ଜଳ ଯନ୍ତ୍ରଣା: ଝରଣା-ନଦୀ ପାଣି ହିଁ ଭରସା, ଟ୍ୟାପ୍‌ରୁ ଜଳ ମିଳିବ କେବେ?

Advertisment

ସରକାରୀ ଯୋଜନା ଅପହଞ୍ଚ, ଶୁଣୁ ନାହାନ୍ତି ଅଧିକାରୀ

ସରକାରୀ ଯୋଜନା ଅପହଞ୍ଚ, ଶୁଣୁ ନାହାନ୍ତି ଅଧିକାରୀ

ଜଳ ଯନ୍ତ୍ରଣା: ଝରଣା-ନଦୀ ପାଣି ହିଁ ଭରସା, ଟ୍ୟାପ୍‌ରୁ ଜଳ ମିଳିବ କେବେ?

ରାୟଗଡ଼ା: ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଥିବା ପ଼ଞ୍ଚାୟତ ଓ ଏହାର ଗ୍ରାମଗୁଡିକ ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ରହିଛି। ଏହି ଗାଁଗୁଡିକକୁ ଯିବାକୁ ରାସ୍ତା ନଥିବା ବେଳେ ସରକାରୀ ଯୋଜନା ମଧ୍ୟ ଅପହଞ୍ଚ ହୋଇ ରହିଛି। ଲୋକେ ବାରମ୍ବାର ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି ଥକି ଗଲେଣି। ତେବେ ସବୁଠାରୁ ବଳି ଯାଇଛି ଜଳ ଯନ୍ତ୍ରଣା। ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଶେଷଖାଲ ପଞ୍ଚାୟତର ରଣାଗୁଡା ଏବଂ ଭୈରବୀ ହାଲବା ପଞ୍ଚାୟତର ପଣସଗୁଡା ଗ୍ରାମରେ ବର୍ଷ ଦମାମ ଲୋକେ ପାଣି ପାଇଁ ଡହଳବିକଳ ହୋଇଥାନ୍ତି। ରଣାଗୁଡା ଗ୍ରାମରେ ପ୍ରାୟ ୬୨ ଘର ରହିଥିବା ବେଳେ ମାତ୍ର ଗୋଟିଏ ନଳକୂପ ରହିଛି। ଯାହାକି ଖରାପ ହୋଇପଡିଥିବାରୁ ବହୁ କଷ୍ଟରେ ପାଣି ବାହାରେ। ଯେଉଁ ପାଣିକୁ ପିଇବା ଯୋଗ୍ୟ ନୁହେଁ। ଗ୍ରାମର ମହିଳାମାନେ ସକାଳୁ ଉଠି ନିକଟସ୍ଥ ଝରଣା କିମ୍ବା ନାଗାବଳୀ ନଦୀରୁ ପାଣି ସଂଗ୍ରହ କରିଥାନ୍ତି। ସେହି ପାଣିକୁ ହିଁ ପିଇବା ସହ ଘରର ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି।

ପ୍ରତିବର୍ଷ ଏହି ପାଣି ପିଇବା ଦ୍ବାରା ଲୋକେ ରୋଗରେ ପଡି ମୃତ୍ୟୁବରଣ ମଧ୍ୟ କରନ୍ତି। ତେବେ ଏହି ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଲୋକେ ଅଜଣା ରୋଗ ଭାବି ଗୁଣିଆ ଉପରେ ନିର୍ଭର କରି ଶେଷରେ ମୃତ୍ୟୁମୁଖରେ ପଡନ୍ତି।ଗ୍ରାମବାସୀ ବାରମ୍ବାର ଗାଁରେ ପାଣିର ସମସ୍ୟା ଦୁର କରିବା ପାଇଁ ବ୍ଲକ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଥିଲେ।

publive-image

ପ୍ରକାଶ ଥାଉକି ଗ୍ରାମ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ତିନି କୋଲମିଟର ହୋଇଥିବା ବେଳେ ନାଗାବଳୀ ନଦୀ ବାଟ ଓଗାଳିଛି। ତେଣୁ ଗ୍ରାମବାସୀ ଜେମାଦେଇ ପେଣ୍ଠ ଦେଇ ପ୍ରାୟ ୧୨ କିଲୋମିଟର ରାସ୍ତା ଦେଇ ପଞ୍ଚାୟତ ସଦର ମହକୁମାକୁ କାମରେ ଯିବା ଆସିବା କରିଥାନ୍ତି। ପିଡିଏସ ଚାଉଳ ହେଉ ବା ଭତ୍ତା ହେଉ ଗ୍ରାମର ଲୋକେ ଅନ୍ୟ ପଞ୍ଚାୟତ ଦେଇ ନିଜ ପଞ୍ଚାୟତ ସଦର ମହକୁମାକୁ ଯିବାକୁ ପଡୁଥିବାରୁ ଗାଁକୁ ରାସ୍ତା ମଧ୍ୟ ନିର୍ମାଣ ପାଇଁ ଦାବି କରିଛନ୍ତି।

ସେହିପରି ଅନ୍ୟ ଏକ ଜଳ ଯନ୍ତ୍ରଣାରେ ଜର୍ଜରିତ ଗାଁ ହେଉଛି ଭୈରବୀ ହାଲବା ପଞ୍ଚାୟତର ପଣସଗୁଡା ଗ୍ରାମ। ଏହି ଗ୍ରାମରେ ପ୍ରାୟ କୋଡିଏ ପରିବାର ବସବାସ କରନ୍ତି।ଏଠାରେ ମଧ୍ୟ କାହିଁକେଉଁ କାଳରେ ଗୋଟିଏ ନଳକୂପ ଖନନ କରାଯାଇଥିଲା, ଯାହାକି ଏବେ ଅଚଳ ହୋଇ ପଡିଛି। ଏହି ଗ୍ରାମର ଲୋକେ ମଧ୍ୟ ଝରଣା ଓ ଚୁଆ ପାଣି ଉପରେ ହିଁ ନିର୍ଭର କରନ୍ତି। ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବରଂ ବର୍ଷ ତମାମ ଏମାନେ ନିକଟରେ ବୋହି ଯାଉଥିବା ନଦୀ ଉପରେ ହିଁ ନିର୍ଭର କରନ୍ତି। ଏହି ଦୁଇ ଗ୍ରାମବାସୀ ପ୍ରାୟ ଅଶିକ୍ଷିତ ହୋଇଥିବାରୁ ପାଣିକୁ ଫୁଟାଇ ପିଇବା ସଂପର୍ରକରେ ଅବଗତ ନୁହନ୍ତି। ଯେଉଁ ପାଣି ଆଣନ୍ତି ତାକୁ ହିଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସେମିତି ପିଇଯାନ୍ତି।ଯାହାଫଳରେ ବହୁ ସଂକ୍ରାମକ ରୋଗର ଶିକାର ମଧ୍ୟ ହୁଅନ୍ତି।

ଏହି ଦୁଇ ଗାଁରେ ପାଣିର ସମସ୍ୟା ସହ ଅନ୍ୟ ମୌଳିକ ସୁବିଧା ମଧ୍ୟ ପହଞ୍ଚି ପାରି ନାହିଁ। ଯାହାଫଳରେ ଲୋକେ ଭଗବାନଙ୍କ ଭରସାରେ ହିଁ ରହିଛନ୍ତି। ଆଗକୁ ନିର୍ବାଚନ ରହିଥିବା ବେଳେ ଗାଁକୁ ମାଳ ମାଳ ନେତା ଆସିବେ। ତେଣୁ ଗ୍ରାମବାସୀ ପ୍ରଥମେ ପିଇବା ପାଣଇର ସୁବଧା କରିବା ପରେ ଗାଁରେ ପାଦ ଦେବାକୁ କହିବେ ବୋଲି ଚେତାବନୀ ଦେଇଛନ୍ତି। ପିଇବା ପାଣି ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା କହିବେ ବୋଲି ଆଦିବାସୀମାନେ କହିଛନ୍ତି। ନୀରିହ ଓ ସରଳ ହୋଇଥିବାରୁ ସେମାନଙ୍କୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଥିଲେ। ପାଣି ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁନଥିବାରୁ ସରକାର କିମ୍ବା ପ୍ରଶାସନ ଆମ କଥା ଶୁଣୁନଥିବା ମଧ୍ୟ କହିଥିଲେ।ସ୍ବାଧୀନତାର ୭୭ ବର୍ଷପରେ ମଧ୍ୟ ଗାଁକୁ ପାଣିର ସୁବିଧା ପହଞ୍ଚିନପାରିବା ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି। ତେବେ ଏହି ଦୁଇ ଗାଁକୁ କେବେ ପାଣିର ସୁବିଧା ପହଞ୍ଚିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe