ମହିଳା ସଶକ୍ତୀକରଣ ଏମିତି! ଚାରିବର୍ଷ ହେଲା ପରିତ୍ୟକ୍ତ ଶକ୍ତି ବଜାର

Advertisment

ଏସଏଚ୍‌ଜି ସଦସ୍ୟାଙ୍କ ପାଇଁ ସ୍ଥାପିତ ହୋଇଥିଲା

ଏସଏଚ୍‌ଜି ସଦସ୍ୟାଙ୍କ ପାଇଁ ସ୍ଥାପିତ ହୋଇଥିଲା

ମହିଳା ସଶକ୍ତୀକରଣ ଏମିତି! ଚାରିବର୍ଷ ହେଲା ପରିତ୍ୟକ୍ତ ଶକ୍ତି ବଜାର
ରାଉରକେଲା: ୨୦୧୯ ମସିହା ମାର୍ଚ୍ଚ ୧ ତାରିଖ। ଉକ୍ତ ଦିନ କୋଏଲନଗର ଏ’ ବ୍ଲକରେ ନବନିର୍ମିତ ‘ଶକ୍ତି ବଜାର’କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଶକ୍ତି ବଜାରର ଉଦ୍ଦେଶ୍ୟ ଥିଲା, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠି(ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ବ୍ୟବସାୟ ପାଇଁ ନୂଆ ରାସ୍ତା ଦେଖାଇବା। କେବଳ ଗ୍ରାମାଞ୍ଚଳରେ ସୀମିତ ରହୁଥିବା ସେମାନଙ୍କର ଉତ୍ପାଦକୁ ସହରାଞ୍ଚଳରେ ପହଞ୍ଚାଇବା ସହ ବ୍ୟବସାୟରେ ବୃଦ୍ଧିଆଣିବା। ଏହି ମହତ୍‌ ଉଦ୍ଦେଶ୍ୟ କିନ୍ତୁ ସାଧିତ ହୋଇପାରିଲାନି। କାରଣ ଗତ ୪ ବର୍ଷ ହେଲା ଏହି ଶକ୍ତି ବଜାର ବନ୍ଦ ହୋଇଯାଇଛି।
ସୁନ୍ଦରଗଡ ଜିଲ୍ଲାର ଏସ୍‌ଏଚ୍‌ଜିକୁ ସିଧାସଳଖ ବଜାର ସଂଯୋଗ ଯୋଗାଇବା ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ନିର୍ମିତ ଏହି ଶକ୍ତି ବଜାର ଉଦ୍‌ଘାଟନ ହେବାର ୧୦ ମାସ ପରେ, ଅର୍ଥାତ୍‌ ୨୦୧୯ ଡିସେମ୍ବର ୫ ତାରିଖରେ ଖୋଲିଥିଲା। ଏହି ପ୍ରକଳ୍ପ ପାଇଁ ଆର୍‌ଏମ୍‌ସି ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବିନିଯୋଗ ୪୫ଟି ଷ୍ଟଲ୍‌ ବିଶିଷ୍ଟ ବଜାର ନିର୍ମାଣ କରାଯାଇଥିଲା। ଦୋକାନିଙ୍କ ପାଇଁ ପ୍ରଥମ ୬ ମାସ ପର୍ଯ୍ୟନ୍ତ ମାସିକ ଭଡ଼ା ମାତ୍ର ୧ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହି ବଜାରରେ ଏସ୍‌ଏଚ୍‌ଜି ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ହସ୍ତତନ୍ତ, ମସଲା, ପାମ୍ପଡ଼ ସମେତ ପୋଷାକ, କାଗଜ ବ୍ୟାଗ, କୃଷିଜାତ ଦ୍ରବ୍ୟ ତଥା ବିଭିନ୍ନ ଖାଦ୍ୟସାମଗ୍ରୀ ଉପଲବ୍ଧ ଥିଲା।
publive-image
ତେବେ ପରବର୍ତ୍ତୀ ସମୟରେ କିନ୍ତୁ ଏଠାରୁ ମୁହଁ ମୋଡ଼ିନେଇଥିଲେ ମହିଳା ଦୋକାନି। ଦୋକାନିଙ୍କ ପାଇଁ ଷ୍ଟଲ୍‌ ଖୋଲିଦେଇଥିଲେ ସତ; କିନ୍ତୁ ଶୌଚାଳୟ, ପାନୀୟ ଜଳ ଯୋଗାଣ, ସୁରକ୍ଷା ବ୍ୟବସ୍ଥା ଆଦି ଗୁରୁତ୍ବପୂର୍ଣ୍ଣ ଦିଗକୁ ପ୍ରଶାସନ ଭୁଲିଯାଇଥିଲା। ଏଦ୍‌ବ୍ୟତୀତ  ସନ୍ଧ୍ୟା ହେବାମାତ୍ରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଥିଲା। ଅସାମାଜିକ ତତ୍ତ୍ବଗୁଗଡ଼ିକ ସେଠାରେ ମଦ, ଗଞ୍ଜେଇ ପିଇବା ସମେତ ସମସ୍ତ ପ୍ରକାର ଅସାମାଜିକ କାର୍ଯ୍ୟକାପ ଆରମ୍ଭ କରିଦେଇଥିଲେ। ଏମିତିକି ଶକ୍ତି ବଜାରକୁ ଯାଉଥିବା ଗ୍ରାହକ ତଥା ଦୋକାନି ଅଶୋଭନୀୟ ବ୍ୟବହାରର ବି ଶିକାର ହୋଇଥିଲେ। ଫଳରେ ପରବର୍ତ୍ତୀ ସମୟରେ ଗ୍ରାହକ ସେଠାକୁ ଯିବାକୁ ଉଚିତ ମଣିନଥିଲେ। ଫଳସ୍ବରୂପ ଉଦ୍‌ଘାଟନ ହେବାର ୪/୫ ମାସ ପରେ ଦୋକାନି ମଧ୍ୟ ସେଠାରେ ପାଦ ଦେଇନଥିଲେ। ଠିକ ଏତିକିବେଳେ କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଯାଇଥିଲା। କରୋନା ସଂକ୍ରମଣ ହ୍ରାସ ହେବାପରେ ସ୍ଥିତି ସ୍ବାଭାବିକ୍‌ ହୋଇଥିଲା। କିନ୍ତୁ ଶକ୍ତି ବଜାର ପୁନର୍ବାର ଖୋଲିପାରିନଥିଲା। ଦୋକାନି ଏଠାକୁ ନଆସିବାରୁ ବଜାରରେ ତାଲା ପଡ଼ିଯାଇଥିଲା। ଏବେ ଶକ୍ତି ବଜାର ପରିତ୍ୟକ୍ତ ହୋଇପଡ଼ିଛି। ବଜାର ଭିତରେ ୨/୩ ଫୁଟ ଉଚ୍ଚର ଘାସ, ବିଭିନ୍ନ ଗଛ ଜନ୍ମିଥିବାବେଳେ ଭିତରେ ମଦବୋତଲ, ପାଣି ବୋତଲ ଭର୍ତ୍ତି ହୋଇଗଲାଣି। ସଂପ୍ରତି ଏଠାରେ ଲୁହା ପାଇପ୍‌ ରଖାଯାଇଥିବା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପକୁ ପୁନରୁଦ୍ଧାର ତଥା ପୁନଃ କାର୍ଯ୍ୟକ୍ଷମ କରିବାକୁ ଆର୍‌ଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe