ବିଧାୟକଙ୍କୁ ଭେଟିବା ମହଙ୍ଗା ପଡ଼ିଲା : ଶିକ୍ଷକନେତାଙ୍କୁ କାରଣ ଦର୍ଶାଅ ନୋଟିସ୍

ବିଧାୟକଙ୍କୁ ଭେଟିବା ମହଙ୍ଗା ପଡ଼ିଲା : ଶିକ୍ଷକନେତାଙ୍କୁ କାରଣ ଦର୍ଶାଅ ନୋଟିସ୍

Dainik Bhaskar

ତୁମୁଡ଼ିବନ୍ଧ : ଦଶହରା ଛୁଟି ପୂର୍ବରୁ ଦରମା ନମିଳିବାରୁ ବିଧାୟକଙ୍କୁ ଭେଟି ଅଡୁଆରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ‌ସଭାପତି ଶରତ ଚନ୍ଦ୍ର ଦେଶୀନାୟକ। ଏଥିପାଇଁ ବ୍ଲକ ଶିକ୍ଷାଧିକାରୀ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଗତ ଦଶହରା ଛୁଟି ପୂର୍ବରୁ ବ୍ଲକର ଶିକ୍ଷକ ମାନଙ୍କୁ ଦରମା ମିଳି ନ ଥିଲା। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦଶହରା ଛୁଟି ପୂର୍ବରୁ ଦରମା ପାଇଥିବାବେଳେ ଶିକ୍ଷକମାନଙ୍କୁ ଦଶହରା ଛୁଟି ପୂର୍ବରୁ ଦରମା ପ୍ରଦାନ କରାଯାଇ ନ ଥିବା ନେଇ ସେମାନେ ଅଭିଯୋଗ ଆଣିଥିଲେ। ଶିକ୍ଷକ ସଂଘ ସଭାପତି ଶ୍ରୀ ଦେଶୀନାୟକ ଶିକ୍ଷକଙ୍କ ସମସ୍ୟା ଓ ଦରମା ମିଳି ନ ଥିବା ପ୍ରସଙ୍ଗରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାକି ଶ୍ରୀ ଦେଶୀନାୟକଙ୍କୁ ମହଙ୍ଗା ପଡ଼ିଛି। ଜନପ୍ରତିନିଧିଙ୍କୁ ସରକାରୀ କର୍ମଚାରୀ ଅଭିଯୋଗ କରିପାରିବେନି ବୋଲି ଦର୍ଶାଇ ବ୍ଲକ୍‌ ଶିକ୍ଷାଧିକାରୀ ଉଦ୍ଧବ ଚରଣ ନାୟକ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅନ୍ୟପକ୍ଷରେ ନୋଟିସ୍ ପାଇବା ପରେ ଶ୍ରୀ ଦେଶୀନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଶହରା ଛୁଟି ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଭାବେ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ବଦଳରେ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ବିଇଓ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe