ମହଙ୍ଗା ପଡ଼ିଲା ଶବ୍ଦ ପ୍ରଦୂଷଣ; ୧୮ ବୁଲେଟ୍‌ ଜବତ

Advertisment
ମହଙ୍ଗା ପଡ଼ିଲା ଶବ୍ଦ ପ୍ରଦୂଷଣ; ୧୮ ବୁଲେଟ୍‌ ଜବତ

କେନ୍ଦୁଝର : ବୁଲେଟ୍‌ ଚଳାଉଥିବା ବାଇକ୍‌ ଚାଳକଙ୍କୁ ମହଙ୍ଗା ପଡ଼ିଛି ଶବ୍ଦ ପ୍ରଦୂଷଣ। ସାଇଲେନ୍ସର ପାଇପ୍‌ରୁ ବିକଟାଳ ଶବ୍ଦ ଏବଂ ମୋଟର ଯାନ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୁଲିସ ଆଜି ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୮ଟି ବୁଲେଟ୍‌ ଜବତ କରିଛି।

ଟାଉନ ଥାନା ଏସ୍‌ଆଇ ଉମାକାନ୍ତ ସାହୁଙ୍କ କହିବା ଅନୁଯାୟୀ, ମୋଟର ଯାନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କେତେକ ବୁଲେଟ୍‌ ଚାଳକ ବାଇକ୍‌ର ଅରିଜିନାଲ ସାଇଲେନ୍ସରକୁ ଖୋଲି ସେଥିରେ ପ୍ରବଳ ଶବ୍ଧ କରୁଥିବା ସାଇଲେନ୍ସର ଲଗାଇଛନ୍ତି। ଯେଉଁଥି ପାଇଁ ବାଇକ୍‌ ଚଳାଇବା ବେଳେ ସେଥିରୁ ବିକଟାଳ ଶବ୍ଦ ବାହାରୁଥିଲା। ଏହାଛଡ଼ା ଉଚ୍ଚ ଶବ୍ଦ କରୁଥିବା ହର୍ନ, ନମ୍ବରବିହୀନ ତଥା ବିଭିନ୍ନ ଡିଜାଇନ୍‌ରେ ନମ୍ବର ଲେଖା ହୋଇଥିବା ୧୮ଟି ବୁଲେଟ୍‌ ମୋଟର ସାଇକେଲ ଜବତ କରାଯାଇଛି।

ଏହି ଚାଳକମାନଙ୍କଠାରୁ ଜୋରିମାନା ଆଦାୟ ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆର୍‌ଟିଓଙ୍କୁ ସୁପାରିସ୍‌ କରାଯାଇଛି ବୋଲି ଏସ୍‌ଆଇ ଶ୍ରୀ ସାହୁ କହିଛନ୍ତି। ଯେଉଁ ବୁଲେଟ୍‌ରେ ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସର ଲାଗିଛି ସେଗୁଡ଼ିକ ଥାନାରେ ବଦଳ କରାଯିବା ପରେ ଯାଇ ଛଡ଼ାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହି ଚଢ଼ଉ ନିୟମିତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe