ଦେଶ ସ୍ବାଧୀନ ହେବାର ୭୫ବର୍ଷ ପରେ ବି ରାମଗଡ଼କୁ ରାସ୍ତା ନାହିଁ

Advertisment

କାଉଡ଼ିରେ ପ୍ରସୂତିଙ୍କୁ ବୋହିଲେ ଦୁଇ କିଲୋମିଟର, ଆମ୍ବୁଲାନ୍ସରେ ଜଣେ ଓ ଡାକ୍ତରଖାନାରେ ଜଣେ ଶିଶୁ ଜନ୍ମ

କାଉଡ଼ିରେ ପ୍ରସୂତିଙ୍କୁ ବୋହିଲେ ଦୁଇ କିଲୋମିଟର, ଆମ୍ବୁଲାନ୍ସରେ ଜଣେ ଓ ଡାକ୍ତରଖାନାରେ ଜଣେ ଶିଶୁ ଜନ୍ମ

ଦେଶ ସ୍ବାଧୀନ ହେବାର ୭୫ବର୍ଷ ପରେ ବି ରାମଗଡ଼କୁ ରାସ୍ତା ନାହିଁ

Sambad

ଜୟପୁର: ଦେଶ ସ୍ବାଧୀନତାର ୭୫ବର୍ଷ ପରେ ବି ଜୟପୁର ବ୍ଲକର ଗଡପଦର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡ ଉପରେ ଥିବା ଗାଁ ରାମଗଡ଼ ପାଇଁ ପ୍ରଶାସନ ରାସ୍ତା ଖଣ୍ଡିଏ ନିର୍ମାଣ କରି ପାରିଲାନି। ଆଜି ଜଣେ ପ୍ରସୂତି ମହିଳାଙ୍କୁ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ପାହାଡ ଉପରୁ ୨କିଲୋମିଟର ତଳକୁ କାଉଡ଼ି କରି ବୋହି ଆଣିଥିଲେ। ଭାଗ୍ୟବଶତଃ ପ୍ରସୂତି ବଞ୍ଚିଯାଇଛନ୍ତି। ୨ ଯମଜ ଶିଶୁଙ୍କର ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ସୂଚନା ଅନୁଯାୟୀ, ଜୟପୁର ବ୍ଲକ ରାମଗଡ଼ର ସମାରୁ ଭାତପାଇଙ୍କ ପତ୍ନୀଙ୍କୁ ଆଜି ସକାଳ ୭ଟାରେ ପ୍ରସବ ବେଦନା ଉଠିଥିଲା। ପରିବାରବର୍ଗ ତୁରନ୍ତ ଆଶାକର୍ମୀଙ୍କୁ ସୂଚନା ଦେଇଥିଲେ। ଆଶାକର୍ମୀ ଜଣକ ତୁରନ୍ତ ରାବଣାଗୁଡା ସିଏଚସିକୁ ସୂଚନା ଦେବା ସହ ଆମ୍ବୁଲାନ୍ସ ଡକାଇଥିଲେ। ବୈରାଗୀମଠରୁ ରାମଗଡ଼ ଦୁଇ କିଲୋମିଟର ରାସ୍ତା ନିର୍ମାଣ ହୋଇ ନଥିବାରୁ ଆମ୍ବୁଲାନ୍ସଟି ପାହାଡ଼ ତଳ ପର୍ଯ୍ୟନ୍ତ ଆସି ରହି ଯାଇଥିଲା। ପ୍ରସୂତି ମହିଳାଙ୍କୁ ଗୋଟିଏ କାଉଡ଼ି କରି ତାଙ୍କ ସ୍ବାମୀ ସମାରୁ, ଦିଅର, ୨ ଜ୍ବାଇଁ ଜଣକ ପରେ ଜଣେ ପାଳି କରି ୨କିଲୋମିଟର ପଥୁରିଆ ରାସ୍ତାରେ ବୋହି ତଳକୁ ଆଣିଥିଲେ। ପ୍ରସୂତି ଜଣକ ଦଉଡି ଗୁଡ଼ିକୁ ଧରି କାଉଡ଼ିରେ ସେଭଳି ବସି ତଳକୁ ଆସିଥିଲେ। ପ୍ରସୂତିଙ୍କ ମାଆ ଲିମିରି, ଆଶାକର୍ମୀ ଓ ଗାଁର କିଛି ସମ୍ପର୍କୀୟ ମହିଳା ସେମାନଙ୍କ ସାଙ୍ଗରେ ଆସିଥିଲେ। ଆମ୍ବୁଲାନ୍ସରେ ପ୍ରସୂତି ଜଣକ ବସିବା ସହ ଅଳ୍ପ ବାଟ ଯିବା ମଧ୍ୟରେ ପ୍ରସୂତି ପ୍ରଥମ ଛୁଆକୁ ଆମ୍ବୁଲାନ୍ସରେ ହିଁ ଜନ୍ମ ଦେଇଥିଲେ। ରାବଣାଗୁଡା ସିଏଚସିରେ ମେଡିକାଲ ଅଧିକାରୀ ଡଃ. ମୋନାଲିସା ନାୟକ ତାଙ୍କ ଆଉ ଗୋଟିଏ ଶିଶୁକୁ ପ୍ରସବ କରାଇଥିଲେ। ପ୍ରଥମେ ଆମ୍ବୁଲାନ୍ସରେ ଜନ୍ମ ହୋଇଥିବା ଶିଶୁର ଓଜନ ୧କିଲୋ ୬ଶହ ଗ୍ରାମ ଓ ପରେ ଡାକ୍ତରଖାନାରେ ଜନ୍ମ ହୋଇଥିବା ଶିଶୁର ଓଜନ ୧କିଲୋ ୪ଶହ ଗ୍ରାମ ରହିଛି। ସଂକଟାପନ୍ନ ଥିବା ଉଭୟ ଶିଶୁଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଥିବା ସଦ୍ୟ ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସଏନସିୟୁ)ରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି ମେଡିକାଲ ଅଧିକାରୀ ଡଃ. ନାୟକ।

publive-image Sambad

ପ୍ରସୂତିଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ବେଳେ ଏଭଳି ପାହାଡ ଉପରୁ ତଳକୁ ପ୍ରସୂତି ମହିଳାଙ୍କୁ ଆଣିବା ମା’ ଓ ଗର୍ଭରେ ଥିବା ଶିଶୁଙ୍କୁ ପାଇଁ ବିପଦସଙ୍କୁଳ ବୋଲି କହିଛନ୍ତି ମେଡିକାଲ ଅଧିକାରୀ। ପ୍ରକାଶଯୋଗ୍ୟ, ଦେଶ ସ୍ବାଧୀନତାର ୭୫ବର୍ଷ ପରେ ବି ରଣ୍ଡାପାଲ୍ଲୀ ପଞ୍ଚାୟତର ବୈରାଗୀମଠରୁ ରାମଗଡ଼ ଗାଁକୁ ୨କିଲୋ ମିଟରକୁ ରାସ୍ତା ନିର୍ମାଣ ହୋଇ ପାରୁନି। ଏହି ଗାଁରେ ୬୦ଟି ପରିବାର ବସବାସ କରୁଛନ୍ତି। ଏହି ଗାଁକୁ ଲାଗି କନ୍ଦୁପୁର ଓ କୁସୁମଭଟ୍ଟା ଗାଁ ବି ରହିଛି। ଯଦି କାହାରି ସ୍ବାସ୍ଥ୍ୟ ଖରାପ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ଯଦି ଆସିଲେ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଉଡ଼ି କରି ବୋହି ବୋହି ତଳକୁ ଆଣିବାକୁ ପଡ଼ୁଛି ବୋଲି କହିଛନ୍ତି ଲିମିରି, ସମାରୁ ଓ ଅନ୍ୟ ଗ୍ରାମବାସୀ। ଗାଁରେ ପିଇବାକୁ ମୁନ୍ଦେ ଭଲ ପାଣି ବି ମିଳୁ ନାହିଁ ବୋଲି କହିଛନ୍ତି ଏମାନେ। ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଲୋକ ପ୍ରତିନିଧିଙ୍କୁ ଗୁହାରି କରି ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ଜୁନ ୨୨ ତାରିଖ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି ଗ୍ରାମବାସୀ ଧାରଣା ଦେଇଥିଲେ। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୃତି ମିଳିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବାକୁ ଆଉ କେତେ ବର୍ଷ ଲାଗିବ ଏବଂ କେତେ ଜୀବନ ଯିବା ପରେ ପ୍ରଶାସନ ଚେତିବ ବୋଲି ଏମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe