କଥା ନୁହେଁ, କାମ କରନ୍ତି ନବୀନ: ପାଣ୍ଡିଆନ

Advertisment

ଆରମ୍ଭ ହେଲା ବିଜେଡି ପ୍ରଚାର ଅଭିଯାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ

ଆରମ୍ଭ ହେଲା ବିଜେଡି ପ୍ରଚାର ଅଭିଯାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ

କଥା ନୁହେଁ, କାମ କରନ୍ତି ନବୀନ: ପାଣ୍ଡିଆନ

କୋରାପୁଟ/ଲକ୍ଷ୍ମୀପୁର/ଦଶମନ୍ତପୁର/ସେମିଳିଗୁଡ଼ା/ରାୟଗଡା/ବିଷମକଟକ/ଗୁଣପୁର: ମହିଳାଙ୍କ ଉନ୍ନତି ହେଲେ ପରିବାରର ଉନ୍ନତି ହେବ। ପ୍ରତି ଓଡ଼ିଆର ଉନ୍ନତି ହେଲେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ହେବ। ତେଣୁ ଯୋଡ଼ି ଶଙ୍ଖକୁ ଭୋଟ ଦେଇ ନବୀନ ସରକାରଙ୍କୁ ସଶକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ବିଜେଡି ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପାଣ୍ଡିଆନ।

ସେମିଳିଗୁଡ଼ା ବ୍ଲକର ବାଙ୍ଗୁରୁଗୁଡ଼ା ଏବଂ ଦଶମନ୍ତପୁର ବ୍ଲକ ସଦର ମହକୁମାରେ ଆୟୋଜିତ ସମାବେଶରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି ଏବଂ ପଟାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗିଙ୍କ ଲାଗି ସେ ଭୋଟ ଭିକ୍ଷା କରିଥିଲେ। ବିକାଶର ବ୍ୟାଖ୍ୟା କରିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା‌କୁ ଆଳ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ମନ୍ତ୍ରୀ କେବଳ କଥା କହିଥାନ୍ତି। ନବୀନ କଥା ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି କହିଥିଲେ ଶ୍ରୀ ପାଣ୍ଡିଆନ। ବାଙ୍ଗୁରୁଗୁଡ଼ା ସମାବେଶରେ ସେ କହିଥିଲେ, ଦେଓମାଳି, ରାଣୀଡ଼ୁଡ଼ୁମା, ରାଜା ଗୁମ୍ଫା, ନାଗେଶ୍ବରୀ ଗୁମ୍ଫା, ଗାଙ୍ଗେଶ୍ବରୀ ମନ୍ଦିର ପାଇଁ ପ୍ରାୟ ୨୯କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଭିଡ଼ ହେଲେ ଅଞ୍ଚଳର ଏବଂ ଲୋକଙ୍କ ବିକାଶ ହେବ। ପଡ଼ୋଶୀ ରାଜ୍ୟର ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଳି କୌଣସି ପରିଷଦ ନାହିଁ। ଓଡ଼ିଶାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ପରଂପରାକୁ ସମୃଦ୍ଧ କରୁଛି। ଦଶମନ୍ତପୁର ସମାବେଶ ପୂର୍ବରୁ ପାଣ୍ଡିଆନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଜିଲ୍ଲା ବିଜେଡି ଉପସଭାପତି ନାରାୟଣ ବିଶୋଇଙ୍କ ନେତୃତ୍ବରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟର ସରକାରଙ୍କ ବିକାଶର ହିସାବ ଦେଇଥିଲେ। ସେ କହିଥିଲେ, ୧୩ତାରିଖରେ ସମସ୍ତେ ଅର୍ଥାତ୍‌ ୯୫ପ୍ରତିଶତ ମତଦାନ କରନ୍ତୁ। ଏହି ସଭାରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପଟାଙ୍ଗି ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନି, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ମୀରା ପରିଡ଼ା, ପଟାଙ୍ଗି ବିଧାନସଭା ପର୍ଯ୍ୟବେକ୍ଷକ ବାଲା ରାୟ, ସହ ପର୍ଯ୍ୟବେକ୍ଷକ ଅମିତ ଅଗ୍ରଵାଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପାର୍ବତୀ ମସ୍ତି ଓ ଜିଲ୍ଲା ଯୁବ ସଭାପତି ଆଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଶ୍ରୀ ପାଣ୍ଡିଆନ ଆଜି ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ଲୋକଙ୍କ ଉତ୍ସାହ ଓ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜିଯାଇଛି। ବିରୋଧୀ ନିର୍ବାଚନ ସମୟରେ ମିଠାମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ। ଓଡ଼ିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି। ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି। ଜନଜାତିଙ୍କ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ଅନ୍ୟ କୌଣସି ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଇନି। କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କ ଅନୁରୋଧରେ ଆମେ ଯେଉଁ ପଦକ୍ଷେପ ନେଇଛୁ, ତାହାର ହିସାବ ଦେବାକୁ ଆସିଛି। ପୂର୍ବରୁ ବଡ଼ ହସ୍‌ପିଟାଲକୁ ଯିବା ପାଇଁ ପୂର୍ବରୁ ଗରିବ ଲୋକ ଭୟ କରୁଥିଲେ। ତାହାକୁ ମୁଖ୍ୟମନ୍ତ୍ରୀ ଏବେ ଦୂର କରିଛନ୍ତି। ମାତ୍ର ବିଏସ୍‌କେୱାଇକୁ ବିରୋଧୀ ବନ୍ଦ କରିବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବି ସହି ପାରୁନାହାନ୍ତି। ଅନ୍ୟ ଦଳରୁ ଜଣେ ସାଂସଦ ଏଠାରେ ଅଛନ୍ତି। ୫ବର୍ଷରେ କ’ଣ କରିଛନ୍ତି କେହି ଜାଣିନାହାନ୍ତି। ତେଣୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ ଦେଇଥିଲେ। ସଭାରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ବିଷମକଟକ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ସାରକା ଏବଂ ଗୁଣପୁର ବିଧାନସଭା ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କ ସହିତ ଦଳର ଅନେକ ନେତା ଅଭିଭାଷଣ ରଖିଥିଲେ। ଗୁଣପୁରରେ ବିଜେଡି ଜିଲ୍ଲା ସଭାପତି ଏନ୍‌. ଭାସ୍କର ରାଓ, ରାଜ୍ୟ ସମ୍ପାଦକ ସୁଧୀର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe