କଟକ : ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ତଥା ବିତ୍ତ ଉପଦେଷ୍ଟା ଅଜୟ କୁମାର ଦାସଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଶ୍ରୀ ଦାସଙ୍କୁ ଆବଶ୍ୟକ ସର୍ତ୍ତ ପୂରଣ ପରେ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶ୍ରୀ ଦାସଙ୍କୁ ଗତ ଅଗଷ୍ଟ ୧୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚଢାଉ ସମୟରେ ତାଙ୍କର ଭୁବନେଶ୍ବର ଓ ପୁରୀରେ ଏକାଧିକ ଫ୍ଲାଟ୍, ବାଲେଶ୍ବରରେ କୋଠା, ବିଭିନ୍ନ ସ୍ଥାନରେ ପ୍ଲଟ୍, ୫୦ ଲକ୍ଷ ୮୩ ହଜାର ଟଙ୍କାର ବ୍ୟାଙ୍କ ଓ ଫିକ୍ସଡ୍ ଡିପୋଜିଟ୍ ମିଳିଥିଲା। ଏଥି ସହିତ ୧ କେଜିରୁ ଅଧିକ ସୁନା ଓ ରୁପା ଅଳଙ୍କାର ଠାବ ହୋଇଥିଲା। ୮୧ ଲକ୍ଷ ୫୩ ହଜାର ଟଙ୍କାର ଜୀବନ ବୀମା ପଲିସି ଓ ନଗଦ ୨ ଲକ୍ଷ ୬୯ ହଜାର ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଥିଲା। ଶ୍ରୀ ଦାସଙ୍କ ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନରଂଜନ ମହାନ୍ତି ମାମଲା ପରିଚାଳନା କରୁଥିଲେ।
Follow Us