ସ୍କୁଲ ଲାଇବ୍ରେରି ବହି କିଣାରେ ରହୁନି ସ୍ବଚ୍ଛତା! ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରକାଶକ

ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ

ଓଡ଼ିଶାର ଗ୍ରନ୍ଥାଗାର: ସ୍ଥିତି, ପରିସ୍ଥିତି ଓ ଦୁଃସ୍ଥିତି

teleread.com

ଭୁବନେଶ୍ବର : ସ୍କୁଲ ଲାଇବ୍ରେରିକୁ ବହି ଯୋଗାଣ ନେଇ ହୋଇଥିବା ଟେଣ୍ଡର୍‌ ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ବହି କ୍ରୟ ନେଇ ଯେଉଁ ନିୟମ ନିର୍ଧାରଣ କରାଯାଇଛି, ତାହାକୁ ନେଇ କିଛି ପ୍ରକାଶକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି।

ଟେଣ୍ଡର୍‌ ପ୍ରକ୍ରିୟାରେ ବହି କିଣିବା ଏବଂ ସର୍ବନିମ୍ନ ୧୮ଖଣ୍ଡ ପୁସ୍ତକର ନମୁନା କପି ଦାଖଲ କରିବାକୁ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତି ଅମୂଳକ। ଏହାଦ୍ବାରା ଓଡ଼ିଶାର କ୍ଷୁଦ୍ର ପ୍ରକାଶକ ଓ ଲେଖକ-ପ୍ରକାଶକ ଏଥିରେ ଭାଗ ନେବାରୁ ବଞ୍ଚିତ ହେବେ। ଏହି ନିୟମକୁ ଆଧାର କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମଧ୍ୟ ବହି କ୍ରୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିବାରୁ ଅନେକ ଭଲ ପୁସ୍ତକ ସ୍କୁଲ ପାଠାଗାରରେ ପହଞ୍ଚିବ ନାହିଁ। ପୁସ୍ତକ କେବଳ ଏକ ବିଶେଷଜ୍ଞ କମିଟି ମାଧ୍ୟମରେ ଚୟନ ଭିତ୍ତିରେ ହେବା କଥା। ଉଭୟ ଓସେପା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରଥମ ବର୍ଷ ଏଭଳି କରିଥିଲେ। ମାତ୍ର ଏବେ ସେ ପ୍ରଣାଳୀକୁ ଅବଲମ୍ବନ ନ କରି କିଛି ଅସାଧୁ ପ୍ରକାଶକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏହି ତଥାକଥିତ ଟେଣ୍ଡର ପ୍ରଣାଳୀକୁ ଅଣାଯାଇଛି।

ଚଳିତ ପଞ୍ଚବାର୍ଷିକୀ ଯୋଜନାରେ ଯେଉଁ ଅର୍ଥ ଆସିଛି, ସେଥିରୁ ଓସେପା ୨୦୧୮-୧୯ରେ ଜିଲ୍ଲାସ୍ତରୀୟ କମିଟି କରି ବହି ଚୟନ କରି କିଣିବାକୁ କୁହାଯାଇଥିଲା। ୨୦୧୯-୨୦ରେ ସମ୍ପୂର୍ଣ୍ଣ ଗୋପନୀୟତା ଭାବେ ବିନା ମନୋନୟନରେ ସମସ୍ତ ଅର୍ଥ ଏନ୍‌ବିଟିକୁ ଦିଆଯାଇ ବହି କ୍ରୟ କରାଯାଇଛି। ୨୦୨୦-୨୧ରେ ଗୋପନୀୟ ଭାବେ ବିନା ମନୋନୟନରେ କର୍ଣ୍ଣାଟକର ଏକ ସଂସ୍ଥାକୁ ବହି କ୍ରମ ପାଇଁ ଅର୍ଡର ଦିଆଯାଇଥିଲା। ଓଡ଼ିଶାର ପ୍ରକାଶକମାନେ ବିରୋଧ କରିବାରୁ ବଳିଥିବା ଆଉ ୪କୋଟି ଟଙ୍କାକୁ ଚକ୍ରାନ୍ତ କରି ଉଦ୍ଦେଶ୍ୟମୂଳକ ଭାବେ ଟେଣ୍ଡର ପ୍ରକ୍ରିୟାରେ କିଛି ହାତଗଣତି ପ୍ରକାଶକଙ୍କଠାରୁ ବହି କ୍ରୟ କରାଗଲା। ଏ ବର୍ଷ ଟେଣ୍ଡର ପ୍ରଣାଳୀକୁ ଆପଣାଇବା ଦ୍ବାରା କୋଟି କୋଟି ଟଙ୍କା ହରିଲୁଟ୍‌ ହେବାକୁ ଯାଉଥିବା ଅଭିଯୋଗ କରାଯାଇଛି।

ଏଥିରେ ସଂସ୍କାର ଆଣିବା ଲାଗି ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପ୍ରତିବର୍ଷ ଲାଇବ୍ରେରି ସ୍କିମ୍‌ରେ କିଣାଯାଉଥିବା ରାଜା ରାମମୋହନ ରାୟ ବହି କିଣା ପ୍ରଣାଳୀକୁ ଅନୁସରଣ କରିବାକୁ ପ୍ରକାଶକମାନେ ଦାବି କରିଛନ୍ତି। ବିଜ୍ଞାପନ ଦିଆଯାଇ ପ୍ରଥମେ ପ୍ରକାଶକ/ଲେଖକ-ଲେଖିକାଙ୍କଠାରୁ ପୁସ୍ତକର ନମୁନା ଗ୍ରହଣ କରାଯାଉ। ଏହାପରେ ସ୍ବଚ୍ଛ, ନିର୍ମଳ ବିଶେଷଜ୍ଞ କମିଟି ମାଧ୍ୟମରେ ଯେତିକି ଟଙ୍କାର ଆବଶ୍ୟକ ସେତିକି ବହି ଚୟନ ହେଉ। ତାହାର ତାଲିକା ଡିଇଓମାନଙ୍କୁ ଦିଆଯାଉ। ଏହାଦ୍ବାରା ଭଲ ବହି ସାମ୍ନାକୁ ଆସିବ ଏବଂ ସ୍ବଚ୍ଛତା ରହିବ। ଦୁର୍ନୀତି କି ଲାଞ୍ଚ କାରବାର ହେବନି ବୋଲି ପ୍ରକାଶକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଓସେପା ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା କହିଛନ୍ତି ଯେଉଁ ଅଭିଯୋଗ ହୋଇଛି ତାହାକୁ ଗ୍ରହଣ କରାଯାଇଛି। ତାହା ଉପରେ ଉପରେ ଅନୁଧ୍ୟାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe