ଜିଲ୍ଲାପାଳ ଓ ଗ୍ରାମବାସୀଙ୍କ ବୈଠକ ବିଫଳ: ୫ଟି ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ କଲେନି କୌଣସି ପ୍ରାର୍ଥୀ

Advertisment

ମୋବାଇଲ ଟାୱାର ନଥିବାରୁ ପଞ୍ଚାୟତର ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ ଜନତା

ମୋବାଇଲ ଟାୱାର ନଥିବାରୁ ପଞ୍ଚାୟତର ଭୋଟ୍‌ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ ଜନତା

ଜିଲ୍ଲାପାଳ ଓ ଗ୍ରାମବାସୀଙ୍କ ବୈଠକ ବିଫଳ: ୫ଟି ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ କଲେନି କୌଣସି ପ୍ରାର୍ଥୀ

ଦେବଗଡ଼: ମୋବାଇଲ ଟାୱାର ନାହିଁ ତ ଭୋଟ୍‌ ନାହିଁ। ଏହି ଦାବିରେ ତିଲେଇବଣି ବ୍ଲକ୍‌ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ। କୌଣସି ଆଶାୟୀ ଯେପରି ପ୍ରାର୍ଥିପତ୍ର ଦାଖଲ ନ କରିପାରିବେ ସେଥିପାଇଁ ୧୭ ତାରିଖରୁ ପଞ୍ଚାୟତବାସୀ ପଞ୍ଚାୟତ କା‌ର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ କେବଳ ଜିଲ୍ଲା ପରିଷଦ ପାଇଁ ତିନି ପ୍ରମୁଖର ଦଳ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ଶୁକ୍ରବାର ତିଲେଇବଣି ବ୍ଲକ ପରିସରରେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସଂପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିବା ବେଳେ ଗ୍ରାମବାସୀମାନେ ମନୋନୟନ ପ୍ରକ୍ରିୟାରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିବା ସହିତ ସେମାନେ ନିଜ ଅଞ୍ଚଳକୁ ଗଲାପରେ ବୈଠକ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ। ଜିଲ୍ଲାପାଳ ଏବଂ ଗ୍ରାମବାସୀଙ୍କ ଆଲୋଚନା ଏକ ପ୍ରକାର ବିଫଳ ହୋଇଛି। ପଞ୍ଚାୟତବାସୀ ନିଜ ଜିଦରେ ଅଟଳ ରହିଛନ୍ତି।

ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟ ସୀମା ଶୁକ୍ରବାର ଅପରାହ୍‌ଣ ତିନିଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଏହି ସମୟ ସୀମା ମଧ୍ୟରେ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷୀ ଓ ଝାରମୁଣ୍ଡା ପଞ୍ଚାୟତରେ କେହି ବି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଡିମିରିକୁଦା ପଞ୍ଚାୟତର ଦୁଧପୋଷୀ ଗ୍ରାମର ଜଣେ ପ୍ରାର୍ଥୀ ସମିତି ସଭ୍ୟ ପାଇଁ ମନୋନୟନପତ୍ର ନେଇଥିବା ବେଳେ ସେ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ନହେବାକୁ ନିଷ୍ପତ୍ତି ନେଇ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ତେବେ ପଞ୍ଚାୟତବାସୀଙ୍କ ଏପରି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ଅନ୍ୟପଟେ ଗତକାଲି ମଧ୍ୟ ଝାରମୁଣ୍ଡା ପଞ୍ଚାୟତ ଗମ୍ଭାରୀପୋଷି ଗ୍ରାମର ଜଣେ ସରପଞ୍ଚ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ନାମାଙ୍କନପତ୍ର ନେଇଥିଲେ। ସେ ମଧ୍ୟ ନାମାଙ୍କନପତ୍ର ଫେରାଇ ଦେଇଥିଲେ। ଅଭିଯୋଗ ଅନୁଯା‌ୟୀ, କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ନାରା ଦେଉଥିଲେ ମଧ୍ୟ ଉକ୍ତ ପଞ୍ଚାୟତର ଲୋକେ ମୋବାଇଲ୍‌ ସେବା ପାଇପାରୁ ନାହାନ୍ତି। ଉକ୍ତ ଅଞ୍ଚଳରେ ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ମୋବାଇଲ ନେଟୱର୍କ ଆସୁଛି ତ ଆଉ କେତେକ ଗ୍ରାମରେ ମୋବାଇଲ ସେବା ପହଞ୍ଚିପାରୁନି।

ମୋବାଇଲ ନେଟ୍‌ୱର୍କ ନଥିବାରୁ ଉକ୍ତ ଗ୍ରାମରେ ପୁଅ କିମ୍ବା ଝିଅର ବାହାଘର ବିବାହ ପାଇଁ ପ୍ରସ୍ତାବ ପଡିଲେ ମଧ୍ୟ ତାହା ବନ୍ଦ ହୋଇଯାଉଥିବା କହିଛନ୍ତି। ଏପରିକି ମୋବାଇଲ ସେବା ନଥିବାରୁ କୌଣସି ଦୁଘର୍ଟଣା କି ଆପରାଧିକ ଘଟଣା ଘଟିଲେ ସେ ବାବଦରେ କାହାକୁ ସୂଚନା ଦେଇ ହେଉନି। ବର୍ତ୍ତମାନ ସବୁ ସରକାରୀ କାର୍ଯ୍ୟ ଅନ୍‌ଲାଇନ୍‌ରେ କରାଯାଉଥିବା ବେଳେ ଉକ୍ତ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ସଂକ୍ରମଣ ପାଇଁ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ମଧ୍ୟ ପାଠ ପଢି ପାରୁନାହାନ୍ତି। ଉକ୍ତ ଅଂଚଳରେ ମୋବାଇଲ ସମସ୍ୟା ନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କ‌ୌଣସି ସୁବିଧା କରାଯାଇ ନାହିଁ। ତେଣୁ ମୋବାଇଲ ଟାୱାର ନାହିଁ ତ ଭୋଟ୍‌ ନାହିଁ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ‌େ ବୋଲି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe