ଝରିଗାଁ-ଚନ୍ଦାହାଣ୍ଡି ଘାଟି: ମଝିରାସ୍ତାରେ ନାହିଁ ସୂଚନାଫଳକ, ବିପଦରେ ପଡ଼ୁଛନ୍ତି ଅଜଣା ଲୋକ

ଘାଟି ଅଞ୍ଚଳରେ ନାହିଁ ମୋବାଇଲ ନେଟୱାର୍କ, ଜରୁରୀକାଳନୀ ଚିକିତ୍ସାରେ ଉପୁଜୁଛି ସମସ୍ୟା

ଝରିଗାଁ-ଚନ୍ଦାହାଣ୍ଡି ଘାଟି: ମଝିରାସ୍ତାରେ ନାହିଁ ସୂଚନାଫଳକ, ବିପଦରେ ପଡ଼ୁଛନ୍ତି ଅଜଣା ଲୋକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ରହିଛି ଚନ୍ଦାହାଣ୍ଡି ବ୍ଲକ। ଏହି ବ୍ଲକକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ରହିଛି। ଝରିଗାଁ ବ୍ଲକ ଦେଇ ଚନ୍ଦାହାଣ୍ଡି ବ୍ଲକ ଯିବା ପାଇଁ ପଡ଼ିଥାଏ। ସେହିପରି ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ଓ ଛତିଶଗଡ଼ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ଲୋକମାନେ ନିର୍ଭର କରୁଛନ୍ତି। ତେବେ ଝରିଗାଁ ବ୍ଲକ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ଅତିକ୍ରମ କରିବା ପରେ ପଡିଥାଏ ବିପଦ ପୂର୍ଣ ଝରିଗାଁ-ଚନ୍ଦାହାଣ୍ଡି ଘାଟି। ଏହି ବିପଦପୂର୍ଣ ଘାଟି ପ୍ରାୟ ଦୁଇ କିଲୋମିଟର ରହିଥିବା ବେଳେ ଅଙ୍କାବଙ୍କା ରାସ୍ତା ସହ ଘଞ୍ଚ ଜଙ୍ଗଲ ଦେଇ ଯିବା ପାଇଁ ପଡ଼ିଥାଏ।  ଘାଟି ହଠାତ ଗଡ଼ାଣିଆ ସହ ବୈଷୟିକ ତ୍ରୁଟି ଯୋଗୁଁ ନିର୍ଦ୍ଦିଷ୍ଟ ଶହ ମିଟର ଦୂର ବ୍ୟବଧାନ ମଧ୍ୟରେ ଅଧିକ ଗାଡ଼ି ଦୁର୍ଘଟଣା ହୋଇଥାଏ। ପ୍ରଶାସନ ପକ୍ଷରୁ ଘାଟି ଆରମ୍ଭରେ ସୂଚନା ଫଳକ ରହିଥିବା ବେଳେ ଘାଟି ଶେଷ ପର୍ଯ୍ୟନ୍ତ ଆଉ କୌଣସି ସୂଚନା ଫଳକ ନାହିଁ। ଫଳରେ ବାହାର ଜିଲ୍ଲା ତଥା ରାଜ୍ୟରୁ ଆସୁଥିବା ଗାଡ଼ିର ଚାଳକମାନେ ଏଠାକାର ଭୌଗଳିକ ସ୍ଥିତି ସମ୍ପର୍କରେ ଅଭିଜ୍ଞତା ନଥିବା ଯୋଗୁଁ ଦୁର୍ଘଟଣାର ସାମ୍ନା କରିଥାନ୍ତି। ଏହି ଘାଟିରାସ୍ତା ଦେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀମାନେ ବେଳେବେଳେ ଯାତାୟତ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

publive-image

ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି। ଘାଟି ଅଞ୍ଚଳରେ କୌଣସି ମୋବାଇଲ ନେଟୱାର୍କ ନଥିବା ସହ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନିକଟରେ କୌଣସି ସୁବିଧା ନାହିଁ। କୌଣସି ଦୁର୍ଘଟଣା ହେଲେ ଗୁରୁତରମାନେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଫଳରେ ସଠିକ ସମୟରେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ବହୁ ପ୍ରାଣହାନୀ ହେଉଥିବା ଅଭିଯୋଗ ହୋଇଛି। ଅଂଚଳବାସୀ ବହୁବାର ଘାଟି ଅଂଚଳରେ ନେଟୱର୍କ ସୁବିଧା ସହ ଗୁରୁତରମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ସେହିପରି ଉଚ୍ଚସ୍ତରୀୟ ବୈଷୟିକ ଟିମର ସର୍ଭେ ମୁତାବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ତ୍ରୁଟିର ସମାଧାନ କରିବା ପାଇଁ ଦାବି ହୋଇଛି।

ବଡ଼ବଡ଼ ଦୁର୍ଘଟଣା ମଧ୍ୟରୁ ୨୦୧୫ ମସିହା ଦଶହରା ସମୟରେ ଡାବୁଗାଁ ବ୍ଲକର ଏକ ଆଦିବାସୀ ନାଟ ଗାଡ଼ି ଚନ୍ଦାହାଣ୍ଡି ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ୧୧ଜଣଙ୍କ ମତ୍ୟୁ ଘଟିଥିଲା ଏବଂ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ୨୦୧୮ ନଭେମ୍ବର ୧୧ତାରିଖରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠଚକ୍ର ସମ୍ମିଳନୀକୁ ବସରେ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷକ ଓ ସ୍କୁଲର କର୍ମଚାରୀ ଯାଉଥିବା ବେଳେ ଘାଟିରେ ଦୁର୍ଘଟଣା ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ସେହିପରି ଚଳିତ ବର୍ଷରେ ଏକ ସ୍କୁଲ ବସ୍‌ ଦୁର୍ଘଟଣା ଘଟି ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହେଇଥିବା ବେଳେ ୪୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇଥିଲେ। ପ୍ରତି ମାସରେ ଏକାଧିକ ଛୋଟ ବଡ଼ ଦୁର୍ଘଟଣା ହେଉ ଥିବା ବେଳେ କିଛି ଦୁର୍ଘଟଣା ଲୋକ ଲୋଚନକୁ ଆସିପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe