ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ଫିଲ୍ମ ନାଁ ନାହିଁ, ଦକ୍ଷିଣୀ ଫିଲ୍ମ୍‌ର ଦବ୍‌ଦବା

Advertisment
ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ଫିଲ୍ମ ନାଁ ନାହିଁ, ଦକ୍ଷିଣୀ ଫିଲ୍ମ୍‌ର ଦବ୍‌ଦବା

loksatta.com

ଭୁବନେଶ୍ବର : ପୁଣି ଜାତୀୟସ୍ତରରେ ଦକ୍ଷିଣୀ ଚଳଚ୍ଚିତ୍ରର ଦବ୍‌ଦବା ଦେଖିବାକୁ ମିଳିଛି। ଏଥିସହିତ ଦକ୍ଷିଣୀ ଅଭିନେତାଙ୍କ ରାଜ୍‌ ମଧ୍ୟ ବଳବତ୍ତର ରହିଛି। ଘୋ‌ଷଣା ହୋଇଥିବା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରୁ ଏହା ପୁଣି ପ୍ରମାଣିତ ହୋଇଛି। ୨୦୨୦ ମସିହା ପାଇଁ ତାମିଲ୍‌ ଫିଲ୍ମ ‘ସୁରାରାଇ ପୋତ୍ରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ବଲିଉଡ୍‌ ଅଭିନେତା ଅଜୟ ଦେଗବନ ଓ ତାମିଲ ଅଭିନେତା ସୂରୟା ଶ୍ରେଷ୍ଠ ଅଭିନେତା ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ତାମିଲ ଅଭିନେତ୍ରୀ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ଏଥି‌ସହ ହିନ୍ଦୀ, କନ୍ନଡ଼, ମାଲାୟାଲମ୍‌, ତାମିଲ, ତେଲୁଗୁ, ହରିୟାନ୍‌ଭି, ଦିମାସା, ଟୁଲୁ, ମରାଠୀ, ବଙ୍ଗଳା ଓ ଆସାମୀ ଆଦି ୧୧ଟି ଆଞ୍ଚଳିକ ଭାଷାର ଫିଲ୍ମ ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। କିନ୍ତୁ ପରିତାପର କଥା ଯେ ମାତ୍ ଖାଇଛି ଓଡ଼ିଆ ଚଳଚ୍ଚିତ୍ର। କୌଣସି ବର୍ଗରେ ବି ଗୋଟିଏ ହେଲେ ଓଡ଼ିଆ ଫିଲ୍ମ ସାମିଲ ହୋଇପାରିଲାନାହିଁ। ୬୭ତମ ଜାତୀୟ ପୁରସ୍କାର ଉତ୍ସବରେ ଦୁଇ ଦୁଇଟି ଓଡ଼ିଆ ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୬୮ତମ ଉତ୍ସବରେ ଗୋଟିଏ ବି ନାଁ ନାହିଁ। ଏମିତିକି କୌଣସି ଅଭିନେତାଙ୍କ ନାଁ ମଧ୍ୟ ପୁରସ୍କାର ତାଲିକାରେ ନାହିଁ।

ସୂଚନାଯୋଗ୍ୟ, ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଓଡ଼ିଶାର ୩ଟି ଚଳଚ୍ଚିତ୍ର ପୁରସ୍କୃତ ହୋଇଥିଲା। ୨୦୧୯ ମସିହାର ଚଳଚ୍ଚିତ୍ର ‘ଶଲା ବୁଢ଼ାର ବଦ୍‌ଲା’ ଓ ‘କାଲିର ଅତୀତ’ ଯୁଗ୍ମ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିଭଳି ନନ୍ ଫିଚର ବର୍ଗରେ ଶ୍ରେଷ୍ଠ କଳା ଓ ସଂସ୍କୃତିକୁ ନେଇ ନିର୍ମିତ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ପୁରସ୍କୃତ ହୋଇଥିଲା। ସେହିଭଳି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ, ପ୍ରକୃତି ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ହ୍ୟାଲୋ ଆର୍ସି’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ଜୁରୀ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖର କପୁର ବେଶ୍‌ ପ୍ରଶଂସା କରିଥିଲେ। ଅବଶ୍ୟ ମଝିରେ ୬୬ତମ ଉତ୍ସବରେ କୌଣସି ଓଡ଼ିଆ ଫିଲ୍ମ ପୁରସ୍କୃତ ହୋଇପାରିନଥିଲା। ତେବେ ଚଳିତ ଥର ଆସାମୀ ଓ ହରିୟାଣା ଭଳି ଆଞ୍ଚଳିକ ଭାଷାର ଫିଲ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ମାତ୍‌ ଖାଇଛି। ଏହାକୁ ନେଇ ଓଡ଼ିଆ ସିନେପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି। ସବ୍ୟସାଚୀ ମହାପାତ୍ର, ପ୍ରଶାନ୍ତ ନନ୍ଦ, ନୀଳମାଧବ ପଣ୍ଡା, ନୀରଦ ମହାପାତ୍ର, ହିମାଂଶୁ ଖଟୁଆ, ଅଜୟ ରାଉତ ଓ ଆଶୁତୋଷ ମହାପାତ୍ରଙ୍କ ଭଳି ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଥାଉ ଥାଉ ଓଡ଼ିଆ ଫିଲ୍ମ ଗୋଟିଏ ବି ପୁରସ୍କାର ନ ପାଇବା ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଛି। ଅତୀତରେ ମୌଳିକ କଥାବସ୍ତୁ, ଓଡ଼ିଶାର ପରମ୍ପରା, ସଂସ୍କୃତିକୁ ନେଇ ନିର୍ମିତ ଚଳଚ୍ଚିତ୍ର ଜାତୀୟସ୍ତରରେ ବେଶ୍ ନାଁ କମାଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଓଡ଼ିଆମାନଙ୍କୁ ହତାଶ ହେବାକୁ ପଡ଼ିଛି।

ଓଡ଼ିଆ ଚଳଚ୍ଚିତ୍ର ଇତିହାସ ଗୌରବମୟ ବୋଲି କୌଣସି ଦ୍ବିମତ ନାହିଁ। ୬୫ତମ ଓ ୬୭ତମ ଜାତୀୟ ପୁରସ୍କାର ଇତିହାସରୁ ଏହା ସ୍ପଷ୍ଟ ଯେ ଓଡ଼ିଶାରେ କାହାଣୀ, ସିନେମାଟୋଗ୍ରାଫି, ମୌଳିକ କଥାବସ୍ତୁ, ଭଲ ନିର୍ଦ୍ଦେଶକ ଓ କଳାକାରଙ୍କ ଅଭାବ ନାହିଁ। ମାତ୍ର କିଛି ଅବ୍ୟବସ୍ଥା ଆଜି ଓଡ଼ିଆ ଚଳଚ୍ଚିତ୍ରର ଗୌରବମୟ ଅତୀତକୁ ସାଗରଗର୍ଭକୁ ଠେଲି ଦେଇଛି। ଆର୍ଥିକ ସହାୟତା, ଠିକ୍‌ ଚଳଚ୍ଚିତ୍ର ନୀତି, ଅଧିକ ସିନେମା ହଲ୍‌ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରସ୍ତୁତିରେ ରିହାତି ବ୍ୟବସ୍ଥା ହେଲେ, ପୁଣି ଓଡ଼ିଆ ଚଳଚ୍ଚିତ୍ର ତା’ର ଅତୀତ ଗୌରବ ଫେରିପାଇବ ବୋଲି କୁହାଯାଉଛି। ତେଣୁ ଏବେ ରାଜ୍ୟ ସରକାର ଓ ଚଳଚ୍ଚିତ୍ର ଉନ୍ନୟନ ନିଗମ ଏନେଇ ପଦକ୍ଷେପ ନେବାର ସମୟ ଆସିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe