ଆଉ ଯିବାକୁ ପଡ଼ିବନି ଗୁଜରାଟ, ହାଇଦ୍ରାବାଦ: ଓଡ଼ିଶା ପୁଲିସରେ ବ୍ରେନ୍ ମ୍ୟାପିଂ, ଡିଏନ୍‌ଏ ପରୀକ୍ଷା

Advertisment

ଓଡ଼ିଶା ପୁଲିସରେ ବ୍ରେନ୍ ମ୍ୟାପିଂ ଓ ଅତ୍ୟାଧୁନିକ ନେକ୍ସଟ ଜେନେରେସନ୍‌ ସିକ୍ବେସିଂ(ଏନ୍‌ଜିଏସ୍) ମାଧ୍ୟମରେ ଡିଏନ୍‌ଏ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ଏହି ଦୁଇଟି ପରୀକ୍ଷା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ....

ଓଡ଼ିଶା ପୁଲିସରେ ବ୍ରେନ୍ ମ୍ୟାପିଂ ଓ ଅତ୍ୟାଧୁନିକ ନେକ୍ସଟ ଜେନେରେସନ୍‌ ସିକ୍ବେସିଂ(ଏନ୍‌ଜିଏସ୍) ମାଧ୍ୟମରେ ଡିଏନ୍‌ଏ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ଏହି ଦୁଇଟି ପରୀକ୍ଷା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ....

sxcxc

Photograph: ( LiveLaw)

କଟକ: ଓଡ଼ିଶା ପୁଲିସରେ ବ୍ରେନ୍ ମ୍ୟାପିଂ ଓ ଅତ୍ୟାଧୁନିକ ନେକ୍ସଟ ଜେନେରେସନ୍‌ ସିକ୍ବେସିଂ(ଏନ୍‌ଜିଏସ୍) ମାଧ୍ୟମରେ ଡିଏନ୍‌ଏ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ଏହି ଦୁଇଟି ପରୀକ୍ଷା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଅଭିଯୁକ୍ତଙ୍କୁ ନେଇ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ବର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। 

ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ବ୍ରେନ୍‌ ମ୍ୟାପିଂ ପାଇଁ ଗୁଜରାଟ ଗାନ୍ଧୀନଗରରେ ଥିବା ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଉଥିଲା। ସେହିଭଳି ଅତ୍ୟାଧୁନିକ ଡିଏନ୍‌ଏ ପ୍ରୋଫାଇଲିଂ ପାଇଁ ହାଇଦ୍ରାବାଦ ପଠାଯାଉଥିଲା। ନେକ୍ସଟ ଜେନେରେସନ୍‌ ସିକ୍ବେସିଂ(ଏନଜିଏସ୍) ଯନ୍ତ୍ରାଂଶ ମାଧ୍ୟମରେ ଅତ୍ୟାଧୁନିକ ଡିଏନ୍‌ଏ ପରୀକ୍ଷା କରାଯାଉଛି। ସାଧାରଣତଃ ଡିଏନ୍‌ଏ ଦୁଇ ପ୍ରକାର କରାଯାଇଥାଏ। ଜଣେ ମୃତକଙ୍କ ଡିଏନ୍‌ଏ ସହିତ ତାଙ୍କ ବାପା, ମା’ଙ୍କ ଡିଏନ୍‌ଏ ମେଳ କରିବା ପାଇଁ ସାଧାରଣ ଡିଏନ୍‌ଏ ପ୍ରୋଫାଇଲିଂ କୌଶଳ ବ୍ୟବହାର କରାଯାଏ। ଯାହାକି ପୂର୍ବରୁ ରସୁଲଗଡ଼ରେ ଥିଲା। କିନ୍ତୁ ଏବେ ଆସିଥିବା ନେକ୍ସଟ ଜେନେରେସନ ସିକ୍ବେସିଂ(ଏନଜିଏସ୍) ଯନ୍ତ୍ରାଂଶ ଭିନ୍ନ ଧରଣର। ଯଦି ଜଣେ ମୃତକଙ୍କର କେହି ଅଭିଭାବକ ନାହାନ୍ତି, କିନ୍ତୁ ତାଙ୍କର ଭାଇ ଭଉଣୀ ଅଛନ୍ତି, ସେ କ୍ଷେତ୍ରରେ ଏହି ଏନ୍‌ଜିଏସ୍ ଯନ୍ତ୍ରାଂଶ ମାଧ୍ୟମରେ ଡିଏନ୍‌ଏ ପରୀକ୍ଷା କରାଯାଏ। 

ସେହିଭଳି ବ୍ରେନ୍ ମ୍ୟାପିଂ ବ୍ୟବସ୍ଥାରେ ପରୀକ୍ଷା ସମୟରେ ଅଭିଯୁକ୍ତଙ୍କୁ ପ୍ରଶ୍ନ ପଚରାଯାଏନି କି ତାଙ୍କୁ ଅଚେତ କରାଯାଏନି। ପଲିଗ୍ରାଫରେ ଧୋକା ଦେବାର ସମ୍ଭାବନା ରହିଛି। ନାର୍କୋ ଟେଷ୍ଟରେ ଜୀବନ ପ୍ରତି ବିପଦ ରହିଥାଏ। କିନ୍ତୁ ବ୍ରେନ୍ ମ୍ୟାପିଂରେ ସେଭଳି ହେବାର ନାହିଁ। ଭାରତରେ ୨୦୦୫ରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା କୁହାଯାଏ। ବ୍ରେନ୍ ମ୍ୟାପିଂ ସମୟରେ ଅଭିଯୁକ୍ତଙ୍କୁ ଅପରାଧ ସମ୍ପର୍କିତ ଫଟୋ, ଭିଡିଓ କିମ୍ବା ଅପରାଧ ସହିତ ସମ୍ପର୍କ ରଖୁଥିବା ଧ୍ବନି ଶୁଣାଯାଇଥାଏ। ଅଭିଯୁକ୍ତଙ୍କ ମସ୍ତିଷ୍କରେ ଏକ ସ୍ବତନ୍ତ୍ର ହେଲମେଟ୍ ପିନ୍ଧାଯାଏ। ଏଥିରେ ୩୨ଟି ତାର ଲାଗିଥାଏ। ଏହାରି ମାଧ୍ୟମରେ ବ୍ରେନ୍ ୱେବ୍‌କୁ ଜଣେ ଡାକ୍ତର ଅନୁଧ୍ୟାନ କରିଥାନ୍ତି। ଏଥିପାଇଁ ଡେଲ୍ଟା, ଥିଟା, ଆଲ୍‌ଫା, ବିଟା ଭଳି ଚାରି ପ୍ରକାର ତରଙ୍ଗ ବ୍ୟବହାର କରାଯାଏ।

ଏହି ପ୍ରକ୍ରିୟାରେ ୧୫ ମିନିଟ୍ ଅନୁଧ୍ୟାନ କରାଯାଏ। ଏଥିପାଇଁ ଇଲେକ୍ଟ୍ରୋଏନ୍‌ସେଫାଲୋଗ୍ରାମ(ଇଇଜି)ର ବ୍ୟବହାର କରାଯାଏ। ଅଭିଯୁକ୍ତ ଜଣକ ଅପରାଧ ସମ୍ପର୍କରେ ଏହି ସମୟରେ କଣ ଭାବୁଛି, ଏହାକୁ ନେଇ ଅପରାଧୀର ମାନସିକ ସ୍ଥିତିକୁ ଅନୁଧ୍ୟାନ କରାଯାଇଥାଏ। ଯଦି ଅଭିଯୁକ୍ତ ଜଣକ ନିର୍ଦ୍ଦୋଷ ତେବେ ଏହି ଫଟୋ, ଭିଡିଓ ଓ ଧ୍ବନିକୁ ଚିହ୍ନି ପାରିନଥାଏ। କିନ୍ତୁ ଅଭିଯୁକ୍ତ ଜଣକ ପ୍ରକୃତରେ ଏହି ଅପରାଧରେ ସମ୍ପୃକ୍ତ ଥିଲେ ଚିହ୍ନିପାରିଥାଏ। ଚିହ୍ନିବା ଦ୍ବାରା ମାନସିକ ସ୍ତରରେ ଏହାର ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନକୁ ହିଁ ବ୍ରେନ୍ ମ୍ୟାପିଂରେ ଠାବ କରାଯାଇଥାଏ। ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ କିମ୍ବା ଆପରାଧିକ କାର୍ଯ୍ୟକଳାପରେ ସନ୍ଦିଗ୍ଧ କିମ୍ବା ଗିରଫ ଅଭିଯୁକ୍ତଙ୍କ ଏହି ବ୍ରେନ୍ ମ୍ୟାପିଂ ମାଧ୍ୟମରେ ଅପରାଧ ଠାବ କରିବାକୁ ଉଦ୍ୟମ କରାଯାଇଥାଏ। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଏଣିକି ଓଡ଼ିଶା ପୁଲିସରେ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe