Personnel Today
କଟକ : ପ୍ରତିଦିନ ଶହେ କିଟ୍ ନ ଦେଲେ ଗୁରୁତର ଭାବେ ପ୍ରଭାବିତ ହେବ ରୋଗୀସେବା। ଏଭଳି ଚିଠି ଲେଖି ପ୍ରଶାସନକୁ ଜଣାଇଛନ୍ତି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ। ଏସ୍ସିବିରେ ବି ସମାନ ଅବସ୍ଥା। ଏଭଳି ସ୍ଥିତିର କାରଣକୁ ନେଇ ଏବେ ବିଭିନ୍ନ ମହଲରେ ସନ୍ଦେହ ବଢିବାରେ ଲାଗିଛି। ସଂକ୍ରମଣ ସଂଖ୍ୟା ଯେଭଳି ବଢି ଚାଲିଛି, ତାହାକୁ ବିଧିବଦ୍ଧ ଭାବେ କମ୍ ଦର୍ଶାଇବା ପାଇଁ ଇଏ ଏକ ଯୋଜନା ବୋଲି ସନ୍ଦେହ ପ୍ରକାଶ ପାଇଛି। ଏ ସଂପର୍କରେ କର୍ତ୍ତୃପକ୍ଷ କୌଣସି ମନ୍ତବ୍ୟ ଦେଉ ନଥିବାବେଳେ ଯେଉଁଭଳି ଢଙ୍ଗରେ ଏବେ ପରୀକ୍ଷା ଚାଲିଛି, ସେଥିରୁ ଏକ ଅଲିଖିତ ନିର୍ଦ୍ଦେଶନାମା ଜାରି ହେବା ଭଳି ଅନୁଭବ ହେଉଛି।
ଲଗାତାର ଭାବେ ଗଲା ୪ଦିନ ହେଲା ଆଣ୍ଟିଜେନ୍ କିଟ୍ ସମସ୍ୟା ଯୋଗୁଁ ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଫଳରେ ଆରଟିପିସିଆର ପରୀକ୍ଷା ପରେ ରୋଗୀଙ୍କୁ ଧର୍ମଶାଳାରେ ରଖାଯାଉଛି। ଆଜି ମଧ୍ୟ ମାତ୍ର ୨୬ଟି କିଟ୍ ଆସିଥିବାରୁ ପରୀକ୍ଷା ପ୍ରଭାବିତ ହେବା ସହ ବାଧ୍ୟ ହୋଇ ରୋଗୀଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି। ଅନ୍ୟପଟେ ଏସ୍ସିବିର ବିଭିନ୍ନ ବିଭାଗରେ ମଧ୍ୟ ଏବେ ଏଭଳି ସମସ୍ୟା ଉପୁଜିଛି। ଆଣ୍ଟିଜେନ୍ ପରୀକ୍ଷା କମାଇବା ଓ ଆରଟିପିସିଆର ପରୀକ୍ଷା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ସରକାର ଅଲିଖିତ ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି। ଏପରିକି ଆଣ୍ଟିଜେନ୍ ପରୀକ୍ଷା ଏସ୍ସିବିରେ ଯେଭଳି ସାଢେ ୩ଶହ ଭିତରେ ସୀମିତ ରହିବ ସେଥିପାଇଁ ମଧ୍ୟ ପରୋକ୍ଷରେ ଏଭଳି ଅଭାବ ଥିବା ଦର୍ଶାଯାଉଛି। ସହରର ୧୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଜେନ୍ ପରୀକ୍ଷା କରାଯାଉଥିବାବେଳେ ସବୁଠି କିଟ୍ ସମସ୍ୟାରୁ ଲୋକ ଫେରୁଛନ୍ତି। ଆଚାର୍ଯ୍ୟ କର୍କଟକେନ୍ଦ୍ରରେ ହୋଇଥିବା ଆରଟିପିସିଆର ପରୀକ୍ଷାରେ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ସେଥିରୁ ୪ଜଣ ରୋଗୀ ଓ ଜଣେ ରୋଗୀ ସଂପର୍କୀୟ ଥିବା ଜଣାପଡିଛି। ଆଣ୍ଟିଜେନ ପରୀକ୍ଷା ରିପୋର୍ଟ କିଛି ଘଣ୍ଟା ଭିତରେ ମିଳି ଯାଉଥିବାବେଳେ ସେଥିରେ ତୁରନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଇ ପାରୁଥିଲା। କିନ୍ତୁ ଆରଟିପିସିଆର ରିପୋର୍ଟ ମିଳିବାକୁ ୨୪ ଘଣ୍ଟା ବିଳମ୍ବ ହେଉଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ବେଳେ ସଂକ୍ରମଣ ସଂଖ୍ୟା ବି ଆସିବାରେ ବିଳମ୍ବ ହେଉଛି।
Follow Us