କୋରାପୁଟ: ରାଜ୍ୟର ଯେ କୌଣସି କୋଣରେ ପାଣିପାଗ ବର୍ଷା ହେବାର ନାଁ ଧରିବା ମାତ୍ରକେ କୋରପୁଟରେ ବର୍ଷା ହେବା ଏକରକମର ଥୟ। ଗତକାଲି ସକାଳ ଠାରୁ ସାମାନ୍ୟ ବର୍ଷା କମିଥିବା ବେଳେ ଆଜି ପୁଣି  ବର୍ଷା ଲାଗି ରହିଛି। କିଛି ସମୟ ପାଇଁ ସୂର୍ଯ୍ୟଦେବ ବାହାରିଥିଲେ ହେଁ ତା ପରେ ପୁଣି କୋରାପୁଟିଆ ବର୍ଷା ହୋଇଛି। 

Advertisment

ବର୍ଷା ଫଳରେ ସହର ପାର୍ଶ୍ବ ଦେଇ ଯାଇଥିବା ଉପରକୋଲାବ ମୁଖ୍ୟକେନାଲ, ନଦୀ, ନାଳ ଆଦିରୁ ପାଣିର ସ୍ରୋତ ଠିକେ କମି ଆସିଥିବା ବେଳେ ପୁଣି ବର୍ଷା ପରେ ଏସବୁ ପୁରି ଉଠିଛି। ଜମି ଗୁଡିକରେ ବି ପାଣି ଚାଳିବା ଆରମ୍ଭ ହୋଇଛି। ସାମାନ୍ୟ ବର୍ଷା କମିବା ପରେ ବଳକା ଥିବା ଜମି ଗୁଡିକରେ ଧାନ ରୁଆ କରିବାକୁ ଚାଷୀ ମାନେ ଅଣ୍ଟା ଭିଡିଥିବା ବେଳେ ଆଜି ଆଉ ଜମିକୁ ଯାଇ ପାରିନାହାନ୍ତି।

ବର୍ଷା ଆସିବା ମାତ୍ରକେ ଗାଁ ଗହଳିରେ ଯେଭଳି ପ୍ରଭାବ ପଢ଼ୁଛି ତାହାର ଦ୍ବିଗୁଣା ସହରର ବସ୍ତି ଅଂଚଳରେ ଦେଖିବାକୁ ମିଳିଛି। ବସ୍ତି ବାସିନ୍ଦା ମାନେ କାମ ଧନ୍ଦା କରିବାକୁ ବି ବାହାରି ପାରୁ ନାହାନ୍ତି। ଗାଁ ଗହଳିରୁ ସହରକୁ ଆସି ପନିପରିବା ବିକ୍ରୀ କରୁଥିବା , ଦିନ ମଜୁରିଆ ମାନଙ୍କ ଉପରେ ବର୍ଷାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିଛି। ସହରର ବିଭିନ୍ନ ଛକ ଓମୁଖ୍ୟରାସ୍ତା, ଦୈନିକ ବଜାର, ଦ୍ବିତୀୟ ଦୈନିକ ବଜାର ଆଦିରେ ରାସ୍ତା ଉପରେ ବସି ପନିପରିବା ବିକ୍ରୀ କରୁଥିବା ମହିଳା ମାନେ ବର୍ଷାକୁ ଖାତିର ନ କରି ସେଭଳି ରାସ୍ତା ଉପରେ ପଲିଥିନ୍ ପକାଇ ଏସବୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପନି ପରିବା, ବାଉଁଶ କରଡ଼ି, କଂଚା କାଜୁ ମଂଜି ଆଦି ଘରେ ନେଇ ରଖି ଦେଲେ ନଷ୍ଟ ହେବ ଏବଂ ବଡ଼ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ଏହି ଛୋଟ ବେପାରୀ ମହିଳା ମାନେ କହିଛନ୍ତି।

ପୌରପ୍ରଶାସନ ପକ୍ଷରୁ ଏମାନଙ୍କୁ ପିଣ୍ଡି ଦିଆଯାଇ ନଥିବାରୁ ରାସ୍ତା ଉପରେ ଅସ୍ବାସ୍ଥ୍ୟକର ପରିବେଶରେ ବି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଲାଗି ରହିଥିବାରୁ ନାଳନର୍ଦ୍ଧମା ଗୁଡିକରେ ପାଣି ଜମା ହୋଇ ରାସ୍ତାରେ ଚାଳୁଥିବା ବି ଦେଖିବାକୁ ମିଳିଛି। ସେଭଳି ବର୍ଷା ଠିକେ ବଢ଼ିବା ମାତ୍ରକେ ବିଦ୍ୟୁତ କାଟ୍ ହେଉଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। 

ଏହି ଖବର ପଢ଼ନ୍ତୁ: କେନାଲ ପାଣି ଦୟାରେ ଚାରି ବ୍ଲକ