କେବଳ ସିର୍ଲା ନୁହେଁ, ବିଭିନ୍ନ ଜଙ୍ଗଲରେ ନକ୍ସଲ ଆଡ଼ା: ଚତୁର୍ଥ ଦି‌ନରେ କମ୍ବିଂ ଅପରେସନ୍‌

ଗଞ୍ଜେଇ ଅମଳ ଏବଂ ଶାଳ ପତ୍ରଝଡ଼ା ଯାଏ ପୁଲିସକୁ ଟେନ୍‌ସନ

ଏବେ ଛତିଶଗଡ଼ ଢାଞ୍ଚାରେ ମାଓଦମନ: ମଇଦାନରେ ଗୁଇନ୍ଦା ବ୍ୟୁରୋ

Outlook India

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କେବଳ ସିର୍ଲା ନୁହେଁ, ବିଭିନ୍ନ ଜଙ୍ଗଲରେ ଏବେ ମାଓବାଦୀ ମାଡ଼ି ଯାଇଛନ୍ତି। ବିଶେଷକରି ରାୟଗଡ଼ା, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲା ସୀମାକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲରେ ମାଓବାଦୀ ଆଡ଼ା ଜମାଇଛନ୍ତି। ଅନ୍ୟପ‌ଟେ, ମାଓ ଆଡ଼ା ଧ୍ବଂସ କରିବାକୁ ପୁଲିସ ବାହିନୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। ଗତ ଦୁଇଦିନ ତଳେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅଧୀନ ସିର୍ଲା ପଞ୍ଚାୟତ କେହେଲିଗୁଡ଼ା ନିକଟ କରୁଗାଡେଙ୍ଗ ଜଙ୍ଗଲରେ କମ୍ବିଂ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଥିଲେ। ସେବେଠୁ ମାଓବାଦୀ ଏବଂ ପୁଲିସ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ସିର୍ଲା ଜଙ୍ଗଲରେ ମାଓ ଶିବିରକୁ ଧ୍ବଂସ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏସ୍‌ଓଜି, ସିଆର୍‌ପିଏଫ୍‌ ଏବଂ ବିଏସ୍‌ଏଫ୍‌ ଯବାନ ଅପରେସନ୍‌ରେ ସାମିଲ ହୋଇଛନ୍ତି। ଅନ୍ୟ ଜିଲ୍ଲାକୁ ଲାଗିଥିବା କନ୍ଧମାଳ ସୀମାନ୍ତ ବିଭିନ୍ନ ଜଙ୍ଗଲରେ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି ବୋଲି ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

ଅପରପକ୍ଷେ, ବର୍ତ୍ତମାନ ବର୍ଷା ଋତୁ ଯାଇ ଶୀତ ଋତୁ ଚାଲିଥିବାରୁ ଜଙ୍ଗଲଗୁଡ଼ିକ ଘଞ୍ଚ ଅଛି। ଏହା ମାଓବାଦୀଙ୍କୁ କ୍ୟାମ୍ପ୍‌ କରି ସୁରକ୍ଷିତ ଚଳପ୍ରଚଳରେ ସହାୟକ ହେଉଛି। ଏଣୁ ଏସବୁ ମାଓ କ୍ୟାମ୍ପ୍‌କୁ ଠାବ କରି ଧ୍ବଂସ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ଶୀତ ଋତୁ ଯିବା ପରେ ବସନ୍ତ ଋତୁର ପ୍ରବେଶ ମାତ୍ରେ ଶାଳ ଜଙ୍ଗଲ ପତ୍ରଝଡ଼ା ଦେବା ଫଳରେ ଜଙ୍ଗଲ ଶ୍ରୀହୀନ ହୋଇଯିବ ଏବଂ ସେତେବେଳେ ମାଓବାଦୀଙ୍କୁ ଲୁଚିବା ଆଉ ସହଜ ହେବନି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାୟଗଡ଼ା-ତୁମୁଡ଼ିବନ୍ଧ-କୋଟଗଡ଼, କଳାହାଣ୍ଡି-ତୁମୁଡ଼ିବନ୍ଧ-ବାଲିଗୁଡ଼ା, ବୌଦ୍ଧ-ଫିରିଙ୍ଗିଆ-ଖଜୁରୀପଡ଼ା ଏବଂ ଗଜପତି-ଦାରିଙ୍ଗିବାଡ଼ି ସୀମାନ୍ତ ଜଙ୍ଗଲରେ ମାଓବାଦୀ ଆଡ୍ଡା ଜମେଇଥିବା କଥା ଖବର ମିଳିବା ପରେ କନ୍ଧମାଳ ପୁଲିସ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ଗତକାଲି ଠାରୁ କମ୍ବିଂ ଅପେରସନ୍‌ ଜୋରଦାର କରାଯାଇଛି। ଅନ୍ୟପ‌ଟେ, ବର୍ତ୍ତମାନ ଗଞ୍ଜେଇ ଅମଳ ଋତୁ ଚାଲିଥିବାରୁ ମାଓବାଦୀ ବେଶି ସକ୍ରିୟ ହୋଇ ପଡ଼ିଛନ୍ତି ବୋଲି ଆଉ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। କାରଣ ଗଞ୍ଜେଇ ଚାଷକୁ ମାଓବାଦୀ ସିଧାସଳଖ ସମର୍ଥନ କରୁଛନ୍ତି। ଗଞ୍ଜେଇ ଅମଳ ଏବଂ ଏହାର ଚୋରା ଚାଲାଣ ଶେଷ ନ ହେବା ପର୍ଯ୍ୟନ୍ତ ମାଓବାଦୀ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହ‌ିବେ ବୋଲି ପୁଲିସ ଅନୁମାନ କରି ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ବର୍ତ୍ତମାନ କେକେବିଏନ୍‌ ମାଓ ଡିଭିଜନ ସକ୍ରିୟ ରହିଛି। ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି ବୋଲି ଏସ୍‌ପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe