ରାଜ୍ୟସଭା ରେସ୍: ଅବିଭକ୍ତ କୋରାପୁଟକୁ ଅଣଦେଖା, ଅଧୁରା ରହିଯିବ କି ଯୁବ ଓ ବରିଷ୍ଠ ନେତାଙ୍କ ଆଶା?

ବିଜୁଙ୍କ ସମୟରେ ଭଗବାନ, ନବୀନ ଦେଇଥିଲେ ଭାସ୍କରଙ୍କୁ ଟିକେଟ୍

ରାଜ୍ୟସଭା ରେସ୍: ଅବିଭକ୍ତ କୋରାପୁଟକୁ ଅଣଦେଖା, ଅଧୁରା ରହିଯିବ କି ଯୁବ ଓ ବରିଷ୍ଠ ନେତାଙ୍କ ଆଶା?

image source--zee news

ରାୟଗଡ଼ା: ରାଜ୍ୟ ରାଜନୀତିରେ ଗୁରୁତ୍ବ ରଖୁଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ରାଜ୍ୟସଭା ପ୍ରାର୍ଥୀ ଚୟନରେ ଅଣଦେଖାର ଶିକାର ହୋଇଛି। ଏକଦା କଂଗ୍ରେସର ଗଡ଼ ଥିବା କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ଏବେ ବିଜେଡ଼ି କ୍ଷମତାରେ ରହିଛି। ସଂରକ୍ଷଣ ଯୋଗୁ ୪ ଜିଲ୍ଲାରେ ବିଜେଡ଼ି ସଂଗଠନ ସମ୍ଭାଳୁଥିବା ନେତା ବିଧାନସଭା କିମ୍ବା ଲୋକସଭା ଆସନରେ ଲଢ଼ିବାର ସୁଯୋଗ ନଥିବାରୁ ରାଜ୍ୟସଭା ସାଂସଦ, ନିଗମ ଅଧ୍ୟକ୍ଷ ପଦକୁ ଛାଡ଼ିଲେ ଥଇଥାନ ପାଇଁ ଅନ୍ୟ କୌଣସି ଉପାୟ ନାହିଁ। ଅଥଚ ରାଜ୍ୟସଭା ଟିକେଟ୍ କ୍ଷେତ୍ରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ବି ବିଚାରକୁ ନ ଦେବା ବହୁ ଯୁବ ଓ ବରିଷ୍ଠ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ସନ୍ଦିହାନ କରି ଦେଇଛି।

୧୯୯୪ରେ ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିଲେ ନବରଙ୍ଗପୁରର ଆଦିବାସୀ ନେତା ଭଗବାନ ମାଝି। ଅପହଞ୍ଚ ଆଦିବାସୀ ଇଲାକାର ସ୍ବରକୁ ଦିଲ୍ଲୀ ଦରବାରରେ ଶାଣିତ କରି ବିକାଶକୁ ଆଗେଇ ନେବା ପାଇଁ ବିଜୁ ପଟ୍ଟନାୟକ ନେଇଥିଲେ ଏହି ପଦକ୍ଷେପ। ୨୦୦୦ ମସିହାରେ ଭଗବାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ରାଜ୍ୟସଭା ସାଂସଦ ଟିକେଟ୍ ପାଇଁ ଅବିଭକ୍ତ କୋରାପୁଟର ନେତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୧୬ ବର୍ଷ। ନବୀନଙ୍କ ଶୁଭଦୃଷ୍ଟି ଯୋଗୁ ୨୦୧୬ରେ ବିଜୁ ଜନତା ଦଳ ଟିକେଟରେ ରାଜ୍ୟସଭା ଯାଇଥିଲେ ବରିଷ୍ଠ ବିଜେଡ଼ି ନେତା ଏନ୍. ଭାସ୍କର ରାଓ। ଶ୍ରୀ ରାଓଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପରେ ନବୀନ ତାଙ୍କ ସ୍ଥାନରେ ପୁଣି ଅବିଭକ୍ତ କୋରାପୁଟରୁ ଜଣେ ନେତାଙ୍କୁ ସୁଯୋଗ ଦେବା ପାଇଁ ଅନେକ ଆଶା କରିଥିଲେ। ହେଲେ ଦଳୀୟ ସୁପ୍ରିମୋ ଆଜି ଟିକେଟ୍ ଘୋଷଣା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନେତାଙ୍କ ଆଶା ମଉଳି ଯାଇଛି। ନବୀନଙ୍କ ପ୍ରାର୍ଥୀ ଚୟନ ପରେ ଟିକେଟ୍ ରେସରେ ଥିବା ବହୁ ଯୁବ ଓ ବରିଷ୍ଠ ନେତା ଚକିତ ହୋଇ ପଡିଛନ୍ତି। ଆଶାୟୀ ତାଲିକାରେ ଡଜନେରୁ ଅଧିକରୁ ନେତା ଥିଲେ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି।

୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ ପ୍ରଦୀପ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ବାପା ଭଗବାନଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ନବୀନ ମଧ୍ୟ ଏହାର ଗୁରୁତ୍ବକୁ ଉପଲବଧି କରି ଭାସ୍କର ରାଓଙ୍କ ପରେ ପ୍ରଦୀପଙ୍କୁ ସୁଯୋଗ ଦେବା ନେଇ ଦଳୀୟ ନେତା, କର୍ମୀ ଆଶାବାଦୀ ଥିଲେ। କିନ୍ତୁ କେଉଁ କାରଣ ପାଇଁ ଶେଷ ମୁହୂର୍ତ୍ତରେ ପ୍ରଦୀପଙ୍କୁ ବିଜେଡ଼ି ବାଦ୍ ଦେଲା ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ରାଜ୍ୟସଭା ରେସରୁ ବାଦ୍ ପଡ଼ିଥିବା ପ୍ରଦୀପଙ୍କୁ ଦଳ ୨୦୨୪ ନିର୍ବାଚନରେ ଥଇଥାନ କରିପାରେ। କିନ୍ତୁ ଅନ୍ୟ ଆଶାୟୀଙ୍କ ଲାଗି ଆଗାମୀ ଦିନରେ ଆଉ ସୁଯୋଗ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଯଦି ବି ଦଳ ଥଇଥାନ କରିବ ଏକ ମାତ୍ର ଭରସା ନିଗମ ଅଧ୍ୟକ୍ଷ ପଦବି।

୨୦୧୯ ନିର୍ବାଚନ ପରେ ବିଜେଡ଼ି କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଇଶ୍ବର ପାଣିଗ୍ରାହୀଙ୍କୁ ବିହନ ନିଗମର ଅଧ୍ୟକ୍ଷ ଏବଂ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାଶଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଭାବେ ଥଇଥାନ କରିଛି। ନବରଙ୍ଗପୁର, ମାଲକାନଗିରି ଜିଲ୍ଲାର କୌଣସି ନେତାଙ୍କୁ ନିଗମ ଅଧ୍ୟକ୍ଷ ପଦବି ମିଳିନି। ଅନ୍ୟପକ୍ଷରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କ୍ଷେତ୍ରରେ ମଧ୍ୟ ୩ ଜିଲ୍ଲାର ନେତାଙ୍କ ଭାଗ୍ୟକୁ ଝୁଲାଇ ରଖିଛନ୍ତି ବିଜେଡ଼ି ସୁପ୍ରିମୋ। ମାଲକାନଗିରି ଜିଲ୍ଲାକୁ ଛାଡ଼ିଲେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାଳ ଶେଷ ହୋଇ ଅଢ଼େଇ ବର୍ଷ ବିତିଲାଣି। ହେଲେ ଆଜି ସୁଦ୍ଧା ନୂତନ ପରିଷଦ ଗଠନ କିମ୍ବା ଅଧ୍ୟକ୍ଷ ଭାବେ କାହାକୁ ଚୟନ କରାଯାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe