ମନରେଗା ଅର୍ଥ ଆତ୍ମସାତ ଘଟଣା : ଅର୍ଥ ଫେରାଇବାକୁ ପୂର୍ବତନ ସରପଞ୍ଚ ଓ ୪ କର୍ମଚାରୀଙ୍କୁ ନୋଟିସ

ମନରେଗା ଅର୍ଥ ଆତ୍ମସାତ ଘଟଣା : ଅର୍ଥ ଫେରାଇବାକୁ ପୂର୍ବତନ ସରପଞ୍ଚ ଓ ୪ କର୍ମଚାରୀଙ୍କୁ ନୋଟିସ

Elite IAS

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଗଙ୍ଗାଧରପୁର ପଞ୍ଚାୟତ ଇମାମନଗର ଗାଁରେ ହୋଇଥିବା ମନରେଗା ଅର୍ଥ ଆତ୍ମସାତ ମାମଲାରେ ଲୋକାୟୁକ୍ତଙ୍କ ତଦନ୍ତ ପରେ ଜଣେ ପୂର୍ବତନ ସରପଞ୍ଚ ଓ ୪ ବ୍ଲକ କର୍ମଚାରୀଙ୍କୁ ଟଙ୍କା ଫେରାଇବାକୁ ବିଡିଓ ନୋଟିସ ଦେଇଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ନାଁରେ ହଡ଼ପ ହୋଇଥିବା ୨ ଲକ୍ଷ ୨୧ ହଜାର ୪୬୮ ଟଙ୍କା ତତ୍କାଳୀନ ସରପ‌ଞ୍ଚ ରୀନା ମଲିକ, ବ୍ଲକର ସହକାରୀ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ସ୍ବାଇଁ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତି ଗଡ଼ନାୟକ, ପିଇଓ ନିର୍ମଳ ଚନ୍ଦ୍ର ପଣ୍ତା ଓ ଜିଆରଏସ୍‌ ଚିନ୍ମୟୀ କରଙ୍କଠାରୁ କାହିଁକି ଆଦାୟ କରାନଯିବ ବୋଲି ଧର୍ମଶାଳା ବିଡିଓ ଅରବିନ୍ଦ ବେହେରା ଗତ ୧୭ ତାରିଖରେ ପତ୍ରସଂଖ୍ୟା-୩୫୯୬ରେ କୈଫିୟତ୍ ତଲବ୍ କରିଛନ୍ତି। ପତ୍ରସଂଖ୍ୟା-୨୪୬୪/୨୭.୫.୨୨ରେ ବିଡିଓ ଲୋକାୟୁକ୍ତଙ୍କୁ ଦେଇଥିବା ସତ୍ୟପାଠରେ ଉକ୍ତ ପ୍ରକଳ୍ପ ନିର୍ମାଣରେ କୌଣସି ଅନିୟମିତତା ହୋଇ ନଥିବା ଦର୍ଶାଇଥିଲେ ଏବଂ ୨୮୦ ମିଟର ମାଟିରାସ୍ତା ମରାମତି ପାଇଁ ୨ଲକ୍ଷ ୯୩ହଜାର ୯୧୦ଟଙ୍କା ପୈଠ ହୋଇଥିବା ତଥ୍ୟ ଦେଇଥିଲେ। ସେହି ବିଡିଓ ୨ମାସ ୨୦ ଦିନ ପରେ କିପରି ଏଠାରେ ୨୮୦ ମିଟର ରାସ୍ତା କାମ ବଦଳରେ ୯୦ ମିଟର କାମ ହୋଇ ୨ ଲକ୍ଷ ୨୧ ହଜାର ୪୬୮ ଟଙ୍କା ହଡ଼ପ ହୋଇଥିବା ସ୍ବୀକାର କରିବା ସହ ଅର୍ଥ ଆଦାୟ ପାଇଁ କାରଣ ଦର୍ଶାଅ ନୋଟିସ୍‌ ଦେବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ପ୍ରକାଶ ଯେ ବନ୍ୟାପ୍ଲାବିତ ଇମାମନଗର ଗାଁ ରାସ୍ତାର ଉଚ୍ଚତା ବଢ଼ାଇବା ପାଇଁ ମନରେଗା ଯୋଜନାରେ ୫୫୫ ମିଟର ରାସ୍ତା ମରାମତି ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୫ଲକ୍ଷ ବ୍ୟୟବରାଦ କରାଯାଇଥିଲା। ଏହି ଗ୍ରାମର ଅକ୍ଷୟ କୁମାର ପାଳଙ୍କ ଘର ନିକଟରୁ ସୁନାକର ରାଉତଙ୍କ ଘର ପର୍ଯ୍ୟନ୍ତ ୨୮୦ ମିଟର ମାଟିରାସ୍ତା ମରାମତି ନାଁରେ ୨ଲକ୍ଷ ୯୩ହଜାର ୯୧୦ଟଙ୍କା ବିଲ୍ ହୋଇଥିଲା। ଦାୟିତ୍ବରେ ଥିବା ଠିକାଦାର ବ୍ୟକ୍ତିଗତ ଜମିରେ ମାତ୍ର ୯୦ମିଟର ରାସ୍ତାକାମ କରି ମିଥ୍ୟା କାଗଜପତ୍ର ମାଧ୍ୟମରେ ଏହି ଅର୍ଥ ଉଠାଇ ନେଇଥିବା ସୂଚନା ଅଧିକାର ଆଇନ ତଥ୍ୟରୁ ଜଣାପଡ଼ିଥିଲା। ବେଆଇନ ଭାବେ ଶ୍ରମିକଙ୍କ ବଦଳରେ ଟ୍ରକ୍ ଓ ମେସିନ୍ ବ୍ୟବହାର ହୋଇଥିଲା। ହେଲେ ୩୧ଜଣ ଶ୍ରମିକ କାମ କରି ମଜୁରି ନେଇଥିବା ଦର୍ଶାଯାଇଥିଲା। ଏନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତ ଜୁନ୍ ୨୨ତାରିଖରେ ଲୋକାୟୁକ୍ତଙ୍କ ଅଦାଲତରେ ୧୩୪/୨୦୨୨(ବି-୧) ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ଧର୍ମଶାଳା ବିଡିଓ ଅରବିନ୍ଦ ବେହେରା ଓ ତତ୍କାଳୀନ ପିଇଓ ନିର୍ମଳ ଚନ୍ଦ୍ର ପଣ୍ତାଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏନେଇ ବିଡିଓଙ୍କୁ ପକ୍ଷ ରଖିବାକୁ ଲୋକାୟୁକ୍ତ ନୋଟିସ୍‌ କରିଥିଲେ। ଏଠାରେ ସେଭଳି କିଛି ଅନିୟମିତତା ହୋଇ ନଥିବା ବିଡିଓ ସତ୍ୟପାଠ ମାଧ୍ୟମରେ ଲୋକାୟୁକ୍ତଙ୍କୁ ଜଣାଇଥିଲେ। ଏହା ଜଣାପଡ଼ିବା ପରେ ସୂଚନା ଅଧିକାର କର୍ମୀ ଶ୍ରୀ ବେହୁରା ପୁଣି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ। ଲୋକାୟୁକ୍ତ ଅଭିଯୋଗର ଶୁଣାଣି କରି ତାଙ୍କ ନିଜସ୍ବ ତଦନ୍ତକାରୀ ଟିମକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଉପନିର୍ଦେଶକ ମଦନ ମୋହନ ବିଶ୍ବାଳଙ୍କ ନେତୃତ୍ବରେ ଆସିଥିବା ୪ଜଣିଆ ଟିମ୍ ଗତ ୧୬ତାରିଖରେ ଘଟଣାସ୍ଥଳରେ ପହ‌ଞ୍ଚି ମାପଚୁପ କରୁଥିବା ବେଳେ ଗ୍ରାମର କେତେକ ଯୁବକ ଏହାକୁ ବିରୋଧ କରିଥିଲେ। ଫଳରେ ତଦନ୍ତକାରୀ ଟିମ୍ ମାପଚୁପ କରିନପାରି ସେଦିନ ଅଧାରୁ ଫେରିଥିଲେ। ପରଦିନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମାପଚୁପ୍ କରିବା ସହିତ ବ୍ଲକ କାର୍ଯ୍ୟାଳୟରେ କାଗଜପତ୍ର ଯା‌ଞ୍ଚ କରି ଫେରି ଯାଇଥିଲେ। ନିଜେ ମାମଲାର ପକ୍ଷ ହୋଇଥିବା ସତ୍ତ୍ବେ ବିଡିଓ ନିଜକୁ ବଞ୍ଚାଇବାକୁ ଯାଇ ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଏବିଡିଓ, ଏଇ, ଜେଇ ଓ ଏପିଓଙ୍କ ମାଧ୍ୟମରେ ପୁଣି ତଦନ୍ତ କରି ଦାୟିତ୍ବରେ ଥିବା ତତ୍କାଳୀନ ସରପ‌ଞ୍ଚ ଓ ୪ କର୍ମଚାରୀଙ୍କୁ ହଡ଼ପ ଅର୍ଥ କାହିଁକି ନ ଫେରାଇବ ବୋଲି ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ଦେବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe