ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା: କାଶୀପୁର ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

Advertisment
ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା: କାଶୀପୁର ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ

କାଶୀପୁର: କାର୍ଯ୍ୟରେ ଅବହେଳା ଅଭିଯୋଗ ଆସିବା ପରେ ରାୟଗଡ଼ା ଜିଲ୍ଲାପାଳ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ କାଶୀପୁର ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି।
ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ ଅବହେଳା, ଅନିୟମିତତା ନେଇ ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂ କାଶୀପୁର ତହସିଲଦାରଙ୍କ ସମେତ ୩୦ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଆଦେଶ ଦେଇଛନ୍ତି। ଅଗଷ୍ଟ ୨୨ ତାରିଖରେ ଜିଲ୍ଲାପାଳ କାଶୀପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଯାଞ୍ଚ ସମୟରେ ନଥିପତ୍ର କାର୍ଯ୍ୟରେ ଅନିୟମିତତା ଥିବାର ପରିଲକ୍ଷିତ ହେବା ପରେ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ। ସେହିପରି କାଗଜପତ୍ର ସଜାଡ଼ିବା ପର୍ଯ୍ୟନ୍ତ ସଂପୃକ୍ତ କର୍ମଚାରୀ ସହିତ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଟ୍ରେଜରିକୁ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି। କାଶୀପୁର ତହସିଲ କାର୍ଯ୍ୟାଳୟରେ ଆବଶ୍ୟକସଂଖ୍ୟକ କର୍ମଚାରୀଙ୍କ ଅଭାଵରୁ ଜମି ଡ଼ିମାରକେସନ,ଜମିପଟ୍ଟା ପାଇବାରେ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି କେତେକ କର୍ମଚାରୀ ନିୟମିତ ହେଡ କ୍ୱାର୍ଟରରେ ରହୁ ନ ଥିବାରୁ ନିର୍ଦ୍ଧାରିତ ସମୟରେ ସରକାରୀ କାର୍ଯ୍ୟ ସମ୍ପାଦିତ ହେବାରେ ଅସୁବିଧା ହେଉଥିବାର ଅଭିଯୋଗ ହୋଇଛି। ବିଗତ ଦିନରେ ଜମି ପଞ୍ଜିକରଣର କିଛି ଘଣ୍ଟା ପରେ ଜଣେ ଦି ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରି ସରକାର ବାହାବା ନେଇଥିଲେ। କିନ୍ତୁ କାଶୀପୁର ତହସିଲକୁ ବର୍ଷ ସାରା ଲୋକେ ଦୌଡୁଥିଲେ ସୁଦ୍ଧା ସୁବିଧାରେ ଜମି ପଟ୍ଟା ଏବଂ ଅନ୍ୟାନ୍ୟ ପ୍ରମାଣ ପତ୍ର ସୁଵିଧାରେ ମିଳୁ ନ ଥିବାର ଅଭିଯୋଗ ହୋଇଛି।

publive-image

ସରକାରୀ କଳର ସ୍ୱଚ୍ଛତା ଏବଂ ପ୍ରଶାସନକୁ ଉତ୍ତରଦାୟୀ କରିବା ପାଇଁ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ସହ ପରିବହନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ନାଗରିକ ଅଧିକାର ଆଇନ ଅନୁଯାୟୀ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଯୁକ୍ତ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସେହିପରି ନାଗରିକ ଅଧିକାର ଆଇନ ସମ୍ପର୍କରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ କାର୍ଯ୍ୟାଳୟ ସମ୍ମୁଖରେ ଫଳକ ଲଗାଇବାର ନିୟମ ମଧ୍ୟ ରହିଛି। କିନ୍ତୁ କାଶୀପୁର ତହସିଲ କାର୍ଯ୍ୟାଳୟରେ ଏସବୁ ସୁଵିଧା ନ ଥିବା ଜଣାଯାଇଛି। ଏଭଳି ସମସ୍ୟା ନେଇ ମାନବ ଅଧିକାର କର୍ମୀ ବି ପଟ୍ଟନାୟକ କାଶୀପୁର ତହସିଲ କାର୍ଯ୍ୟାଳୟରେ ନାଗରିକ ଅଧିକାର ଆଇନକୁ କାର୍ଯ୍ୟକାରୀ ହେବା ନେଇ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିବା ଜଣା ଯାଇଛି। ପ୍ରଶାସନିକ କାର୍ଯ୍ୟକୁ ଗତିଶୀଳ କରିବାରେ ଜିଲ୍ଲାପାଳଙ୍କ ଉଚିତ ପଦକ୍ଷେପକୁ ନେଇ ସାଧାରଣରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe