ରାସ୍ତା ନଥିବା ଗ୍ରାମ: ଚାଲିଚାଲି ଯାଇ ବେସରାଝରଣରେ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ

Advertisment

ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କୁ ଷ୍ଟ୍ରେଚର ଭରସା

ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କୁ ଷ୍ଟ୍ରେଚର ଭରସା

ରାସ୍ତା ନଥିବା ଗ୍ରାମ: ଚାଲିଚାଲି ଯାଇ ବେସରାଝରଣରେ ସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ

ଝରିଗାଁ: ଗାଁକୁ ପକ୍କା ରାସ୍ତା ଓ ନାଳରେ ପୋଲ ନିର୍ମାଣ ପାଇଁ ବହୁବାର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରାଯାଇଛି। କିନ୍ତୁ କେହି କର୍ଣ୍ଣପାତ କରୁନଥିବାରୁ ମକା ଜମିର ହିଡ଼ ଓ ନାଳ ପାର ହୋଇ ଯାତାୟାତ କରିବାକୁ ପଡ଼ୁଛି। ବର୍ଷାଦିନେ ‌ରୋଗୀ ଓ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ନେବାକୁ ପଡ଼ୁଛି। ପକ୍କା ରାସ୍ତା ନଥିବାରୁ ପ୍ରାୟ ୪୦ବର୍ଷ ହେଲା ଏଭଳି ହନ୍ତସନ୍ତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେସରାଝରଣ ଗ୍ରାମବାସୀ।

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଇନ୍ଦ୍ର ଧନୁସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ ରୋଜାଲିନ ଦାସ, ସ୍ଥାନୀୟ ଅଙ୍ଗନ ବାଡ଼ି କର୍ମୀ ପୂର୍ଣ୍ଣିମା ସନ୍ତା ଏବଂ ଆଶା କମଳାବତୀ ସନ୍ତା ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବେସରାଝରଣ ଗ୍ରାମ ଯାଇଥିଲେ। ତେବେ ରାସ୍ତା ନଥିବା ଯୋଗୁଁ ପ୍ରାୟ ଏକ କିଲୋମିଟର ଚାଲି ଚାଲି ଔଷଧ ଓ ଟୀକାକରଣ ବକ୍ସ ବୋହି ନାଳ ପାର ହୋଇ ବେସରାଝରଣ ଗ୍ରାମରେ ପହଞ୍ଚି ଥିଲେ। ସେଠାରେ ଗ୍ରାମରେ ଥିବା ଦୁଇ ଜଣ ଗର୍ଭବତୀ ଏବଂ ଦୁଇ ଜଣ ଛୋଟ ଛୋଟ ଶିଶୁମାନଙ୍କୁ ଟୀକାକରଣ କରିଥିଲେ। ସେହିପରି ଗ୍ରାମର ଥଣ୍ଡା ଓ କାଶରେ ପୀଡ଼ିତ ୧୦ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ ଏବଂ ଔଷଧ ସେବନ ସମ୍ପର୍କରେ ବୁଝାଇଥିଲେ। ପୁଣି ଚାଲିଚାଲି ପକ୍କା ରାସ୍ତା ପର୍ଯ୍ୟନ୍ତ ଆସିବା ପରେ ନିଜ ନିଜ ବାଇକରେ ଘରକୁ ଫେରିଥିଲେ।

publive-image

ଝରିଗାଁ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ବେସରାଝରଣ ଗାଁରେ ପ୍ରାୟ ୪୦ବର୍ଷ ହେଲା ୧୩ଟି ସାନ୍ତା ପରିବାର ବସବାସ କରୁଛନ୍ତି। ଚାଷ କରି ସମସ୍ତେ ପରିବାର ପ୍ରତିପୋଷଣ କରନ୍ତି। ଏହି ଗ୍ରାମକୁ ଯିବା ପାଇଁ ହେଲେ ବରାଗୁଡା ଗ୍ରାମ ଦେଇ ଯିବା ପାଇଁ ପଡେ। ବରାଗୁଡା ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂର ପକ୍କା ରାସ୍ତା ଦେଇ ଯିବା ପରେ ଡାହାଣରେ ଥିବା ପାଦ ଚଲା ରାସ୍ତା ଦେଇ ମକା ଜମି ହିଡ ଏବଂ ଏକ ଛୋଟ ନାଳ ପାର ହେବା ପରେ ବେସରାଝରଣ ଗ୍ରାମ ଯିବା ପାଇଁ ପଡ଼େ। ବେସରାଝରଣ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ଯୋଗୁଁ ବର୍ଷା ଦିନରେ ଗ୍ରାମବାସୀଙ୍କୁ ଯାତାୟତରେ ସମସ୍ୟା ହେଉଥାଏ।

ରାସ୍ତା ନଥିବା ସହ ନାଳରେ ବର୍ଷା ଦିନ ପାଣି ଅଧିକ ହେଲେ ଯାତାୟତ କରିବା ସମ୍ଭବ ହେଉନାହିଁ। ଏହି ଗ୍ରାମକୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇ ନଥାଏ। ଫଳରେ ବର୍ଷା ଦିନରେ ରୋଗୀ ଏବଂ ଗର୍ଭବତୀଙ୍କୁ ଷ୍ଟ୍ରେଚର ବୋହି ପକ୍କା ରାସ୍ତା ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ଚଳିତ ବର୍ଷ ଗ୍ରାମର ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚର ବୋହି ପକ୍କା ରାସ୍ତା ପର୍ଯ୍ୟନ୍ତ ନେବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ସେହିପରି ବେସରାଝରଣ ଗ୍ରାମରେ ବିଦ୍ୟାଳୟ ନଥିବା ଯୋଗୁଁ ନିକଟରେ ଥିବା ବଇଁଶୀବନ୍ଧା ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ବର୍ଷା ଦିନରେ ନାଳରେ ବର୍ଷା ପାଣି ଅଧିକ ହେଉଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ଅଭିବାହାକମାନେ ବିଦ୍ୟାଳୟ ପଠାଇବା ପାଇଁ ଅମଙ୍ଗ ହେଉଛନ୍ତି। ପକ୍କା ରାସ୍ତା ପାଇଁ ବହୁବାର ଜନପ୍ରତିନିଧିଙ୍କ ସହିତ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe