ଗୋଟିଏ ରାତିରେ ୫ ଦୋକାନରୁ ଚୋରି ଅଭିଯୋଗ, ଦୁର୍ଦ୍ଦାନ୍ତ ଅଭୟ ରଣା ଗିରଫ

ଗୋଟିଏ ରାତିରେ ୫ ଦୋକାନରୁ ଚୋରି ଅଭିଯୋଗ, ଦୁର୍ଦ୍ଦାନ୍ତ ଅଭୟ ରଣା ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀ ଛକରେ ୨ ତାରିଖ ରାତିରେ ୫ ଦୋକାନ ତାଲା ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଅପରାଧୀ ଅଭୟ ରଣା ଓରଫ ନେପାଳି (୨୫)କୁ ପୁଲିସ ଗିରଫ କରିଛି। ତା’ ଠାରୁ ଏକ ବାଇକ୍‌ ସହିତ ପାନା, ପେଚ୍‌କସ, ୮ ଚାର୍ଜର, ୪ ଇୟର୍‌ଫୋନ୍‌ ସହିତ ନଗଦ ୧୮ ଶହ ଟଙ୍କା ଓ ତାଲା ଭାଙ୍ଗିବା ଉପକରଣ ଜବତ ହୋଇଛି। ଏହା ସହିତ ତା’ ପାଖରୁ ଏକ ଚୋରା ବାଇକ ଜବତ ହୋଇଛି। ଏହି  ବାଇକ୍‌ଟି ଝାରସୁଗୁଡ଼ା ଥାନା ଅଞ୍ଚଳରୁ ଗତ ୪ ତାରିଖରେ ଚୋରି କରିଥିବା ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ସେଠ ପ୍ରକାଶ କରିଛନ୍ତି। ଏନେଇ ଝାରସୁଗୁଡ଼ା ଥାନା କେସ୍‌ ନମ୍ବର ୪୪୦ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନାମରେ ବଡ଼ମାଳ ଥାନାରେ ଗୋଟିଏ, ବ୍ରଜରାଜନଗର ଥାନାରେ ୪ଟି, ବନାହରପାଲି ଥାନାରେ  ଗୋଟିଏ, ବେଲପାହାଡ଼ ଥାନାରେ ଗୋଟିଏ, ଓରିଏଣ୍ଟ ଥାନାରେ ଗୋଟିଏ ମାମଲା ରହିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ ୨ ତାରିଖ ରାତିରେ ଗାନ୍ଧୀ ଛକ ଫାଣ୍ଡି ଅଧୀନ ରାଜପୁର ରୋଡ୍‌ ମୁଖ୍ୟ ରାସ୍ତାରେ ଥିବା ୫ଟି ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିଲା। ଏସ୍‌ଡିପିଓ ଦିଲୀପ ଦାସ ଓ ଆଇଆଇସି  ବୈକୁଣ୍ଠ ସେଠ, ଗାନ୍ଧୀ ଛକ ଫାଣ୍ଡି ଅଧିକରୀ ଶଶୀଭୂଷଣ ପୋଢ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଗୋଟିଏ ସ୍ଥାନରେ ସିସିଟିଭି ଫୁଟେଜ୍‌ରେ ଚୋର ସମ୍ପର୍କରେ ସାମାନ୍ୟ ଝାପ୍‌ସା ଫୁଟେଜ୍‌ ମିଳିଥିଲା। ଏସ୍‌ଡିପିଓ ଶ୍ରୀ ଦାସ ଏହାକୁ ଆଧାର କରି ଏକ ଫଟୋ ବାହାର କରି ଅଭିଯୁକ୍ତକୁ ଧରିବାକୁ ଚଢ଼ଉ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଜିଏମ୍‌ କମ୍ପ୍ଲେକ୍ସ ନିକଟରେ ଚଢ଼ଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଅଭୟ ରାଣା ନେପାଳରୁ ଆସି ଦୀର୍ଘ ବର୍ଷ ହେବ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରହି ଚୋରି କରୁଥିବା ଏସ୍‌ଡିପିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଅଭୟ ବଡ଼ମାଳ ଥାନା ଅଧୀନରେ ଏକ ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୬ରେ ୪ ବର୍ଷର ଜେଲ୍‌ରେ ରହି ଆସିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି। ଚତୁରତାର ସହିତ ଅପରାଧ ଘଟାଇ ଖସି ଯାଉଥିବା ଏଭଳି ଏକ ଦୁଦ୍ଦାନ୍ତ ଅପରାଧୀଙ୍କୁ ୨ ଦିନ ଭିତରେ ପୁଲିସ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ତାକୁ ଧରିବାରେ ସଫଳ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe