ଅଣଓଡ଼ିଆଙ୍କ ରଥଯାତ୍ରା ଦର୍ଶନ ଘଟଣା: ପୁରୀରୁ ପଳାଇଲେ ୟୁଟ୍ୟୁବର୍‌ ଗୋପାଳ, ଅତୁଲ

Advertisment
ଅଣଓଡ଼ିଆଙ୍କ ରଥଯାତ୍ରା ଦର୍ଶନ ଘଟଣା: ପୁରୀରୁ ପଳାଇଲେ ୟୁଟ୍ୟୁବର୍‌ ଗୋପାଳ, ଅତୁଲ

ପୁରୀ : ପ୍ରଥମେ ଦେବସ୍ନାନ ପୂର୍ଣ୍ଣିମା ଓ ପରେ ରଥଯାତ୍ରା ଦର୍ଶନ କରି ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ଦୁଇ ଅଣଓଡ଼ିଆ ୟୁଟ୍ୟୁବର୍‌ ଏବେ ପୁରୀରୁ ଚାଲିଯାଇଥିବା ଜଣାପଡ଼ିଛି। ଦୁଇ ଜଣ ଅଣଓଡ଼ିଆ ପୁରୀକୁ ଆସିବା ସହିତ ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ଜଣାଶୁଣା ଅନୁଷ୍ଠାନର ବାଲକୋନିରେ ରହି ରଥଯାତ୍ରା ଦର୍ଶନ କରିବା ସହ ରଥ ସହ ଫଟୋ ଉଠାଇଥିଲେ। ଏହି ଅଣଓଡ଼ିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ଏଠାରୁ ଖସାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏହି ଦୁଇ ଅଣଓଡ଼ିଆ ପୁରୀରୁ ଯିବା ସମୟରେ ସେମାନଙ୍କର ଫଟୋକୁ ପୁଣି ସୋସିଆଲ ମିଡିଆରେ ଭାଇରାଲ କରି ପ୍ରଶାସନକୁ ଚାଲେଞ୍ଜ ଦେଇଛନ୍ତି। ଲୋକଦେଖାଣିଆ ଭାବେ ଯାଞ୍ଚ କରାଯାଉଥିବାର ଅଭି‌ନୟ କରିବା ପାଇଁ ଆଜି କେତେକ ପ୍ରଶାସନିକ ଅଧିକାରୀ ସାମ୍ବାଦିକମାନଙ୍କଠାରୁ ଫଟୋ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ଏହି ଅଣଓଡ଼ିଆଙ୍କର ପୁରୀ ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ଓ ବିଭିନ୍ନ ସମୟରେ ଫଟୋ, ୟୁଟ୍ୟୁବ୍‌ରେ ଭିଡିଓ ଛାଡ଼ିବା ପଛରେ ନାମୀଦାମୀ ଲୋକଙ୍କ ହାତ ଥିବା ସନ୍ଦେହ ବଢ଼ିବାରେ ଲାଗିଛି।

ପ୍ରକାଶ ଯେ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉମାନଙ୍କର ଫଟୋ ଉଠାଇ ଅଣଓଡ଼ିଆ ଗୋପାଳକୃଷ୍ଣା ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିକୃତ ଭାବେ ଉପସ୍ଥାପନ କରି ସୋସିଆଲ ମିଡିଆରେ ଭାଇରାଲ୍‌ କରିଥିବା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଅଭିଯୋଗ କରାଯାଇଥିଲା। ମାତ୍ର ଏହି ଅଭିଯୋଗକୁ ପୁଲିସ ଗୁରୁତ୍ବ ଦେଇନଥିଲା। ଫଳରେ ଏହି ଘଟଣାର ଚର୍ଚ୍ଚା ନଥମୁଣୁ ଗୋପଳକୃଷ୍ଣା ଓ ଅତୁଲକୃଷ୍ଣା ଏକ ଜଣାଶୁଣା ଅନୁଷ୍ଠାନର ବାଲକୋନିରେ ରହି ରଥଯାତ୍ରା ଦେଖୁଥିବାର ଫଟୋକୁ ଭାଇରାଲ କରିଛନ୍ତି। ଏନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଗୋପାଳ ଓ ଅତୁଲ ଦୁହେଁ ଆଜି ପୁରୀରୁ ଚାଲି ଯାଇଛନ୍ତି। ସେମାନେ ପିପିଲି ନିମାପଡ଼ା ଓଭରବ୍ରିଜ୍‌ ନିକଟରେ ଫଟୋ ଉଠାଇ ପୁଣି ସୋସିଆଲ ମିଡିଆରେ ଭାଇରାଲ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe