‘ବିଧାନ ପରିଷଦ୍‌’ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ ପ୍ରସ୍ତାବନା ଆସିନାହିଁ: କିରେନ୍‌ ରିଜିଜୁ

Advertisment
‘ବିଧାନ ପରିଷଦ୍‌’ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ ପ୍ରସ୍ତାବନା ଆସିନାହିଁ: କିରେନ୍‌ ରିଜିଜୁ

Image Courtesy of Competitive India

ନୂଆଦିଲ୍ଲୀ:  ‘ବିଧାନ ପରିଷଦ୍‌’ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବନା ଆସିନାହିଁ। କିନ୍ତୁ,ଏ ସଂକ୍ରାନ୍ତରେ  ରାଜ୍ୟ ସରକାରଙ୍କଠାରୁ ସୂଚନା ସଂଗ୍ରହ ଚାଲିଛି ବୋଲି ଆଜି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ସାଂସଦ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ମନ୍ତ୍ରାଳୟରେ ସଂଗୃହୀତ ରେକର୍ଡ ଅନୁସାରେ ବିଧାନ ପରିଷଦ ଗଠନ ନେଇ ‌ଓଡ଼ିଶା ସରକାର ‌ଏଯାବତ୍ କୌଣସି ପ୍ରସ୍ତାବ ପଠାଇ ନାହାନ୍ତି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଚାରି ଥିଲେ ଯେ ଭାରତର କେଉଁ କେଉଁ ରାଜ୍ୟରେ ବିଧାନ ପରିଷଦ୍‌ ଅଛି? କେଉଁ‌ କେଉଁ ରାଜ୍ୟ ବିଧାନସଭା ସବୁ ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ୍‌ ଗଠନ ପାଇଁ  ସର୍ବସମ୍ମତ ପ୍ରସ୍ତାବନା ଗୃହୀତ କରିଛନ୍ତି? ପରିଷଦ୍‌ ଗଠନ ପାଇଁ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ପ୍ରସ୍ତାବନା ଗୃହୀତ କରିଛି କି? ଅଥବା ସମ୍ବିଧାନର ଧାରା ୧୬୯ ଅନୁସ‌ାରେ, ବିଧାନ ପରିଷଦ୍‌ ଗଠନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବେ କି? ଯଦି କରିବେ, କେବେ କରିବେ? ଯଦି କରିବେ ନାହିଁ, ନ କରିବାର କାରଣ କ’ଣ?

publive-image Image Courtesy of Objective IAS

ଏହାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ସମ୍ପ୍ରତି ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ଭଳି ୬ଟି ରାଜ୍ୟରେ ରାଜ୍ୟ ବିଧାନ ପରିଷଦ୍‌ ରହିଛି।

ସେହିପରି, ଆସାମ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ବିଧାନ ପରିଷଦ୍‌ ଗଠନ ନିମନ୍ତେ ପ୍ରସ୍ତାବନା ଗୃହୀତ କରିଛନ୍ତି। ମାତ୍ର ଓଡ଼ିଶା ସରକାର କୌଣସି ପ୍ରସ୍ତାବନା ପଠାଇ ନାହାନ୍ତି। ତେବେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe