‘ଭୁଲ୍‌ ନୁହେଁ, ଯୋଜନାବଦ୍ଧ ଷଡ୍‌ଯନ୍ତ୍ର’: ନବକୃଷ୍ଣ ଚୌଧୁରୀଙ୍କ ବିକୃତ ମୂର୍ତ୍ତି ସ୍ଥାପନ ବିରୋଧରେ ସତ୍ୟାଗ୍ରହ

Advertisment

ଅନୁଗୁଳ ଜିଲ୍ଲାପାଳଙ୍କୁ ବଦଳି ଦାବି

ଅନୁଗୁଳ ଜିଲ୍ଲାପାଳଙ୍କୁ ବଦଳି ଦାବି

‘ଭୁଲ୍‌ ନୁହେଁ, ଯୋଜନାବଦ୍ଧ ଷଡ୍‌ଯନ୍ତ୍ର’: ନବକୃଷ୍ଣ ଚୌଧୁରୀଙ୍କ ବିକୃତ ମୂର୍ତ୍ତି ସ୍ଥାପନ ବିରୋଧରେ ସତ୍ୟାଗ୍ରହ

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ବାରା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ସତ୍ୟାଗ୍ରହ କରାଯାଇଥିଲା। ଆଜୀବନ ଖଦୀ ଧୋତି ଓ ଫତେଇ ପିନ୍ଧିଥିବା ସ୍ବର୍ଗତ ଚୌଧୁରୀଙ୍କ ପ୍ୟାଣ୍ଟ-ସାର୍ଟ, ଜୋତା ପିନ୍ଧା ବିକୃତ ଫାଇବର୍‌ ମୂର୍ତ୍ତି ଛିଡ଼ା କରିବା ଆକସ୍ମିକ ଭୁଲ ବୋଲି ଯେତେ ସଫେଇ ଦେଲେ ବି ଏହା ପଛରେ ଏକ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର କାମ କରୁଛି ବୋଲି ଆନ୍ ଦୋଳନକ‌ାରୀମାନେ ଅଭିଯୋଗ କରିଥିଲେ।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ ଯେ ଅନୁଗୁଳରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ଦାବି କରି ନବକୃଷ୍ଣ ଓ ମାଳତୀ ଦେବୀଙ୍କ କନ୍ୟା କୃଷ୍ଣା ମହାନ୍ତି ଅତୀତରେ ସତ୍ୟାଗ୍ରହ କରିଥିବାରୁ ତାଙ୍କ ଦ୍ବାରା ପରିଚାଳିତ ବାଜି ରାଉତ ଛାତ୍ରାବାସ ପ୍ରତି ଅନୁଗୁଳ ଜିଲ୍ଲାପାଳ ଅସୂୟା ମନୋଭବ ପୋଷଣ କରି ଏମିତି ଅନେକ କାର୍ଯ୍ୟ କରୁଛନ୍ତି। ଅର୍ଥାଭାବ ଦର୍ଶାଇ ବାସ ଅନୁପଯୋଗୀ ହୋଇପଡ଼ିଥିବା କନ୍ୟାଶ୍ରମ ଘରର ମରାମତିରୁ ଓହରିଯିବା, ବାଜି ରାଉତ ଛାତ୍ରାବାସକୁ ରିହାତି ଦରରେ ଚାଉଳ ଯୋଗା ନଯିବା, ଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରବେଶ ପଥରୁ ନବକୃଷ୍ଣ ଓ ମାଳତୀ ଦେବୀଙ୍କ ଫଟୋଚିତ୍ରକୁ ହଟାଇ ଦେବା ଆଦି ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଗୋଟିଏ ଗୋଟିଏ ଉଦାହରଣ। ତେଣୁ ଜିଲ୍ଲାପାଳଙ୍କୁ ତୁରନ୍ତ ଅନୁଗୁଳରୁ ବଦଳି କରାଯିବା ସହ ସରକାର ଏକ ରାଜ୍ୟସ୍ତରୀୟ କମିଟି ଗଢ଼ି ବାଜିରାଉତ ଛାତ୍ରାବାସର ଅଭାବ ଅସୁବିଧା ସବୁକୁ ଅନୁଧ୍ୟାନ କରି ଏହାର ପରିପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ।

ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ଲୋହିଆ ଏକାଡେମି, ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ହୋଇଥିବା ଏହି ସତ୍ୟାଗ୍ରହରେ ଜୟନ୍ତ କୁମାର ଦାସ, ମିହିର ପ୍ରତାପ ଦାସ, ବିଶ୍ୱପ୍ରିୟ କାନୁନ୍‌ଗୋ, ଜ୍ଞାନରଞ୍ଜନ ସାମନ୍ତରାୟ, ବିଜୟ ମହାନ୍ତି, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଜୟନ୍ତ ଦାସ, ସତୀଶ ମିଶ୍ର, ସଂଗ୍ରାମ ମଲ୍ଲିକ, ମହମ୍ମଦ ସୁକୃ, ମାନସ ଜେନା, ବୈଦ୍ୟନାଥ ଦାସ, ମାନସ ରଞ୍ଜନ ମିଶ୍ର, ସଂଘମିତ୍ରା ଜେନା, ପ୍ରମୋଦ ପରିଡ଼ା, ମନୋଜ କର, ପ୍ରତ୍ୟୟ ପ୍ରଶାନ୍ତ, ଅଲିଭା ଦାଶ, କୃଷ୍ଣପ୍ରସାଦ ଚମ୍ପତ୍ତିରାୟ, କରନ ମହାପାତ୍ର, ବିଜୟ କୁମାର ପଣ୍ଡା, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe