ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘର ବିକ୍ଷୋଭ

Advertisment
ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘର ବିକ୍ଷୋଭ

ଭୁବନେଶ୍ବର: ୨ ଦଫା ଦାବି ନେଇ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଆଜି ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧ ଜୁନ୍ ୨୦୦୮ ମସିହାରୁ ୩୦ନଭେମ୍ବର ୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା ଓ ଚାକିରି ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପାଇଁ ସଂଘ ଦୃଢ଼ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ପ୍ରାୟ ୩ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଦୀର୍ଘ ୧୧ବର୍ଷ ହେଲା ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଛନ୍ତି। ନିୟମ ଅନୁଯାୟୀ ୭ଘଣ୍ଟା କାର୍ଯ୍ୟ କରିବା ସହ ଅନ୍ୟ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବା ସତ୍ତ୍ବେ ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ମିଳିନାହିଁ। ଅପରାହ୍ନରେ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ତେବେ ଦାବି ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ପ୍ରତିନିଧି ମଣ୍ଡଳୀ ସେଠାରୁ ଫେରି ପୁନର୍ବାର ଧାରଣାରେ ବସି ରହି ପ୍ରତିବାଦ ଜଣାଇଛନ୍ତି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଭାପତି ଦେବ ବିଜୟ ମିଶ୍ର ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe