ଦେବଗଡ଼ : ନେଟ୍‌ୱର୍କ ନାହିଁ, ରାଜପଥ କଡ଼ରେ ଛାତ୍ରଛାତ୍ରୀ

Advertisment
ଦେବଗଡ଼ : ନେଟ୍‌ୱର୍କ ନାହିଁ, ରାଜପଥ କଡ଼ରେ ଛାତ୍ରଛାତ୍ରୀ

ଦେବଗଡ଼ : କରୋନା ସଂକ୍ରମଣ ପାଇଁ ସମଗ୍ର ଦେଶରେ ସ୍କୁଲ୍‌ ଓ କଲେଜ ବନ୍ଦ ରହିଛି। ଟ୍ୟୁସନ୍‌ କି କୋଚିଂ ସେଣ୍ଟର୍‌ ବି ଚାଲୁନି। ଫଳରେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍କୁଲ୍‌ରେ ସିଧା ସଳଖ ପାଠପଢ଼ା ପରିବର୍ତ୍ତେ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଆପଣାଇଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଏହି ରାସ୍ତାରେ କଣ୍ଟା ହୋଇଛି ନେଟ୍‌ୱର୍କ। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମୋବାଇଲ୍‌ ନେଟ୍‌ୱର୍କ ନ ଥିବାରୁ ପିଲାମାନଙ୍କ ପାଠପଢ଼ା ବ୍ୟାଘାତ ହେଉଛି। କେତେକ ସ୍ଥାନରେ ନେଟ୍‌ ସ୍ଲୋ ରହୁଛି, ତ କେତେବେଳେ ନେଟ୍‌ୱର୍କ କଟିଯାଉଛି। ଫଳରେ ଛାତ୍ରଛାତ୍ରୀମାନେ ଠିକ୍‌ ଭାବେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରିପାରୁ ନାହାନ୍ତି। ନେଟ୍‌ୱର୍କ ଠିକ୍‌ ଭାବେ ଆସୁ ନ ଥିବାରୁ କିଛି ଛାତ୍ରଛାତ୍ରୀ ରାଜପଥ ପାର୍ଶ୍ବକୁ ଆସି ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ଦେଖାଯାଇଛି। ଅନ୍‌ଲାଇନ୍‌ କ୍ଲାସ୍‌ର ଏଭଳି ବିକଳ ଚିତ୍ର ଦେଖିବା‌କୁ ମିଳିଛି ବାରକୋଟ ବ୍ଲକ୍‌ ଅନ୍ତର୍ଗତ ଆମ୍ବଗାଁ ଗ୍ରାମରେ। ଗ୍ରାମ ଦେଇ ଯାଇଥିବା ଏନ୍‌ଏଚ୍‌-୧୦ କଡ଼କୁ ଆସି ପିଲାମାନେ କ୍ଲାସ୍‌ କରୁଛନ୍ତି।

ସରକାର ଡିଜିଟାଲ୍‌ ଇଣ୍ଡିଆର ସ୍ବପ୍ନ ଦେଖୁଥିବାବେଳେ ଜିଲ୍ଲାର ବହୁ ଗ୍ରାମରେ ମୋବାଇଲ ସେବା ସାତ ସପନ ହୋଇଛି। ଏ ନେଇ ଗ୍ରାମବାସୀ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କ‌ୌଣସି ଫଳ ମିଳୁନି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଅନ୍‌ଲାଇନ୍‌ ପାଠ ପଢ଼ିବାକୁ ଅନୁମତି ଦେବା ପୂର୍ବରୁ ଏପରି ସମସ୍ୟା ସଂପର୍କରେ ଚିନ୍ତା କରିବା କଥା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଜିଲ୍ଲାରେ ସରକାରୀ ସ୍କୁଲରେ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ। କେବଳ ସରକାରୀ ନୁହଁ ବରଂ ବେସରକାରୀ ବିଦ୍ୟାଳୟ ମଧ୍ୟ ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବ‌ରେ ବିଚାର କରିବା କଥା। ତେବେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟର ଜିଲ୍ଲା ସଂଯୋଜକ ତଥା ଛାତ୍ର ଓମପ୍ରକାଶ ନାଥ ଶର୍ମା, ବିକାଶ ବେହେରା, ଈଶ୍ୱର ଚନ୍ଦ୍ର ବେହେରା, ସିଦ୍ଧାନ୍ତ ବେହେରା, ଅବିନାଶ ରାଜପୁତ ଏବଂ ଅବିଭାବକମାନେ ତୁରନ୍ତ ମୋବାଇଲ ସେବାର ଉପଯୁକ୍ତ ସୁବିଧା କରିବା ପାଇଁ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ‌େ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବାର କୋଟ ବ୍ଲକ୍‌ର କଣ୍ଟାପାଲି, ଡିମିରିପଶି, ଗୁଣ୍ଡେଇମୋରା, ବେତେଇ, ତାଳଖଳି, ରେଗଡାଖୋଳ, ମାକରମୁଣ୍ଡା, ମଧ୍ୟପୁର, ରାଇତାବାହାଳ,ପାଉଡ଼ିଭୂୟାଁ ଅଂଚଳର କଲାଡୁ, ଦେପତ୍ତଳା, ବାଲିଡିହି, ପାଚେରିପାଣି, କହଳୀଡିହି, ମହୁଲଡିହା ଅଂଚଳରେ ମୋବାଇଲ ସେବା ନଥିବାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କ୍ଲାସ୍‌ରୁ ସଂପୂର୍ଣ୍ଣ ବଂଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe