ସ୍ବାଧୀନତାର ସାତ ଦଶନ୍ଧି ପରେ ଗାଁକୁ ନାହିଁ ପକ୍କାରାସ୍ତା, ଶ୍ରମଦାନ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

Advertisment
ସ୍ବାଧୀନତାର ସାତ ଦଶନ୍ଧି ପରେ ଗାଁକୁ ନାହିଁ ପକ୍କାରାସ୍ତା, ଶ୍ରମଦାନ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ସ୍ବାଧୀନତାର ସାତ ଦଶନ୍ଧି ପରେ ପକ୍କା ରାସ୍ତାଟିଏ ନାହିଁ। ଲୋକେ ରାସ୍ତା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ସରକାରୀ ଯୋଜନା ମଧ୍ୟ ଗାଁକୁ ପହଞ୍ଚି ପାରୁ ନାହିଁ। ଏଭଳି ଏକ ଗ୍ରାମ ହେଉଛି ମାଥିଲି ବ୍ଲକର ଟେମରୁପାଲୀ ପଞ୍ଚାୟତର ଛତିଶଗଡ ସୀମାକୁ ଲାଗି ରହିଥିବା ପାହାଡ ଉପର ଗ୍ରାମର ଦଣ୍ଡିପଦର। ଏହି ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଫଳସ୍ବରୂପ ନକ୍ସଲ ଏଠାରେ ନିଜର ଅଡ୍ଡା ତିଆରି କରିଥିଲେ। ଏଠାରେ ହିଁ ନକ୍ସଲ ବିଭିନ୍ନ ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଗାଁକୁ ରାସ୍ତା ନଥିବାରୁ ପୁଲିସ କିମ୍ବା ପ୍ରଶାସନ ଏଠାକୁ ପହଞ୍ଚିପାରୁନଥିଲା। ଗ୍ରାମକୁ ଅଜଣା ବ୍ୟକ୍ତି ଆସିଲେ ସେହି ବ୍ୟକ୍ତିର ସମସ୍ତ ତଥ୍ୟା ରଖାଯାଉଥିଲା।

ଏବେ ମହୁପଦର ଏବଂ ଟେମରୁପାଲୀ ଠାରେ ବିଏସଏଫ କ୍ୟାମ୍ପ ହେବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ଛତିଶଗଡର ଦରଭା ଡିଭିଜନର ମାଓନେତାମାନେ ଏହି ଅଂଚଳକୁ ନିଜ କବଜାକୁ ନେଇଥିଲେ। ଲୋକେ ଅତି ଦୟନୀୟ ଭାବେ ଏଠାରେ ରହୁଥିଲେ। ନିଜ ଅଂଚଳରେ ଯାହା ଫଳାଉଥିଲେ ତାକୁ ଖାଇ ରହୁଥିଲେ। ସରକାରୀ ସୁବିଧା ଏଠାରେ ପହଞ୍ଚୁ ନଥିଲା। ଲୋକେ ସରକାରଙ୍କର କୌଣସି ଯୋଜନା ସଂପର୍କରେ ଅବଗତ ନଥିଲେ। ଏବେ ନକ୍ସଲ ହଟିବାରୁ ଲୋକେ ଗାଁରୁ ବାହାରକୁ ବାହାରି ପାରୁଛନ୍ତି। ଗାଁକୁ ବିଦ୍ୟୁତ ସେବା ମଧ୍ୟ ପହଞ୍ଚିଥିବା ଜଣାପଡିଛି।

ସ୍ବାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତ ଏହିଗ୍ରାମର ଲୋକେ ବିଦ୍ୟୁତ ଆଲୋକ କଣ ଜାଣିନଥିଲେ। ଏତେ ବର୍ଷ ପରେ ଗାଁକୁ ବିଦ୍ୟୁତ ଆସିଥିବାରୁ ଲୋକଙ୍କ ଖୁସି କହିଲେ ନସରେ। ଏବେ ଗ୍ରାମବାସୀ ନିଜ ଗ୍ରାମର ରାସ୍ତା ନଥିବାରୁ ମିଳିମିଶି ରାସ୍ତା ସମତୁଲ କରୁଥିବା ଦେଖିବାକୁ ମିଳିଛି। ଲୋକେ ଏହି ରାସ୍ତା ତିଆରି କରିବା ପରେ ହୁଏତ ପ୍ରଶାସନ ଏଠାରେ ପକ୍କା ରାସ୍ତା ନିର୍ମାଣ କରିବ ବୋଲି ଆଶା ପ୍ରକଟ କରିଛନ୍ତି।ସୁରକ୍ଷା କଡାକଡି ହେଉଥିବାରୁ ବିକାଶ ଧିରେ ଧିରେ ଏହି ଗ୍ରାମରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଗାଁକୁ ରାସ୍ତା ହେଲେ ସମସ୍ତ ମୌଳିକ ସୁବିଧା ଏହି ଗ୍ରାମକୁ ପହଞ୍ଚିବ। ଲୋକେ ଓଡିଶା ଉପରେ କମ୍ ନିର୍ଭର କରୁଥିବା ବେଳେ ଛତିଶଗଡ ଉପରେ ବେଶୀ ନିର୍ଭର କରୁଥିଲେ। ଛତିଶଗଡର ପୁଶପାଲି ଗ୍ରାମକୁ ଯାଇ ସେମନେ ନିଜ ନିଜର ଦୈନନ୍ଦିନ ସାମଗ୍ରୀ କିଣି ଆଣୁଥିଲେ।

ଦଣ୍ଡିପଦର ଗ୍ରାମର ସୀମାକୁ ଛତିଶଗଡ ଲାଗିଛି। ତେଣୁ ଲୋକେ ଛତିଶଗଡକୁ ଯିବାକୁ ଭଲ ପାଇବା ସହ ଛତିଶଗଡି ଭାଷାରେ ହିଁ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ନକ୍ସଲ ଏବେ ଏହି ଗାଁରୁ ଦୁରକୁ ଚାଲିଯାଇଛନ୍ତି। ଲୋକେ ରାତିରେ ନିଶ୍ଚିନ୍ତରେ ଶୋଇପାରୁଥିବା କହନ୍ତି। ଏବେ ପ୍ରଶାସନ ରାସ୍ତା କଲେ ଆଗକୁ ଏଠାକୁ ପୁଲିସର ମଧ୍ୟ ପାଦ ପଡିବ, ଯାହାଫଳରେ ନକ୍ସଲ ଆଦୌ ଏହି ଗ୍ରାମକୁ ଆସିବେ ନାହିଁ ବୋଲି କୁହାଯାଇଛି। ବ୍ଲକ ପ୍ରଶାସନ ମଧ୍ୟ ଦଣ୍ଡିପଦର ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସଜବାଜ ହେଉଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe