଫଳ ପ୍ରଶାସନ। ଗୋଟିଏ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଦୀର୍ଘ ମାସ ହେଲା ନଳକୂପ ଅଚଳ ହୋଇପଡ଼ିଛି।

ଗ୍ରାମବାସୀ ଅଭିଯୋଗ କରି କରି ହାଲିଆ କେହି ଶୁଣୁନାହାନ୍ତି। ଗାଁରେ ଏକ ସୋଲାର ପାନୀୟ ପ୍ରକଳ୍ପ ନିର୍ମାଣ ନିମନ୍ତେ ଦାବି କରିବା ପରେ ଗତ ୫ଦିନ ତଳେ ଗାଁର ଏକ କୂଅରେ ବିଭାଗୀୟ ଅଧିକାରୀ ସୋଲାର ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ହେଲେ ଯେଉଁ କୂଅରେ ସୋଲାର ପ୍ରକଲ ହେଲା ସେଇ କୂଅଟି ଶୁଖିଲା ପଡ଼ିଛି। କୂଅରେ ପାଣି ନାହିଁ।ସୋଲାର ପ୍ରକଳ୍ପ ପ୍ରତିଷ୍ଠା ପରେ ମଧ୍ୟ ଲୋକ ଯେଉଁ ଶୋଷିଲାକୁ ସେଇ ଶୋଷିଲା। ସେଇ ପରିତ୍ୟକ୍ତ ଚୁଆ ଉପରେ ନିର୍ଭରଶୀଳ। ଦୀର୍ଘ ବର୍ଷ ଧରି ଏହି ପରିତ୍ୟକ୍ତ ଚୁଆ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି। ହେଲେ ଯେଉଁ ଚୁଆ ଉପରେ ଗ୍ରାମବାସୀ ନିର୍ଭରଶୀଳ ସେଇ ଚୁଆକୁ ଅନ୍ତତଃ ମରାମତି କରି ଲୋକଙ୍କ ବ୍ୟବହାରଯୋଗ୍ୟ କରାଯାଇପାରିଥାନ୍ତା। କିନ୍ତୁ ପ୍ରଶାସନ ସେତିକି ବି କାର୍ଯ୍ୟ କରିବାରେ ଅସମର୍ଥ। ମାଲାନସୁଗା ଗ୍ରାମ ପାଇଁ ସମସ୍ୟା ହୋଇଛି ଏହି ଗାଁ ଟି ପୂର୍ବରୁ ଟିକାବାଲି ବ୍ଳକ ଅନ୍ତର୍ଗତ ପିକରଡି ପଞ୍ଚାୟତରେ ଥିଲା।ଗତ କିଛି ବର୍ଷ ପୂର୍ବରୁ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ରେ ମିଶ୍ରଣ ହୋଇଯାଇଛି।

ଏହି ଗ୍ରାମବାସୀଙ୍କ ପାଣି ସମସ୍ୟା ଦୀର୍ଘ ବର୍ଷର। ନିର୍ବାଚନ ବେଳେ ନେତା ଆସନ୍ତି କୋମଳ ବଚନ କହି ଭୋଟ ହାତାନ୍ତି ତାପରେ ଆଉ ଦେଖା ଦେଉନଥିବା କହିଛନ୍ତି ଗ୍ରାମବାସୀ। ଟୋପାଏ ପାଣି ପାଇଁ ଗାଁ ଠାରୁ ଦୂର ବାଟରେ ଥୁବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକ। ବର୍ଷ ତମାମ ସମସ୍ତ ଜାର୍ଯ୍ୟ ଏହି ଚୁଆରେ ହୁଏ। ଗାଧୋଇବା ଲୁଗା ସଫା ବାସନ ମଜା ପ୍ରଭୁତି କାମ ସହ ରୋଷେଇ କରି ପିଇବା ପାଇଁ ଏହି ଚୁଆରୁ ଘରକୁ ଆସେ ପାଣି। ତଥାପି ନେତା ପ୍ରଶାସନ ନିଘୋଡ଼ ନିଦ୍ରାରେ। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ଭଳି ଆମ ନେତା ଏବଂ ପ୍ରଶାସନିକ ଅଧିକାରୀ। ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ନିଜ ସମସ୍ୟାର ସମାଧାନରେ ଅଧିକ ଆଗ୍ରହ ଦେଖାଉଥିବା ଲୋକ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଗ୍ରାମର ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe