ଠିକ୍‌ ଭାବେ ହେଉନି ଏସ୍‌ସି-ଏସ୍‌ଟି ଯୋଜନା ଅର୍ଥ ଆବଣ୍ଟନ

Advertisment
ଅନ୍ଧାରରେ ୩୯୮ ଆଦିମ ଜନଜାତି ଗଁା: ବିକାଶ ଏଠି ସାତସପନ, ଗଜପତି ସ୍ଥିତି ସଙ୍ଗିନ

Live Law

ଭୁବନେଶ୍ବର : ରାଜ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ସ୍ବତନ୍ତ୍ର ବ୍ୟୟବରାଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ବଜେଟ୍‌ରେ ଅର୍ଥ ଆବଣ୍ଟନ ଠିକ୍‌ ଭାବରେ ହେଉନାହିଁ। ନିୟମ ଅନୁଯାୟୀ, ବଜେଟ୍‌ର ମୁଖ୍ୟ ଭାଗ ନିର୍ଦିଷ୍ଟ ଭାବରେ କେବଳ ଅନୁସୂଚିତ ଜାତି, ଜନଜାତିଙ୍କ ସମସ୍ୟା ଏବଂ ସାମାଜିକ ସ୍ତରକୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ଥିକ ଏବଂ ସାମାଜିକ ଜୀବନଶୈଳୀରେ ଉନ୍ନତି ଏବଂ ଗୋଷ୍ଠୀଗତ ବିକାଶ ଦିଗରେ ବରାଦ କରାଯିବା ଉଚିତ। କିନ୍ତୁ ଏହା କରାନଯାଇ ବରଂ ସମସ୍ତଙ୍କ ସହିତ ସାଧାରଣ ଭାବରେ ଯେଉଁ ଯୋଜନାରେ ଲାଭାନ୍ବିତ ହୋଇଥାଆନ୍ତେ ସେଥିରେ ଖର୍ଚ୍ଚ କରାଯାଉଛି। କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ବଜେଟ୍‌ରେ ତ୍ରୁଟିପୂର୍ଣ୍ଣ ଆବଣ୍ଟନ ବ୍ୟବସ୍ଥା ଯୋଗୁଁ ଯେଉଁ ଉଦ୍ଦେଶ୍ୟ ନେଇ ଅନୁସୂଚିତ ଜାତି-ଜନଜାତି ପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ ହେଉଛି ତାହା ସାଧିତ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଶୈଳୀରେ ଅନୁସୂଚିତ ଜନଜାତି ଏବଂ ଜାତି ଉପଯୋଜନା କାର୍ଯ୍ୟକାରୀ ପାଇଁ ଦାବି କରିଛି ଆମ୍ବେଦକର-ଲୋହିଆ ବିଚାର ମଞ୍ଚ। ଏଜିଙ୍କ ପ୍ରସ୍ତୁତ ଅନୁସୂଚିତ ଜାତି-ଜନଜାତିଙ୍କ ପାଇଁ ଆବଣ୍ଟିତ ଅର୍ଥ ବିନିଯୋଗ ରିପୋର୍ଟ ବିଧାନସଭାରେ ପ୍ରସ୍ତୁତ ପାଇଁ ଦାବି କରାଯାଇଛି।

ପ୍ରାକୃତିକ ବିପର୍ଯ୍ୟୟ ବଜେଟ୍‌ରେ ଏସ୍‌ସି, ଏସ୍‌ଟିଙ୍କ ପାଇଁ ହେଉ ସ୍ବତନ୍ତ୍ର ବ୍ୟୟ ବରାଦ
ଆନ୍ଧ୍ର ଶୈଳୀରେ ଅନୁସୂଚିତ ଜନଜାତି ଏବଂ ଜାତି ଉପଯୋଜନା କାର୍ଯ୍ୟକାରୀ ପାଇଁ ଦାବି

ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟର ସମୁଦାୟ ଜନସଂଖ୍ୟାର ୪୦ ପ୍ରତିଶତ କେବଳ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଅଛନ୍ତି। ଯେଉଁମାନେ ମୁଖ୍ୟ ଭାବରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥାଆନ୍ତି। ଏପରିକି ଆଜି ବି ପାଣି, ଶୌଚ, ଆବାସ ସୁବିଧା ପ୍ରଦାନ, ମହିଳାଙ୍କ ଆୟ ବୃଦ୍ଧିରେ ସରକାରୀ ଯୋଜନାରେ ସେମାନେ ଭେଦଭାବର ଶିକାର ହେଉଛନ୍ତି। ବିଗତ ଦିନରେ ଫନି ଭଳି ବାତ୍ୟା ସମୟରେ ଥଇଥାନ ଦିଗରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପରିବାର ଜାତିଗତ ଭେଦର ଶିକାର ହୋଇଥିଲେ ତାହା ଲୋକଲୋଚନକୁ ଆସିଥିଲା। ସ୍ଥିତି ଏଭଳି ହୁଏ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଦିବାସୀ, ଦଳିତ ମହିଳା, ଶିଶୁମାନଙ୍କ ସ୍ଥିତିକୁ ଆହୁରି ସଙ୍କଟଜନକ କରି ଦିଏ। ସେମାନଙ୍କ ଥଇଥାନ ଦିଗରେ ମଧ୍ୟ ଭେଦଭାବ କରାଯାଏ। ସେମାନେ ସାମାଜିକ ଏବଂ ଆର୍ଥିକ ଭାବରେ ଆହୁରି ଦୁର୍ବଳ ହୋଇଯାଆନ୍ତି।

ରାଜ୍ୟର ଅଧିକାଂଶ ଭାଗଚାଷୀ ଦଳିତ ଏବଂ ଆଦିବାସୀ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଲେ ମଧ୍ୟ ଜମିରେ ଅଧିକାର ନଥିବାରୁ କ୍ଷତିପୂରଣ ଟଙ୍କା ପାଆନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି-ଜନଜାତି ଉପଯୋଜନା ଅନ୍ତର୍ଗତରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ କ୍ଷତିଗ୍ରସ୍ତ ଅନୁସୂଚିତ ଜାତି-ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ପାଇଁ ଦାବି କରାଯାଇଛି। ଆହୁରି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଜମିହୀନ ଅନୁସୂଚିତ ଜାତି-ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ, ଜଳବାୟୁ ପରିବର୍ତ୍ତନ ଦିଗରେ କେନ୍ଦ୍ରୀୟ ଅନୁଦାନ ଏବଂ ରାଜ୍ୟ ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ପ୍ରସ୍ତୁତ ବେଳେ ଅନୁସୂଚିତ ଜାତି-ଜନଜାତିଙ୍କୁ ଗୁରୁତ୍ବ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଥଇଥାନ ପାଇଁ ମହିଳା, ଭୂମିହୀନ ଶ୍ରମିକ ଏବଂ ଭାଗଚାଷୀଙ୍କୁ ସାମିଲ ସମେତ ୧୪ ଦଫା ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆମ୍ବେଦକର-ଲୋହିଆ ବିଚାର ମଞ୍ଚର ପ୍ରମୁଖ ସଦସ୍ୟ ସଂଗ୍ରାମ ମଲ୍ଲିକ, ସଞ୍ଜୟ ମଲ୍ଲିକ, ଅଭିରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe