ଆଉ ମିଳୁନାହାନ୍ତି ‘ମହାଶିର’: ଶିମିଳିପାଳ ଅବବାହିକାରୁ ଉଭେଇ ଗଲାଣି ନଦୀର ବାଘ

Advertisment
ଆଉ ମିଳୁନାହାନ୍ତି ‘ମହାଶିର’: ଶିମିଳିପାଳ ଅବବାହିକାରୁ ଉଭେଇ ଗଲାଣି ନଦୀର ବାଘ

ବାରିପଦା: ଜଳବାୟୁ ପରିବର୍ତ୍ତନ କାରଣରୁ ବଞ୍ଚିବାକୁ ସଂଘର୍ଷ କରୁଛି ‘ନଦୀର ବାଘ’ କୁହାଯାଉଥିବା ମହାଶିର ମାଛ। ଏକଦା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅବବାହିକାରେ ଥିବା ମଧୁର ଜଳରାଶିରେ ରାଜୁତି କରୁଥିଲେ ଏହି ପ୍ରଜାତିର ମାଛ। ଏବେ କେବଳ ମହାନଦୀ ଅବବାହିକାରେ କାଁଭାଁ ଦେଖିବାକୁ ମିଳୁଥିବା ବେଳେ ଶିମିଳିପାଳ ଅବବାହିକାରୁ ଉଭେଇ ଗଲାଣି। ଉପକୂଳ ଓଡ଼ିଶାରେ ଏହାକୁ ‘କାଡ଼ୋ’ ମାଛ କୁହାଯାଏ। ମହାନଦୀ ମହାଶିର ବା ମୋସାଲ ମହାନଦୀକସ୍‌ ନାମରେ ମଧ୍ୟ ଏହା ପରିଚିତ। ଲକ୍ଷ୍ନୌସ୍ଥିତ ନ୍ୟାସ୍‌ନାଲ ବ୍ୟୁରୋ ଅଫ୍ ଫିସ୍ ଜେନେଟିକ୍ ରିସୋର୍ସେସ୍‌ ସହଯୋଗରେ ମାଛର ଜେନେଟିକ୍ସ ଉପରେ ଅଧିକ ଗବେଷଣା ପାଇଁ ୧୬ଟି ରାଜ୍ୟ ନିଜ ଅଞ୍ଚଳର ବିରଳ ମାଛ ପ୍ରଜାତିକୁ ‘ରାଜ୍ୟ ମାଛ’ ଭାବେ ଗ୍ରହଣ କରିଛନ୍ତି। ଏହିକ୍ରମରେ ମହାନଦୀ ମହାଶିରକୁ ରାଜ୍ୟ ମାଛ ଭାବେ ଗ୍ରହଣ କରିଛି ଓଡ଼ିଶା।

ଶିମିଳିପାଳ ଜାତୀୟ ଅଭୟାରଣ୍ୟ‌ର ସମସ୍ତ ଜଳାଶୟରେ ବହୁଳ ସଂଖ୍ୟାରେ ମହାଶିର ମାଛ ଦେଖିବାକୁ ମିଳୁଥିଲା। ଏହି ମାଛ ଅତ୍ୟନ୍ତ ସୁସ୍ବାଦୁ ହୋଇଥିବା ବେଳେ ଇଲିସି ମାଛ ଭଳି ଏହାର ଦର ମଧ୍ୟ ଖୁବ୍‌ ଅଧିକ ଥିଲା। ଏପରିକି, ୩ଟି ମାଛ ୧୨ ଲକ୍ଷ ଟଙ୍କାରେ ବିକ୍ରି ହେବାର ନଜିର ରହିଛି। ଏହାକୁ ପାଣିର ବାଘ ବୋଲି କୁହାଯାଏ। କାରଣ ନିଜ ଦେହରୁ ମାଛଧରା ହୁକକୁ ହଟାଇବା ପାଇଁ ଏହା ଖୁବ୍‌ ଲଢ଼େଇ କରିଥାଏ। ଅତୀତରେ ଏହି ମାଛ ଅବସ୍ଥିତି ଶିମିଳିପାଳ ଜୈବସନ୍ତୁଳନ ସହ ମଧ୍ୟ ଜଡ଼ିତ ଥିଲା। କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏହି ମାଛ ଉପରେ ପ୍ରଭାବ ପକାଇଛି। ଖାଦ୍ୟ, ପ୍ରଜନନ ଅଭ୍ୟାସ ଓ ଲାର୍ଭା ବିକାଶରେ ବାଧା, ପାଣିର ମାନ ଖରାପ ଆଦି କାରଣରୁ ମାଛ ଲୋପ ପାଇଗଲାଣି। ଏହି ମାଛର ୪ଟି ପ୍ରଜାତି ଥିବା ବେଳେ ଶିମିଳିପାଳର ଜଳାଶୟରେ କେଉଁ ପ୍ରଜାତିର ମହାଶିର ଉପଲବ୍ଧ ହେଉଥିଲା, ସେନେଇ ଅଧିକ ଗବେଷଣା ସହ ବଂଶବୃଦ୍ଧି ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଏ ସମ୍ପର୍କ‌ରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ମାଛ ସମ୍ବନ୍ଧରେ ଜାଣିବାକୁ ପ୍ରାୟସ ଜାରି ରହିଛି। ଏହି ମାଛ ବଂଶ କେମିତି ପୁଣି ବୃଦ୍ଧି ପାଇବ, ସେନେଇ ଆଲୋଚନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe