Schneider Electric
ଭୁବନେଶ୍ବର : ଏବର୍ଷ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ କାଟ୍ ହେବନି। ବିଗତବର୍ଷଗୁଡ଼ିକ ତୁଳନାରେ ଏଥର ରାଜ୍ୟରେ ବିଦ୍ୟୁତ୍ ଚାହିଦା ଓ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାସତ୍ତ୍ବେ ବି ଗରମ ସମୟରେ ବିଦ୍ୟୁତ୍ କାଟ୍ କରାଯିବ ନାହିଁ ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି।
ଏହାବ୍ୟତୀତ ଗ୍ରୀଷ୍ମ ସମୟ ଅର୍ଥାତ୍ ମେ’ ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ ଶ୍ରମିକମାନେ ବାହାରେ ପରିଶ୍ରମ କରିବେନି। ସବୁ ପ୍ରକାର ବିଦ୍ୟାଳୟ ସକାଳ ୬ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ୧୧ ସୁଦ୍ଧା ଯେମିତି ଛାତ୍ରଛାତ୍ରୀ ଘରେ ପହଞ୍ଚିବେ ସେଥିପ୍ରତି ବିଦ୍ୟାଳୟ କର୍ତୃପକ୍ଷ ଗୁରୁତ୍ବ ଦେବେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। କୌଣସି ସ୍ଥାନରେ ଯଦି ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ନିୟମ ଉଲ୍ଲଂଘନ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।
ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ସମସ୍ତ ନଳକୂପ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଲଗାତାର ମରାମତି ଓ ରକ୍ଷଣାବେକ୍ଷଣ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ନାଗରିକ ସମିତିମାନଙ୍କୁ ସାମିଲ କରି ଗ୍ରାମ ଓ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଡାକ୍ତରଖାତାରେ ଅଂଶୁଘାତ ରୋଗୀଙ୍କର ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଅଂଶୁଘାତ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଅନବରତ ବିଦ୍ୟୁତ୍ ଯୋଗାଣ ବଜାୟ ରଖିବାକୁ ଶକ୍ତି ବିଭାଗକୁ ନିର୍ଦେଶ ଦିଆଯାଇଛି।
ସମସ୍ତ ପାନୀୟ ଜଳ ପ୍ରକଳ୍ପର ପ୍ରାକ୍-ଗ୍ରୀଷ୍ମକାଳୀନ ମରାମତି ସରିଛି। ସେଗୁଡ଼ିକ ବର୍ତମାନ କାର୍ଯ୍ୟକ୍ଷମ ରହିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ସୂଚନା ଦେଇଥିଲେ। ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ କହିଥିଲେ ସମସ୍ତ ଜିଲ୍ଲାସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି। ଜିଲ୍ଲାସ୍ତରୀୟ ପ୍ରସ୍ତୁତି ଅନୁଯାୟୀ ରାଜ୍ୟସ୍ତରୀୟ କାର୍ଯ୍ୟ ପ୍ରସ୍ତୁତ ହୋଇଛି। ଚଳିତବର୍ଷ ବ୍ଲକ ଓ ଜିଲ୍ଲାସ୍ତରରେ ଗ୍ରୀଷ୍ମ ପ୍ରବାହ ସ୍ଥିତିର ଅନୁଧ୍ୟାନ ଓ ପୂର୍ବାନୁମାନ ବ୍ୟବସ୍ଥା ହୋଇଛି।
ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ ଅନୁସାରେ ବସ୍ ଓ ଯାତ୍ରୀବାହୀ ଯାନଗୁଡ଼ିକ ଚଳାଚଳ ନିୟନ୍ତ୍ରିତ କରିବା ପଇଁ ଆର୍ଟିଓମାନଙ୍କୁ ନିର୍ଦେଶ ଦିଆଯାଇଛି। ବସ୍ରେ ଓଆର୍ଏସ୍ ପ୍ୟାକେଟ୍, ନିରାପଦ ପାନୀୟ ଜଳ ଓ ଫାଷ୍ଟ-ଏଡ୍ ଆଦିର ଉପଯୁକ୍ତ ବ୍ୟବସ୍ଥା କରିବାକୁ ବସ୍ ମାଲିକମାନଙ୍କୁ କୁହାଯାଇଛି। ଦୈନିକ ଗ୍ରୀଷ୍ମ ପ୍ରବାହ ସ୍ଥିତିର ଅନୁଧ୍ୟାନ, ପ୍ରାକ୍ ସତର୍କ ସୂଚନା ପ୍ରସାରଣ, ପଶୁପକ୍ଷୀମାନଙ୍କ ପାଇଁ ନଳକୂପ ଓ ପାଇପ୍ ଜଳ ଯୋଗାଣ ପୋଷ୍ଟ ପାଖରେ କୁଣ୍ଡ ନିର୍ମାଣ, ଜଳଛତ୍ର ସ୍ଥାପନ, ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପୋଖରୀ ଓ କୁଣ୍ଡ ଆଦିରେ ପାଣି ରଖିବା, କ୍ଷେତ୍ରସ୍ତରରେ ଅନ୍ତଃ ବିଭାଗୀୟ ସମନ୍ବୟ ମାଧ୍ୟମରେ ପରିସ୍ଥିତିର ମୁକାବିଲା ପରି ବିଷୟରେ ବୈଠକରେ ଆଲୋଚନା ହୋଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା।
Follow Us