ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି

ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।ନକ୍ସଲ ଜିଲ୍ଲାକୁ ୨୦ ବର୍ଷ ପଛକୁ ଠେଲି ଦେଇଥିବା ବେଳେ ଗତ ତିନି ଚାରି ବର୍ଷ ହେଲା ଜିଲ୍ଲା ପୁଣି ବିକାଶ ଆଡକୁ ପାଦ ଥାପିଛି।ତେବେ ଗାଁର ବିକାଶ ହେଲେ ହିଁ ଜିଲ୍ଲାର ବିକାଶ ହୁଏ। ତେଣୁ ଦୁର୍ଗମ ଗାଁଗୁଡିକ ଆଜି ବି ସରକାରୀ ଯୋଜନା କଣ ଜାଣନ୍ତି ନାହିଁ କି ସରକାରୀ ବାବୁମାନଙ୍କର ପାଦ ଏଭଳି ଗାଁଗୁଡିକରେ ପଡେ ନାହିଁ।

ଏଭଳି ଏକ ଗାଁ ହେଉଛି କାଲିମେଳା ବ୍ଲକର ମୋଟୁ ପଞ୍ଚାୟତର ଟାଟରାଇ ଗ୍ରାମ। ଏହି ଗ୍ରାମରେ ପ୍ରାୟ ୨୦ ପରିବାର ବସବାସ କରୁଛନ୍ତି। ସମସ୍ତେ କୋୟା ଆଦିବାସୀ ସଂପ୍ରଦାୟର ଅଟନ୍ତି। ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ପିଲାମାନେ ୩ କିଲୋମିଟର ଚାଲି ଚାଲି ମୁରଲିଗୁଡା ଅଂଗନବାଡି କେନ୍ଦ୍ରକୁ ଯାଉଛନ୍ତି।

ତେବେ ଜଂଗଲି ରାସ୍ତା ଦେଇ ପ୍ରତିଦିନ ଯିବାକୁ ପଡେ। ପୁଣି ବର୍ଷା ଦିନେ ଅଙ୍ଗନବାଡି କେନ୍ଦ୍ର ଯିବା ମୁସକିଲ ହୋଇପଡେ ବୋଲି ଗ୍ରାମବାସୀ କହନ୍ତି। ସେହିପରି ଗାଁରେ ୨୦ରୁ ଊର୍ଦ୍ଧ୍ବ ପିଲା ରହିଥିବା ବେଳେ ପିଲାମାନେ ମଧ୍ୟ ପାଠ ପଢିବାକୁ ୩ କିଲୋମିଟର ଚାଲି ଚାଲି ମୁରଲୀଗୁଡାକୁ ହିଁ ଯିବାକୁ ପଡେ।ତେବେ ପିଲାମାନେ ପ୍ରତିଦିନ ସ୍କୁଲ ମୁହାଁ ହୋଇପାରୁନଥିବା ଦେଖିବାକୁ ମିଳିଛି। ଅଭିଭାବକମାନେ ସଚେତନ ନଥିବାରୁ ପିଲାଙ୍କୁ ପ୍ରତିଦିନ ସ୍କୁଲକୁ ପଠାଉ ନାହାନ୍ତି। ପିଲା ଗାଈ ଚୋରାଇବା ସହ ଘରର କାମ କରୁଥିବା ଲକ୍ଷ୍ୟ କରାଯାଇଛି।

ତେବେ ଗାଁକୁ ଆଜି ବି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଗାଁ ଲୋକେ ବର୍ଷ ବର୍ଷ ଧରି ଦୂଷିତ ପାଣି ପିଉଛନ୍ତି। ଗାଁରେ ରହିଥିବା ଗୋଟିଏ ମାତ୍ର ନଳକୂପ ଖରାପ ହୋଇ ପଡିଥିବାରୁ। ଦୀର୍ଘ ସମୟ ଧରି ନଳକୂପର ହ୍ୟାଣ୍ଡଲକୁ ମାରିଲେ ଗୋଳିଆ ପାଣି ବାହାରେ। ସେହି ପାଣିକୁ ଗାଁ ଲୋକେ ପିଉଥିବା କହନ୍ତି। ଗାଁ ଲୋକେ ସଚେତନ ନଥିବା ବେଳେ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ନିକଟରେ ବହୁ ଥର ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଥିଲେ। ଗାଁରେ ଅଜଣା ରୋଗର ଶିକାର ହୋଇ ବହୁ ଲୋକ ମୃତ୍ୟୁବରଣ କରୁଥିବା ସେମାନେ କହନ୍ତି। ଗାଁକୁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି। ଲୋକେ ଗୁଣିଆ ଡିଶାରୀ ଉପରେ ନିର୍ଭର କରିବାକୁ ବାଧ୍ୟ ହୁଅନ୍ତି। ଏହି ଅଂଚଳର ପିଲା ଅପପୁଷ୍ଟିର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ନାହିଁ ନାହିଁରେ ଥିବା ଏହି ଗ୍ରାମକୁ କେବେ ସରକାରୀ ସୁବିଧା ପହଞ୍ଚିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe