୩ ବ୍ଲକ୍‌ରେ ନାହିଁ ଯୁକ୍ତ୨ କଲେଜ

Advertisment
୩ ବ୍ଲକ୍‌ରେ ନାହିଁ ଯୁକ୍ତ୨ କଲେଜ

photo by : DNA India

ଭୁବନେଶ୍ୱର : ଓଡ଼ିଶାରେ କେହି ବି ନିରକ୍ଷର ରହିବେନି। ସବୁ ଛାତ୍ରଛାତ୍ରୀ ପଢ଼ିବେ, ବଢ଼ିବେ, ଶ୍ରେଷ୍ଠ ହେବେ। ଏହି ବାର୍ତ୍ତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପ୍ରତିବର୍ଷ ନୂତନ ସ୍କୁଲ, କଲେଜ ଖୋଲିବା ପାଇଁ ଅନୁମତି ଦିଆଯାଉଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟର ୩ଟି ବ୍ଲକ୍‌ରେ ଗୋଟିଏ ବି ସରକାରୀ କିମ୍ବା ଘରୋଇ ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପ୍ରତିଷ୍ଠା ହୋଇପାରି ନାହିଁ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ଆଦିବାସୀ ବହୁଳ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ୨ କଲେଜର ସମୀକ୍ଷା କରାଯିବା ବେଳେ ଏଭଳି ଚିତ୍ର ପଦାକୁ ଆସିଛି।

ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କଲେଜ ନ ଥିବା ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ସ୍ଥିର ହୋଇଛି। ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ବଦଳରେ ପ୍ରତି ବ୍ଲକ୍‌ର ଦୁଇଟି ଲେଖାଏ ହାଇସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ସରକାରଙ୍କ ଦ୍ୱାରା ପରିଚାଳିତ ହେବ। ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ ସିଲ୍‌ କହିଛନ୍ତି।
ଅନ୍ୟପକ୍ଷରେ ୨୦୧୮-୧୯ ଶିକ୍ଷାବର୍ଷରେ ୧୮ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ ୧୮ଟି ଯାକ ବିଦ୍ୟାଳୟ ସେଲ୍ଫ ଫାଇନାନ୍‌ସିଂ ମାଧ୍ୟମରେ ଖୋଲିବାକୁ ହାଇପାଓ୍ଵାର କମିଟି ବୈଠକରେ ସ୍ଥିର ହୋଇଛି। ଶ୍ରୀ ସିଲ୍‌ଙ୍କ କହିବାନୁଯାୟୀ ଗତବର୍ଷ କଟକ, ପୁରୀ, ଖୋର୍ଧା, ବାଲେଶ୍ୱର, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ପରି ଜିଲ୍ଲାରେ ୭୪ ହଜାର ସିଟ୍‌ ଖାଲି ରହିଥିଲା। ତେଣୁ ନିଷ୍ପତ୍ତି ନିଆଯାଇଛି ଯେ ଏହି ଅଞ୍ଚଳରେ କୌଣସି ନୂଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ବଲାଙ୍ଗୀର, ମୟୂରଭଞ୍ଜ ପରି ଜିଲ୍ଲାରେ ସିଟ୍‌ ଅଭାବ ହୋଇଥିବାରୁ ପରବର୍ତୀ ସମୟରେ ୧୦ ପ୍ରତିଶତ ସିଟ୍‌ ବଢ଼ାବାକୁ ପଡ଼ିଲା। ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ କଲେଜ ଖୋଲିବାକୁ ଅନୁମତି ମିଳିଛି।

ଚଳିତବର୍ଷ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲା ପଡ଼ିଛି। ୨୩ଟି ବିଦ୍ୟାଳୟରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ତାଲିକା ସାମ୍‌ସ େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଛାତ୍ରଛାତ୍ରୀ ଏହାକୁ ଦେଖି ନାମଲେଖାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀ ସିଲ୍‌ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ଉପରେ କଟାକଣା ଜାରି ହୋଇଛି ସେମାନେ ୨୦୧୯ ମାର୍ଚ୍ଚ ସୁଦ୍ଧା ଭିତ୍ତିଭୂମି ଠିକ୍‌ କରିବେ ବୋଲି ଏବେ ଆଫିଡେବିଟ୍‌ ଓ ଅଣ୍ଡରଟେକିଂ ଦେବାକୁ ହେବ। ନ ହେଲେ ୨୦୧୮-୧୯ ଲାଗି ଅନୁମତି ମିଳିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe