ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଆଉ ନାହାନ୍ତି

Advertisment

୩୦୦ରୁ ଊର୍ଦ୍ଧ୍ବ ଗୀତର ରଚୟିତା ଥିଲେ, ୩୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପାଇଁ ଲେଖିଛନ୍ତି ଗୀତ

୩୦୦ରୁ ଊର୍ଦ୍ଧ୍ବ ଗୀତର ରଚୟିତା ଥିଲେ, ୩୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପାଇଁ ଲେଖିଛନ୍ତି ଗୀତ

ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଆଉ ନାହାନ୍ତି

ବାରିପଦା : ଓଡ଼ିଆ ସଂଗୀତ ଜଗତର ଜଣାଶୁଣା ଚେହେରା ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଆଉ ନାହାନ୍ତି। ଶୁକ୍ରବାର ଅପରାହ୍ନ ୨ଟା ୨୦ ମିନିଟ୍‌ରେ ବାରିପଦା ପୁରୁଣା ହାଟସାହିସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବାରିପଦା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଂଗୀତଜ୍ଞ, ଗୀତିକାର, ଚଳଚ୍ଚିତ୍ର ଅଭିନେତା, ରାଜନେତା, ଆଇନଜୀବୀ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସ୍ବର୍ଗତ ମହାନ୍ତି ଏକାଧାରରେ ଜଣେ ଗୀତିକାର, ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଓ ଆଇନଜୀବୀ ଥିଲେ। ତେବେ, ଗୀତିକାର ଭାବେ ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ରଚିତ ଗୀତକୁ ଅକ୍ଷୟ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ଶାନ୍ତନୁ ମହାପାତ୍ର, ରଘୁନାଥ ପାଣିଗ୍ରାହୀ, ବାପି ଲାହିରୀଙ୍କ ଭଳି ପ୍ରଥିତଯଶା ତଥା କିମ୍ବଦନ୍ତୀ କଣ୍ଠଶିଳ୍ପୀ ଗାଇଛନ୍ତି। ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଗୀତ ଲେଖିଥିବା ସ୍ବର୍ଗତ ମହାନ୍ତି ୩୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପାଇଁ ମଧ୍ୟ ଗୀତ ଲେଖିଥିଲେ। ପରଦେଶୀ ଚଢ଼େଇ, ସାଗର ଗଙ୍ଗା, ମୋ କାହ୍ନୁରେ, ଅକୁହା କଥା, ଗୋପରେ ବଢ଼ୁଛି କଳା କହ୍ନେଇ, ସମୟ ଖେଳୁଛି ଚକା ଭଉଁରୀ ଭଳି ଲୋକପ୍ରିୟ ପୁରୁଣା ଚଳଚ୍ଚିତ୍ର ସହ ଇଡିଅଟ୍, ପ୍ରେମରୋଗୀ, ତୁ ରାଜା ମୁଁ ରାଣୀ, ଇସ୍କ ତୁହି ତୁ, ଅ ଆ ଇ ଭଳି ନୂଆ ସ୍ବାଦର ସୁପରହିଟ୍ ଚଳଚିତ୍ର ପାଇଁ ବି ସେ ଗୀତ ଲେଖିଥିଲେ। ତେବେ, ସାଗର ଗଙ୍ଗା ଚଳଚ୍ଚିତ୍ରରେ ତାଙ୍କ ଦ୍ବାରା ରଚିତ ଓ ରାଧାକୃଷ୍ଣ ଭଞ୍ଜ ଗାଇଥିବା ଗୀତ ‘ଚନ୍ଦ୍ରମା ଆଗୋ ଚନ୍ଦ୍ରମା.. ମେଘ ତଳେ ଲୁଚି ଯାଅନା..’ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇବା ସହ ଆତ୍ମସନ୍ତୋଷ ଦେଇଥିଲା ବୋଲି ସ୍ବର୍ଗତ ମହାନ୍ତି ଏକ ସାକ୍ଷାତକାରରେ କହିଥିଲେ। ଏହାବ୍ୟତୀତ ଗାୟତ୍ରୀ, ପ୍ରାୟଶ୍ଚିତ, ଓଢ଼ଣି ତଳର ଲୁହ ଆଦି ଧାରାବାହିକର ଶୀର୍ଷକ ସଙ୍ଗୀତ ମଧ୍ୟ ଲେଖିଥିଲେ। ସଂଗୀତ ଓ ସାହିତ୍ୟ ପାଇଁ ନିଜକୁ ସମର୍ପିତ ଦେଇଥିବା ସ୍ବର୍ଗତ ମହାନ୍ତି ଅବିବାହିତ ଥିଲେ। ୨୦୦୧ ମସିହାରେ ମୟୂରଭଞ୍ଜର ଛଉନୃତ୍ୟ ଗବେଷଣା ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଓ ୨୦୧୦ରେ ଓଡ଼ିଶା ସଙ୍ଗୀତ ଏକାଡେମୀ ପୁରସ୍କାର ପାଇଥିଲେ। ଗୀତ ଲେଖିବା ସହ ସାହିତ୍ୟ ସାଧନା ଥିଲା ତାଙ୍କର ଆଉ ଏକ ନିଶା। ଦୂର ଅପହଞ୍ଚ ଗାଁ, ଅବାକ୍‌ ପୃଥିବୀ, ପୁରୁଣା ବହିର ବାସ୍ନା ଓ ଇଂରାଜୀ ଭାଷାରେ ଲିଖିତ ଅନେକ ପୁସ୍ତକ ତାଙ୍କୁ ଦେଶ ବିଦେଶର ପାଠକଙ୍କ ପାଖରେ ଲୋକପ୍ରିୟ କରାଇଥିଲା।

ତାଙ୍କ ବିୟୋଗରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ଗୀତିକାର ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ବାଇଁ, ବସନ୍ତରାଜ ସାମଲ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ହେଲା ବୋଲି କହିଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ଉପଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ତାଙ୍କର ସାରସ୍ବତ ଶୈଳୀ ତାଙ୍କୁ ଚିରକାଳ ସ୍ମରଣୀୟ କରି ରଖିବ ବୋଲି କହିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ପରଲୋକରେ ସାରା ମୟୂରଭଞ୍ଜରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe