ନାମଲେଖା ନିୟମ ମାନୁନାହାନ୍ତି ସିବିଏସ୍‌ଇ ଅଧୀନ ବିଦ୍ୟାଳୟ : ଦେଶର ୧୭୦୦, ରାଜ୍ୟର ୨୭ ବିଦ୍ୟାଳୟକୁ ନୋଟିସ୍‌

Advertisment
ନାମଲେଖା ନିୟମ ମାନୁନାହାନ୍ତି ସିବିଏସ୍‌ଇ ଅଧୀନ ବିଦ୍ୟାଳୟ : ଦେଶର ୧୭୦୦, ରାଜ୍ୟର ୨୭ ବିଦ୍ୟାଳୟକୁ ନୋଟିସ୍‌

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ନିୟମ ମାନୁନାହାନ୍ତି ଅନୁବନ୍ଧିତ ବିଦ୍ୟାଳୟ। ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଗୋଟିଏ ଶ୍ରେଣୀର କୌଣସି ସେକ୍ସନ୍‌ରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ବାରଣ କରାଯାଇଥିବା ବେଳେ ଏହାକୁ ଦେଶର ୧୭୦୦ ବିଦ୍ୟାଳୟ ପାଳନ କରୁନାହାନ୍ତି। ସିବିଏସ୍‌ଇ ପକ୍ଷରୁ ଅନ୍‌ଲାଇନ୍‌ ଆଫିଲିଏଟେଡ୍‌ ସ୍କୁଲ ଇନ୍‌ଫରମେସନ୍‌ ସିଷ୍ଟମ ମାଧ୍ୟମରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ଠାବ କରାଯାଇଛି।

ଏନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛି ସିବିଏସ୍‌ଇ। ଯଦି କୌଣସି ଗୋଟିଏ ସେକ୍ସନ୍‌ରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବେ ତେବେ ପ୍ରତି ପିଲା ପିଛା ୫୦୦ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ନିୟମ ଉଲ୍ଲଂଘନ କରିଥିବାରୁ ବିଦ୍ୟାଳୟର ପଞ୍ଜୀକରଣ କାହିଁକି ବାତିଲ୍‌ କରା ନଯିବ ବୋଲି ଜବାବ ମାଗିଛି ସିବିଏସ୍‌ଇ। ବି‌େଶଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ୨୭ରୁ ଅଧିକ ‌ବିଦ୍ୟାଳୟ ନିୟମ ଉଲ୍ଲଂଘନ ତାଲିକାରେ ରହିଛନ୍ତି। ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ସହରର ପ୍ରମୁଖ ବିଦ୍ୟାଳୟ ଏହି ତାଲିକାରେ ଥିବା ନେଇ ସୂଚନା ମିଳିଛି।

ଘରୋଇ ବିଦ୍ୟାଳୟ ବ୍ୟତୀତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟା‌ଳୟରେ ବି ନିୟମ ଉଲ୍ଲଂଘନ ହେଉଥିବା ସୂଚନା ମିଳିଛି। ପ୍ରତି ସେକ୍ସନରେ ୪୦ ଜଣ ପିଲାଙ୍କୁ ରଖିବା ନିୟମ ରହିଥିଲେ ମଧ୍ୟ କେତେକ ବିଦ୍ୟାଳୟ ୪୫ରୁ ୫୦ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ହିସାବରୁ ଏଭଳି ତଥ୍ୟ ସମ୍ନାକୁ ଆସିଛି। ଅନୁମୋଦିତ ସିଟ୍‌ ତୁଳନାରେ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଥିବା ସିବିଏସ୍‌ଇ ନଜରକୁ ଆସିବା ପରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ବିଗତବର୍ଷଗୁଡ଼ିକ ପରି ଏଥର ମଧ୍ୟ ଧାର୍ଯ୍ୟ ଆସନଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ ପାଇଁ ସୁଯୋଗ ଦିଆଯିବ ନାହିଁ। ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ। କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ପାଇଁ ପ୍ରତି ସେକ୍ସନରେ ପିଲାଙ୍କ ସଂଖ୍ୟା ୪୦ରୁ ୪୫ ବୃଦ୍ଧି କରିବାକୁ ଯୋଜନା ହୋଇଛି।

ଅନ୍ୟପକ୍ଷରେ ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ବ୍ୟବସ୍ଥାକୁ ସହଜ କରାଯାଇଛି। ଛାତ୍ରଛାତ୍ରୀଙ୍କ ଥିଓରି ଓ ପ୍ରାକ୍ଟିକାଲରେ ମିଳିତ ଭାବେ ସର୍ବନିମ୍ନ ୩୩ ପ୍ରତିିଶତ ମାର୍କ ରଖିଲେ ଉତ୍ତିର୍ଣ୍ଣ ହୋଇପାରିବେ। ୨୦୦୯ ବୋର୍ଡ ପରୀକ୍ଷାରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୯ ଫେବ୍ରୁଆରି ମାସରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe