କେନ୍ଦ୍ରାପଡ଼ା: ଗାଁଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜେଜେଙ୍କୁ ସମ୍ପର୍କୀୟ ନାତି ଗୋଇଠା ଓ ବିଧା ମାରିଲା। ବୃଦ୍ଧଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କର ଦୁଇ ବୋହୂଙ୍କୁ ମଧ୍ୟ ବେକ ଚିପି ରାସ୍ତାରେ ଫୋପାଡ଼ି ଦେବାର ଭିଡିଓ ଭାଇରାଲ୍‌ ହୋଇଛି। ଏଭଳି ଅମାନବୀୟ ଘଟଣା ପ୍ରଘଟ ହେବା ପରେ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଅଭିଯୋଗ ହେବାର ୧୧ଦିନ ପରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଗାଁଦାଣ୍ଡରେ ଶହଶହ ଲୋକଙ୍କ ସମ୍ମୁଖରେ ବୃଦ୍ଧ ଓ ମହିଳା ମାଡ଼ ଖାଇଥିଲା ବେଳେ ପୁଲିସ ଏତେଦିନ କାହିଁକି ଚୁପ୍‌ ବସିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

Advertisment

Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍‌

ଉଦ୍ଧାର ପାଇଁ ଆସିଥିବା ୨ ବୋହୂଙ୍କୁ ବି ଛାଡ଼ିଲାନି
ଅଭିଯୁକ୍ତ ନାତି ଗିରଫ

ଜାନୁଆରି ୨୯ତାରିଖ ଅପରାହ୍ଣ ୫ଟାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ନିମପୁରଶାସନ ପଞ୍ଚାୟତ ଅନ୍ତର୍ଗତ ନିମପୁର ଗାଁର ୮୦ବର୍ଷ ବୟସର ବୃଦ୍ଧ କୁଳମଣି ରାଉତରାୟଙ୍କୁ ତାଙ୍କର ସମ୍ପର୍କୀୟ ନାତି ଗାଁଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ବିଧାଗୋଇଠା ମାରିଥିଲା। ବୃଦ୍ଧ କୁଳମଣିଙ୍କ ସାନଭାଇର ପୁଅର ପୁଅ (ନାତି) ଆକାଶ ରାଉତରାୟ ହଠାତ୍‌ କୁଳମଣିଙ୍କ ଘର ପାଖରେ ପହଞ୍ଚି ଗାଳିଗୁଲଜ କରିବା ସହ ପିଣ୍ଡା ଉପରେ ବସିଥିବା ବୃଦ୍ଧଙ୍କୁ ଘୋଷାରି ଆଣିଥିଲା। ଗାଁଦାଣ୍ଡରେ ଜେଜେଙ୍କୁ ସେ ଗୋଇଠା ପରେ ଗୋଇଠା ମାରି ଚାଲିଥିଲା। ବୃଦ୍ଧ ଚିତ୍କାର କରୁଥିଲେ ମଧ୍ୟ ନାତି ତାଙ୍କୁ ଗୋଇଠା, ବିଧା ମାରି ଚାଲିଥିଲା।

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

ବୃଦ୍ଧଙ୍କ ଚିତ୍କାର ଶୁଣି ଦୁଇ ବୋହୂ ପୁଷ୍ପଲତା ଓ ସ୍ମୃତିଶ୍ରୀ ଦଉଡ଼ି ଆସି ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଯୁବକଜଣକ ଦୁଇ ମହିଳାଙ୍କ ବେକ ଚିପି ଗାଁଦାଣ୍ଡରେ ମାଡ଼ ମାରିଥିଲା। ଜେଜେ ଓ ଦୁଇ ମହିଳାଙ୍କୁ ଯୁବକ ମାଡ଼ ମାରିବାର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ଅନ୍ୟପଟେ, ଘଟଣା ସମ୍ପର୍କରେ ବୃଦ୍ଧଙ୍କ ବୋହୂ ପୁଷ୍ପଲତା ଜାନୁଆରି ୨୯ ତାରିଖ ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ, ପୁଲିସ ମାମଲା ରୁଜୁ କରିବା ଦୂର କଥା, ଘଟଣା ସମ୍ପର୍କରେ ବୁଝି ନ ଥିଲା। ଆଜି ଭିଡିଓ ଭାଇରାଲ୍‌ ହେବା ପରେ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାପରେ ପୁଲିସ ମାମଲା ରୁଜୁ କରିବା ସହ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳ ଜେଲ୍‌ ପଠାଇ ଦିଆଯାଇଛି। ଏହି ସଙ୍ଗିନ ଘଟଣାରେ ପୁଲିସ କାହିଁକି ୧୧ଦିନ ଯାଏଁ ମାମଲା ରୁଜୁ କରୁ ନ ଥିଲା ବୋଲି ପ୍ରଶ୍ନ ଉଠିଛି।