ଭଦ୍ରକ: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠି ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ କ୍ଷଣିକରେ ଗୋଗୀଙ୍କ ଜୀବନ ଚାଲିଯାଉଛି। ପ୍ରତିଦିନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ଦୃଷ୍ଟିଗୋଚର ହେଉଛି। ଏଠାରେ ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡ଼ା ଇଞ୍ଜେକ୍ସନ ନମିଳିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ସୂଚନାରୁ ପ୍ରକାଶ ଯେ। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତଳଗୋପବିନ୍ଧା ଗ୍ରାମର ପ୍ରତାପ ବେହେରାଙ୍କ ସ୍ତ୍ରୀ ସତ୍ୟଭାମାଙ୍କୁ ଗୁରୁବାର ଅପରାହ୍ନରେ ତାଙ୍କ ଘରେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଜଣେ ଆଟେଣ୍ଡାଟ ଡାକ୍ତରଙ୍କୁ ଫୋନ କରି ଏକ ଚିଠାରେ ଇଞ୍ଜେକ୍ସନ ଲେଖି ଆହତଙ୍କ ସଂପର୍କୀୟଙ୍କୁ କିଣିବାକୁ ପଠାଇ ଦେଲେ। ଆହତଙ୍କ ସଂପର୍କୀୟ ଦୋକାନ ଦୋକାନ ବୁଲି ଇଞ୍ଜେକ୍ସନ ପାଇନଥିଲେ। ଡାକ୍ତରଖାନାରୁ ଇଞ୍ଜେକ୍ସନ୍ ଦେବାପାଇଁ ନର୍ସମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ ଏବେ ଏହା ଉପଲବ୍ଧ ନାହିଁ ବୋଲି ମନା କରିଥିଲେ। ଏହି ସମୟରେ ସତ୍ୟଭାମାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ତାଙ୍କ ପୁତୁରା ଧନେଶ୍ୱର ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଅପରପକ୍ଷେ ଡା. ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି ଚିକିତ୍ସାଳୟରେ ଇଞ୍ଜେକ୍ସନ୍ ଅଛି। ତାଙ୍କୁ ସାପ କମୁଡ଼ା ଇଞ୍ଜେକସନ ଦିଆଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ମୃତ୍ୟୁ ହୋଇଗଲା। ଅପରାହ୍ନ ୩ ଟା ୪୫ ମିନିଟ ବେଳେ ତାଙ୍କର ମେଡ଼ିକାଲରେ ଆଡ଼ିମିସନ ହୋଇଥିଲା। ଅପରାହ୍ନ ୪ଟା ୫ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମାତ୍ର ୨୦ ମିନିଟ ଭିତରେ ରୋଗୀଙ୍କର ଜୀବନ ଚାଲିଗଲା ବୋଲି ଡାକ୍ତର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୃତ ପରିବାର ଲୋକ ଏହି ଘଟଣା ପାଇଁ ଭଦ୍ରକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।
Follow Us