ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ: ଦାୟଦଙ୍କ ମୁଣ୍ଡ ଗୁଞ୍ଜିବାକୁ ନାହିଁ ପକ୍କାଘର

ସୁଖରାମ ଏବଂ ଲଖିମଣି ଗାଁରେ ରହୁଛନ୍ତି। ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳ ସ୍ମାରକୀଭାବେ ସରକାରଙ୍କ ହେପାଜତରେ ରହିଛି। ବୃଦ୍ଧଦମ୍ପତି ଜଣେ ସଂପର୍କୀୟ ଭାଇଙ୍କ ଜମିରେ ଥିବା ଏକ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଘରଟି ପଥର ଓ ମାଟିରେ ତିଆରି ହୋଇଥିବାବେଳେ ଆଜବେଷ୍ଟସ୍‌ ଛାଉଣି।

ଦେଶ ପାଳୁଛି ଜନଜାତି ଗୌରବ ଦିବସ

ରାଉରକେଲା(ଦେବବ୍ରତ ଗଡ଼ତିଆ):  ମହାନ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ହୋଇଛି। ୧୫୦ତମ ଜୟନ୍ତୀ ହୋଇଥିବାରୁ ଏହାକୁ ଦେଶବ୍ୟାପି ଜନଜାତୀୟ ଗୌରବଦିବସ ଭାବେ ପାଳନ କରାଯାଉଛି। ଏନେଇ ଦେଶବାସୀ ଉତ୍ସାହିତ ଥିବାବେଳେ ବିର୍ସା ମୁଣ୍ଡାଙ୍କ ବଂଶଜଙ୍କ ଦୁରାବସ୍ଥା ଉପରେ କିନ୍ତୁ କାହାରି ନଜର ନାହିଁ। ଏଯାଏ ସେମାନଙ୍କ ପାଖରେ ପକ୍କାଘର ଖଣ୍ଡେ ପହଞ୍ଚିପାରିନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଅନୁମୋଦିତ ହୋଇଛି ସତ, କିନ୍ତୁ ଜମି ଅଭାବରୁ ତିଆରି ହୋଇପାରିନି। ଆଦିବାସୀଙ୍କ ଜମି ସୁରକ୍ଷା ପାଇଁ ଇଂରେଜ ବିରୋଧରେ ସଂଗ୍ରାମ କରି ଯୁବାବସ୍ଥାରେ ସହିଦ ହୋଇଥିବା ବିର୍ସା ମୁଣ୍ଡାଙ୍କ ପରିବାରକୁ ଘର ପାଇଁ ଜମି ଗୁ​ଣ୍ଠେ ନ ମିଳିବା, ଏହି ମହାପୁରୁଷଙ୍କ ପ୍ରତି ଚରମ ଉପହାସ ବୋଲି ଆଲୋଚନା ହେଉଛି।
publive-image
ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଉଲିହାତୁ ଗାଁରେ ବର୍ତ୍ତମାନ କେବଳ ବିର୍ସା ମୁଣ୍ଡାଙ୍କ ନାତି (ସାନଭାଇ କାନୁ ମୁଣ୍ଡାଙ୍କ ନାତି, ନିଜେ ଅବିବାହିତ ଥିଲେ) ସୁଖରାମ ମୁଣ୍ଡା (୮୨) ଏବଂ ତାଙ୍କ ପତ୍ନୀ ଲଖିମଣି (୭୩) ବାସ କରୁଛନ୍ତି। ବିର୍ସା ମୁଣ୍ଡାଙ୍କ ପ୍ରକୃତ ବଂଶଜଭାବେ ବିବେଚିତ ଏହି ଦମ୍ପତିଙ୍କ ୪ ପୁଅଙ୍କ ମଧ୍ୟରୁ ୨ ଜଣଙ୍କୁ ଝାଡ଼ଖଣ୍ଡ ସରକାର ପକ୍ଷରୁ ଚତୁର୍ଥଶ୍ରେଣୀ କର୍ମଚାରୀଭାବେ ନିଯୁକ୍ତି ମିଳିଛି। ସବା ବଡ଼ପୁଅଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାବେଳେ ସେ କିଛିବର୍ଷ ହେଲା ନିଖୋଜ ଅଛନ୍ତି। ସବା ସାନପୁଅଙ୍କ ଅକାଳ ବିୟୋଗ ଘଟିଛି। ଅର୍ଥାତ୍‌, ଏବେ ବିର୍ସା ମୁଣ୍ଡାଙ୍କ ଦୁଇ ପଣନାତି ଜଙ୍ଗଲ ମୁଣ୍ଡା ଏବଂ କାନୁ ମୁଣ୍ଡା ଖୁଣ୍ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ।
ଅପରପକ୍ଷରେ ବୃଦ୍ଧଦମ୍ପତି ସୁଖରାମ ଏବଂ ଲଖିମଣି ଗାଁରେ ରହୁଛନ୍ତି। ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳ ସ୍ମାରକୀଭାବେ ସରକାରଙ୍କ ହେପାଜତରେ ରହିଛି। ବୃଦ୍ଧଦମ୍ପତି ଜଣେ ସଂପର୍କୀୟ ଭାଇଙ୍କ ଜମିରେ ଥିବା ଏକ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଘରଟି ପଥର ଓ ମାଟିରେ ତିଆରି ହୋଇଥିବାବେଳେ ଆଜବେଷ୍ଟସ୍‌ ଛାଉଣି। ଏଯାଏ ଏହି ମହାନ ସହିଦଙ୍କ ଦାୟାଦଙ୍କୁ ପକ୍କାଛାତଟିଏ ନ ମିଳିବା ବିର୍ସାଙ୍କୁ ଭଗବାନ ମାନୁଥିବା ଆଦିବାସୀ ସଂପ୍ରଦାୟକୁ ବିଚଳିତ କରେ। ଗୋଟିଏ ପଟେ ପକ୍କାଘର ତିଆରି ହୋଇପାରୁ ନାହିଁ। ଅନ୍ୟପଟେ ସଂପର୍କୀୟ ଘର ଛାଡ଼ିବାକୁ ବାଧ୍ୟ କରିବା ସହ ନିୟମିତ ଝଗଡ଼ା କରୁଛନ୍ତି। ପ୍ରାୟ ୩ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଅନୁମୋଦିତ ହୋଇଥିଲା। 

ତେବେ ନିଜସ୍ବ ଜମି ନଥିବାରୁ ଘର ନିର୍ମାଣ ହୋଇପାରୁନି। ଯେଉଁ ଜମି ଅଛି, ତାହା ଗାଁଠାରୁ ଦୂର ନିକାଞ୍ଚନ ଅଞ୍ଚଳରେ ଜଙ୍ଗଲକୁ ଲାଗି ରହିଛି।  ଗାଁ ଲୋକ ବି ଅନୁକମ୍ପା ଦେଖାଇ ଘର ତିଆରି ପାଇଁ ଜାଗାଟିକେ ଦେବାକୁ ଅମଙ୍ଗ। ଏମିତିକି ଜଙ୍ଗଲକୁ ଲାଗିଥିବା ନିଜ ଜମିରେ ଘର ତିଆରି କଲେ ସେଠାକୁ ଯିବା ପାଇଁ ରାସ୍ତାଟିକେ ଦେବାକୁ ବି ଗାଁ’ଲୋକ ନାରାଜ। ଏଣୁ ବାଧ୍ୟହୋଇ ସେହି ଆଜବେଷ୍ଟସ୍‌ ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ସୁଖରାମ ଏବଂ ଲଖିମଣି।

publive-image
ଉଲ୍ଲେଖଯୋଗ୍ୟ, ସୁଖରାମଙ୍କର ପାଖାପାଖି ୬.୬୭ ଏକର ଜମି ଥିଲା। ସେଥି ମଧ୍ୟରୁ ୧.୬ ଏକର ଜମି ଉଲିହାତୁ ଚେକ୍‌ ଡ୍ୟାମ୍‌ରେ ବିଲୀନ ହୋଇଯାଇଥିବାବେଳେ ୨୭ ଡିସିମିଲ ଜମିରେ ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ଖେଳପଡ଼ିଆ ନିର୍ମାଣ କରାଯାଇଛି। ଏହାଛଡ଼ା ପାଖାପାଖି ୧ ଏକର ଜମି ଜବରଦଖଲରେ ରହିଛି। ବର୍ତ୍ତମାନ ସେମାନଙ୍କ ପାଖରେ ମାତ୍ର ୩ ଏକର ଜମି ରହିଛି। ଉକ୍ତ ଜମି କିନ୍ତୁ ୪ଟି ଭିନ୍ନଭିନ୍ନ ସ୍ଥାନରେ ତଥା ପାହାଡ଼ ତଳେ ଥିବାରୁ ବାସଗୃହ ନିର୍ମାଣ ହୋଇପାରୁନି।
ଏନେଇ ପ୍ରତିକ୍ରିୟା ରଖି ବିର୍ସା ମୁଣ୍ଡାଙ୍କ ପଣନାତି ଜଙ୍ଗଲ ମୁଣ୍ଡା କହନ୍ତି, ଉଭୟ ଝାଡ଼ଖଣ୍ଡ ଓ ଭାରତ ସରକାର ଜୟନ୍ତୀ ପାଳନରେ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଭଗବାନ ବିର୍ସା ମୁଣ୍ଡାଙ୍କ ବଂଶଜଙ୍କୁ ଭୁଲିଯାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଅନୁମୋଦନ କରିଦେଲେ ସତ, କିନ୍ତୁ ଘର କେଉଁଠି ତିଆରି ହେବ, କେମିତି ହେବ ସେକଥା କେହି ବୁଝିଲେନି। ଗାଁ ଭିତରେ ନିଜସ୍ବ ଜମି ନଥିବାରୁ ଘର ତିଆରି କରିପାରୁନୁ। ଜଙ୍ଗଲ ତଳେ ଥିବା ଜମିରେ ବି ଘର ତିଆରି କରିବାକୁ ରାଜି, କିନ୍ତୁ ଗାଁ ଲୋକ ରାସ୍ତା ଦେବାକୁ ସିଧାସଳଖ ମନା କରୁଛନ୍ତି। ଏନେଇ ଏକାଧିକବାର ଝାଡ଼ଖଣ୍ଡ ସରକାର, ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ କୌଣସି ଲାଭ ମିଳୁନି। ଭଗବାନ ବିର୍ସାଙ୍କ ଜନ୍ମ ଏହି ଗ୍ରାମରେ ହୋଇଥିବାରୁ ଉତ୍ତରଦାୟାଦଙ୍କୁ ଗାଁ ଭିତରେ ଘର ଖଣ୍ଡେ ମିଳିବା ଦରକାର।
publive-image
ଏନେଇ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ଓଡ଼ିଶା ସରକାରଙ୍କଠାରୁ କିଛି ଆଶା ରହିଛି କି ବୋଲି ପଚାରିବାରୁ କହିଲେ, ବିଗତ ଦିନରେ ବୀର ବିର୍ସାଙ୍କ ନାମରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ତିଆରି ହୋଇଥିବା ସୂଚନା ପାଇଥିଲୁ। ତେବେ ଉଦ୍‌ଘାଟନ ସମୟରେ ବି ସୌଜନ୍ୟମୂଳକ ନିମନ୍ତ୍ରଣ ଟିଏ ମିଳି ନଥିଲା। ଏବେ ଓଡ଼ିଶା ସରକାର ବି ମହାସମାରୋହରେ ଭଗବାନଙ୍କ ଜୟନ୍ତୀ ପାଳନ କରୁଥିବା ଶୁଣୁଛୁ। କିନ୍ତୁ ଆମକୁ ଆନୁଷ୍ଠାନିକଭାବେ କିଛି ସୂଚନା ଦିଆଯାଇନି ବୋଲି କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe